ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ମନେ ପକାଇଲେ ଦୂତି

ଭୁବନେଶ୍ବର: ୬ ବର୍ଷ ଭିତରେ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ା ସହ ଅନେକଗୁଡ଼ିଏ ଅନ୍ତର୍ଜାତୀୟ ପ୍ରତିଯୋଗିତା ଶେଷ ହୋଇଗଲାଣି। ଏହି ସମୟ ଭିତରେ ଓଡ଼ିଶା ଦେଶର କ୍ରୀଡ଼ା କ୍ୟାପିଟାଲ୍ ବି ପାଲଟି ଗଲାଣି। ଏଠାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ହୋଇଛି। ହକି ବିଶ୍ବକପ୍ ସହ ଅଗଣିତ ବଡ଼ ବଡ଼ ପ୍ରତିଯୋଗିତାର ସଫଳ ଆୟୋଜକ ସାଜି ସାରା ବିଶ୍ବରୁ ଅଜସ୍ର ପ୍ରଶଂସା ସାଉଣ୍ଟି ସାରିଲେଣି ରାଜ୍ୟ ସରକାର। ହେଲେ ଯେଉଁ ‌କେତେଜଣ କ୍ରୀଡ଼ାବିତ୍ ନିଜ ପ୍ରଦର୍ଶନ ଓ ପରାକାଷ୍ଠା ବଳରେ ବିଶ୍ବ କ୍ରୀଡ଼ା ମାନଚ୍ଚିତ୍ରରେ ଓଡ଼ିଶାକୁ ସ୍ଥାପିତ କରିପାରିଛନ୍ତି, ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଓଡ଼ିଶା ସରକାର ଯେମିତି ପୂରା ଭୁଲି ଯାଇଛନ୍ତି। ୨୦୧୬ରେ ମିଳିଥିବା ପ୍ରତିଶ୍ରୁତି ପତ୍ର ପାଖରେ ଅଛି। ହେଲେ ପ୍ରତିଶ୍ରୁତି ମୁତାବକ ଜମିଟିଏ ରାଜଧାନୀରେ ସେମାନଙ୍କୁ ମିଳି ପାରିନାହିଁ। ଅଧିକାଂଶ କ୍ରୀଡ଼ାବିତ୍ ଏହି ଅଣଦେଖାକୁ ମୁଣ୍ଡପାତି ସହି ନେଇଥିଲେ ମଧ୍ୟ ଦୌଡ଼ରାଣୀ ଦୂତି ଚାନ୍ଦ ରବିବାର ଏଥିନେଇ ମୁହଁ ଖୋଲିଛନ୍ତି। ନିକଟ ଅତୀତରେ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ଚର୍ଚ୍ଚା‌ରେ ରହି ଆସୁଥିବା ଦୂତି ନିଜ ଫେସବୁକ୍ ପୃଷ୍ଠାରେ କ୍ରୀଡ଼ାବିଭାଗ ତରଫରୁ ରାଜ୍ୟର କିଛି ବଛାବଛା ଖେଳାଳିଙ୍କୁ ଜମି ଯୋଗାଇ ଦେବାର ସୁପା‌ରିସ ପତ୍ରକୁ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ସେହି ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି। ତା ସହ ଦୂତି ଲେଖିଛନ୍ତି ଯେ ଦେଇଥିବା ପ୍ରତିଶ୍ରୁତି ସବୁ ସ୍ମୃତି ହୋଇ ରହିଗଲା। ଦୂତି କରିଥିବା ଏହି ସ୍ବର ଉତ୍ତୋଳନକୁ ରାଜ୍ୟର ଅନ୍ୟତମ ଦୌଡ଼କୁଦ ତାରକା ଜଉନା ମୁର୍ମୁ ମଧ୍ୟ ସମର୍ଥନ କରିଛନ୍ତି। ସେ ମଧ୍ୟ ନିଜ ଫେସବୁକ୍ ଷ୍ଟାଟସ୍‌ରେ ଏହି ସୁପାରିସ ପତ୍ରକୁ ସେୟାର କରି ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଗଲା ବୋଲି କଟାକ୍ଷ କରିଛନ୍ତି।

ଦୂତି ପ୍ରକାଶ କରିଥିବା ସୁପାରସ ପତ୍ରଟି କ୍ରୀଡ଼ା ବିଭାଗର ତତ୍‌କାଳୀନ ଯୁଗ୍ମ ସଚିବ ପିକେ ସାହୁ ୧୧-୫-୨୦୧୬ ରେ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସଚିବଙ୍କ ପାଖକୁ ପଠାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ପତ୍ରସଂଖ୍ୟା ୪୫୯୬ରେ ଶ୍ରୀ ସାହୁ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଥିବା ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍, ଦୂତି ଚାନ୍ଦ, ଜଉନା ମୁର୍ମୁ, ଅମିୟ ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କୁ ସେମାନଙ୍କ ସଫଳତା ଏବଂ ପ୍ରଦର୍ଶନ ଆଧାରରେ ରାଜଧାନୀ ଭୁବନେଶ୍ବରରେ ଘର କିମ୍ବା ବାସପୋଯୋଗୀ ଜମି ଯୋଗାଇ ଦେବାକୁ ସୁପାରିସ କରିଛନ୍ତି। ହେଲେ ଏହି ସୁପାରିସ ପତ୍ର ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏପର୍ଯ୍ୟନ୍ତ ବି କୌଣସି ପଦକ୍ଷେପ ନେଇ ନଥିବା‌ ଦୂତି ପରୋକ୍ଷରେ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର କିଛି ତାରକା ଖେଳାଳିଙ୍କୁ ସରକାର ଜମି ଦେଇ ସାରିଥିଲା ବେଳେ ଏମାନଙ୍କୁ କାହିଁକି ଅଣଦେଖା କରୁଛନ୍ତି? ତାହା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର