ମହାନ ମୁଷ୍ଟିଯୋଦ୍ଧା ଡିଙ୍ଗ୍‌କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବକ୍ସିଂ ରିଙ୍ଗ୍‌ରେ ଅନେକଙ୍କୁ ଧରାଶାୟୀ କରିଥିବା ଡିଙ୍ଗକୋ ସିଂହ ଶେଷରେ କର୍କଟ ନିକଟରେ ହାର ମାନିଛନ୍ତି। ଭାରତୀୟ ମୁଷ୍ଟିଯୁଦ୍ଧ ଦୁନିଆର ଅନ୍ୟତମ ସଫଳ ଖେଳାଳି ତଥା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଡିଙ୍ଗକୋ ସିଂହ ମାତ୍ର ୪୨ ବର୍ଷ ବୟସରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୨୦୧୭ ମସିହାରୁ ଯକୃତ କର୍କଟରେ ପୀଡ଼ିତ ହୋଇ ସଂଘର୍ଷ କରୁଥିବା ଡିଙ୍ଗକୋ ଶେଷରେ ଏହି ଲମ୍ବା ଲଢ଼େଇରେ ଆତ୍ମସମର୍ପଣ କରିଛନ୍ତି। ପତ୍ନୀ ବବାଇ ଏନଙ୍ଗମ୍‌ଙ୍କ ସହ ପୁଅ ଓ ଝିଅଙ୍କୁ ସେ ଛାଡ଼ିଯାଇଛନ୍ତି। କର୍କଟ ଲଢ଼େଇ ଭିତରେ ଏହି ପୂର୍ବତନ ବଣ୍ଟମୱେଟ୍‌ (୫୪ କିଲୋଗ୍ରାମ) ମୁଷ୍ଟିଯୋଦ୍ଧା ମଧ୍ୟ ଗତବର୍ଷ ଜଣ୍ଡିସ୍ ଓ କୋଭିଡ୍‌-୧୯ ସଂକ୍ରମିତ ହୋଇଥିଲେ। ‘‘ଆମେ ଜଣେ କିଂବଦନ୍ତିଙ୍କୁ ହରାଇଲୁ’’ ବୋଲି କହିଛନ୍ତି ଅଲିମ୍ପିକ୍ ଅଭିମୁଖେ ଯାଉଥିବା ମୁଷ୍ଟିଯୋଦ୍ଧା ବିକାଶ କ୍ରିଷ୍ଣନ୍‌। ବିକାଶଙ୍କ ଏହି ଛୋଟିଆ ପ୍ରତିକ୍ରିୟାରେ ପ୍ରତିଫଳିତ ହୋଇଛି ଡିଙ୍ଗ୍‌କୋ ଭାରତୀୟ ମୁଷ୍ଟିଯୁଦ୍ଧ ପାଇଁ କେତେ ମୂଲ୍ୟବାନ ଥିଲେ। ୧୯୯୮ ବ୍ୟାଙ୍କକ୍‌ ଏସିଆଡରେ ସ୍ବର୍ଣ୍ଣ ବିଜୟୀ ହେବା ଭାରତ ପାଇଁ ୧୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲା। ‌ତାଙ୍କ ପୂର୍ବରୁ ୧୯୮୨ରେ କୌର ସିଂହ ହିଁ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଡିଙ୍ଗକୋଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ସହିତ ବହୁ ମୁଷ୍ଟିଯୋଦ୍ଧା ଓ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଭାରତ ସୃଷ୍ଟି କରିଥିବା ମୁଷ୍ଟି‌‌‌‌ଯୋଦ୍ଧାଙ୍କ ମଧ୍ୟରୁ ଡିଙ୍ଗକୋ ଅନ୍ୟତମ ଉତ୍କୃଷ୍ଟ ଥିଲେ, ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ରିଜିଜୁ। ମାତ୍ର ୧୦ ବର୍ଷ ବୟସରେ ଏହି ମଣିପୁର ତାରକା ଜାତୀୟ ବିଜେତା ହେବା ପରେ ଆଉ ପଛକୁ ଫେରି ଚାହିଁନଥିଲେ। ପ୍ରଥମ ଭାରତୀୟ ଭାବେ ଆଧୁନିକ ତାରକାଙ୍କ ମଧ୍ୟରେ ଏସିଆଡ୍‌ ସ୍ବର୍ଣ୍ଣ ଜିତିଥିଲେ। ଡିଙ୍ଗ୍‌କୋଙ୍କ ଦ୍ବାରା ପ୍ରେରିତ ହୋଇ ତାଙ୍କ ରାଜ୍ୟର ଏମ୍‌ସି ମେରିକମ୍‌ ୬ ଥର ବିଶ୍ବ ବିୟଜିନୀ ଏବଂ ଅଲିମ୍ପିକ ପଦକ ବିଜୟିନୀ ହୋଇପାରିଥିଲେ। ‘‘ସେ ରକ୍‌ଷ୍ଟାର୍‌ ଥିଲେ, କିଂବଦନ୍ତି ବି ଥିଲେ। ତାଙ୍କ ଲଢ଼େଇ ଦେଖିବାକୁ ମୋତେ ଧାଡ଼ିରେ ଯିବାକୁ ପଡ଼ୁଥିଲା। ସେ ମୋତେ ପ୍ରେରିତ କରିଥିଲେ, ମୋ ନାୟକ ଥିଲେ, ବହୁ ବଡ଼ କ୍ଷତି। ସେ ବହୁତ ଶୀଘ୍ର ଚାଲିଗଲେ’’ ବୋଲି ମେରି କମ୍‌ କହିଛନ୍ତି। ଜୀବନ ଅନିଶ୍ଚିତ ବୋଲି ମଧ୍ୟ ମେରି କମ୍‌ କହିଥିଲେ।

ବକ୍ସିଂ ରିଙ୍ଗରେ ଜଣେ ନିର୍ଭୟ ଯୋଦ୍ଧା ଥିବା ଡିଙ୍ଗ୍‌କୋ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିବା ପଥରେ ଦୁଇ ଅଲିମ୍ପିକ୍ ପଦକ ବିଜେତା ସୋନ୍ତାୟା ୱଙ୍ଗ୍‌ପ୍ରେଟ୍ସ (ଥାଇଲାଣ୍ଡ) ଓ ତିମୁର ତୁଲ୍ୟାକୋଭ୍ (ଉଜବେକିସ୍ତାନ)ଙ୍କୁ ହରାଇଥିଲେ। ଭାରତୀୟ ମୁଷ୍ଟିଯୁଦ୍ଧ ପାଇଁ ଏହା ସେତେବେଳେ ସବୁଠାରୁ ଉଲ୍ଲେଖନୀୟ ସଫଳତା ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବ୍ୟାଙ୍କକ୍‌ ଏସିଆଡ୍‌ ଲାଗି ତାଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ଡିଙ୍ଗ୍‌କୋ ଏହାର ଅଭିନବ ପ୍ରତିବାଦ କରିଥିଲେ। ଆତ୍ମହତ୍ୟା ଧମକ ଦେବା ପରେ ଦଳରେ ଯାଇ ଐତିହାସିକ ସଫଳତା ଅର୍ଜନ କରିଥିଲେ। ରିଙ୍ଗ୍ ଭିତରେ ସେ ଜଣେ ବ୍ୟତିକ୍ରମ ଥିଲେ ଏବଂ ରିଙ୍ଗ୍ ବାହାରେ ବି ଜଣେ ଚରିତ୍ରବାନ ଥିଲେ। ସେ ଏତେ ପ୍ରତିଭାବାନ ଥିଲେ ଯେ ଅଧିକ ସଫଳତା ନ ପାଇବା ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା ବୋଲି କହିଥିଲେ ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଗୁରବକ୍ସ ସିଂହ ସାନ୍ଧୁ। ‘‘ତାଙ୍କ ଜୀବନ ଯାତ୍ରା ଓ ସଂଘର୍ଷର କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ।
ଏସିଆଡ୍‌ ସ୍ବର୍ଣ୍ଣ ବିଜୟ ବର୍ଷ ହିଁ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ୨୦୧୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୦ ମସିହା ସିଡନି ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରି ସେ ପ୍ରି-କ୍ବାର୍ଟର ପର୍ଯ୍ୟନ୍ତ ଯାଇପାରିଥିଲେ। ଭାରତୀୟ ନୌସେନାରେ ନିଯୁକ୍ତ ଡିଙ୍ଗକୋ ଇମ୍ଫାଲସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ତାଲିମ ମଧ୍ୟ ଦେଇଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ଜୀବନର ଶେଷ କିଛି ବର୍ଷ ସେ ଖେଳଠାରୁ ଦୂରେଇ ରହିଥିଲେ।

ସମ୍ବନ୍ଧିତ ଖବର