ଭୁବନେଶ୍ୱର: ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଦୌଡ଼କୁଦରେ ଅଲିମ୍ପିଆନ୍ ଦୂତି ଚାନ୍ଦ ଶ୍ରେଷ୍ଠ କ୍ରୀଡ଼ାବିତ୍ ବିବେଚିତ ହୋଇଛନ୍ତି। ଗୁରୁବାର ୨୦୦ ମିଟର ଫାଇନାଲ୍ରେ ୨୪.୨୬ ଟାଇମିଂ ସହ କିଟ୍ ବିଶ୍ବବିଦ୍ୟାଳୟର ମଧୁମିତା ଦେବ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କାଲିକଟ ବିଶ୍ୱବିଦ୍ୟାଳୟ ଓ ତୃତୀୟ ସ୍ଥାନରେ ଲଭ୍ଲୀ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ ରହିଛି।
ଅର୍ଜୁନ ପୁରସ୍କାରପ୍ରାପ୍ତ ପାରାଅଲିମ୍ପିଆନ୍ ଦିପା ମଲିକ୍ ଗୁରୁବାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖେଳରେ ହାର ଜିତ ରହିଛି। କିନ୍ତୁ କ୍ରୀଡ଼ା ଆମକୁ ଶୃଙ୍ଖଳା, ଧୈର୍ଯ୍ୟ, ଏକାଗ୍ରତା ଓ ଉତ୍ତମ ସଂପର୍କର ଶିକ୍ଷା ଦେଇଥାଏ। ଏହା ମଧ୍ୟ ଗୁରୁ ଓ ଶିଷ୍ୟ ପରମ୍ପରାର ଶିକ୍ଷା ଦେଇଥାଏ ବୋଲି ଦୀପା କହିଥିଲେ। ପୁରସ୍କାର ବିତରଣ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ସତ୍ପାଲ୍ ସିଂହ ପ୍ରମୁଖ ଉପସ୍ଥିତ ରହି ଶ୍ରେଷ୍ଠ କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କରିଥିଲେ।