ରାଉରକେଲା: ଓଡ଼ିଶା ସାଇକ୍ଲିଂର ଜନକ ଭାବେ ପରିଚିତ ଖଗେଶ୍ବର ମହାନ୍ତି (୮୭)ଙ୍କ ପରଲୋକ ଘଟିଛି। ରାଉରକେଲା କୋଏଲନଗର ସ୍ଥିତ ବାସଭବନରେ ଗତ ୨୧ ତାରିଖ ଭୋର୍ ପ୍ରାୟ ସାଢ଼େ ୩ଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନକ ସମସ୍ୟାରେ ପୀଡ଼ୀତ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ସାଇକ୍ଲିଂ ଜଗତ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଖଗେଶ୍ବରଙ୍କୁ ଓଡ଼ିଶା ସାଇକ୍ଲିଂର ଜନକବୋଲି ବିବେଚନା କରାଯାଏ। ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଖଗେଶ୍ବର ପିଲାଟି ଦିନରୁ ସାଇକ୍ଲିଂ ପ୍ରତି ଆକୃଷ୍ଟ ଥିଲେ। ପଶ୍ଚିମବଙ୍ଗର ଜାତୀୟସ୍ତରର ନାମକରା ସାଇକ୍ଲିଷ୍ଟ୍ ନିତାଇ ବୈଶାଖଙ୍କ ସହ ଚିହ୍ନା ପରିଚୟ ଥିଲା। ଶ୍ରୀ ବୈଶାଖଙ୍କୁ ଅନୁରୋଧ କରି ସେ ୧୯୬୨ ମସିହାରେ କଟକ ବାଲିକୁଦାଠାରେ ଏକ ସାଇକ୍ଲିଂ ପ୍ରତିଯୋଗିତା ଆୟୋଜନ କରିଥିଲେ। ଏଥିରେ ଜାତୀୟ ସାଇକ୍ଲିଷ୍ଟ ଶ୍ରୀ ବୈଶାଖ, ଶ୍ରୀ ମହାନ୍ତିଙ୍କ ସମେତ ପ୍ରାୟ ୧୮/୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହାଥିଲା ରାଜ୍ୟର ପ୍ରଥମ ସାଇକ୍ଲିଂ ପ୍ରତିଯୋଗିତା।
ଏହାପରେ ହିଁ ଓଡ଼ିଶାରେ ସାଇକ୍ଲିଂ ସଂଘ ଗଠନ ହେବାସହ ସାଇକ୍ଲିଂ ପ୍ରତି ଖେଳାଳିଙ୍କ ଆକର୍ଷଣ ବଢ଼ିଥିଲା। ଶ୍ରୀ ମହାନ୍ତିଙ୍କ ଉନ୍ନତ କ୍ରୀଡ଼ା ନୈପୁଣ୍ୟ ଯୋଗୁଁ ତାଙ୍କୁ ପଶ୍ଚିମବଙ୍ଗ ସ୍ଥିତ ବର୍ଣ୍ଣପୁର ଷ୍ଟିଲ୍ ପ୍ଲାଣ୍ଟ୍ରେ ନିଯୁକ୍ତି ମିଳିଥିଲା। ସେଠାରେ ୧୯୬୨ ରୁ ୧୯୭୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏହି ସମୟରେ ଶ୍ରୀ ମହାନ୍ତି ଜାତୀୟ ସାଇକ୍ଲିଂ ପ୍ରତିଯୋଗିତା (୪ ହଜାର ମିଟର ବ୍ୟକ୍ତିଗତ ପର୍ସ୍ୟୁଟ୍)ରେ ଗୋଟିଏ ସ୍ବର୍ଣ୍ଣ ପଦକ ସହ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ପାଇଥିଲେ। ୧୯୭୦ ମସିହାରେ ସେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) କୋକ୍ଓଭେନ୍ ବିଭାଗରେ ଯୋଗଦେଇଥିଲେ। ଏହାପରେ ଯଦିଓ ଅନ୍ତଃଖାରଖାନା, ଆନ୍ତଃ ବିଭାଗୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ, ମାତ୍ର ଜାତୀୟ ପ୍ରତିଯୋଗିତାରେ ଆଖିଦୃଶିଆ ପ୍ରଦର୍ଶନ ମିଳିପାରିନଥିଲା। ତାଙ୍କ ବିୟୋଗରେ ଅର୍ଜୁନ ପୁରସ୍କାର ବିଜୟିନୀ ମୀନତି ମହାପାତ୍ରଙ୍କ ସହ ସୁବାଷ ଦାସ, ଶରତ ଦାସ, ନରସିଂହ ସାହୁ, ସୁଶୀଳ ଦାସ, ରାମଚନ୍ଦ୍ର ଦାସ, କ୍ର୍ରୀଡ଼ା ସଂଗଠକ ଦେବଦତ୍ତ ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fh49sfh98sf798hfs7hsfhfhsfhfhshffh.jpg)