ଦୂତିଙ୍କ ‘ଅର୍ଜୁନ’ ଆଶା, କଳିଙ୍ଗକୁ ଫେରିଲା ଅଭ୍ୟାସ

The ambassador's 'Arjuna'

ଭୁବନେଶ୍ବର: ପେସାଦାର ଓ ବ୍ୟକ୍ତିଗତ ଜୀବନରେ ଅନେକ ଝଡ଼ଝଞ୍ଜା ଓ ବାଧାବିଘ୍ନ ଆସିଥିଲେ ମଧ୍ୟ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ପାଦ ଥମିନି କିମ୍ବା ଅଟକିନି। ସବୁ ପ୍ରତିବନ୍ଧକକୁ ସାହସର ସହ ସମ୍ମୁଖୀନ ହୋଇ ଦୂତି ଏସବୁକୁ ସୁଯୋଗରେ ରୂପାନ୍ତର କରିଛନ୍ତି। ଆଥଲେଟିକ୍ ଟ୍ରାକ୍‌ରେ ଅସାଧାରଣ ପ୍ରତିଭାର ପରିଚୟ ଦେଇ ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଅଜସ୍ର କ୍ଷ୍ୟାତି ଓ ଯଶ। ଗତ ଚାରି ବର୍ଷ ମଧ୍ୟରେ ଦୂତି ପ୍ରଥମ ଭାରତୀୟ ଭାବେ ଇଟାଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବା ସହ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିବାର ସ୍ମରଣୀୟ ସଫଳତା ପାଇଛନ୍ତି । ସେହିଭଳି ୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ଦୂତି ରଚିଥିଲେ ନୂଆ ଇତିହାସ। ଦୀର୍ଘ ୩୯ ବର୍ଷର ଅପେକ୍ଷାକୁ ଦୂର କରି ପାୟୋଲି ଏକ୍ସପ୍ରେସ୍ ପିଟି ଉଷା (୧୯୮୦)ଙ୍କ ପରେ ପ୍ରଥମ ଭାରତୀୟ ମହିଳା ଭାବେ ସେ ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ରେ ଅବତୀର୍ଣ୍ଣ ହୋଇଥିଲେ। ତା’ ସହ ବିଶ୍ବ ଦରବାରରେ ଓଡ଼ିଶା ଓ ଭାରତ ପାଇଁ ସୁନାମ ଆଣିଥିଲେ। ୨୦୧୭ରେ ଭୁବନେଶ୍ବରରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ଦୂତି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଘରୋଇ ପରିବେଶରେ ଦୁଇଟି ସହ ଏସୀୟ ଦୌଡ଼କୁଦରେ ‌ସେ ମୋଟ ଚାରିଟି ପଦକ ହାସଲ କରିଛନ୍ତି। କନିଷ୍ଠ ଏସୀୟ ଦୌଡ଼କୁଦରେ ବି ଦୁଇଟି ସ୍ବର୍ଣ୍ଣ ପଦକ ଅମଳ କରିଛନ୍ତି। ଏସବୁ ସଫଳତା ସତ୍ତ୍ବେ ଦୂତି କିନ୍ତୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇ ଆସୁଛନ୍ତି। ଗତବର୍ଷ ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓଡ଼ିଶାର ଅଷ୍ଟମ କ୍ରୀଡ଼ା ତାରକା ଭାବେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଦୂତି ମଧ୍ୟ ଏହି ପୁରସ୍କାର ତାଲିକାରେ ସ୍ଥାନ ପାଇବାର ହକଦାର ଥିଲେ। ହେଲେ ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଖେଳାଳିଙ୍କ ନାଁ ସୁପାରିସ କରିବା ଏବଂ ଓଡ଼ିଶା ସରକାର ନିର୍ଦ୍ଧାରିତ ସମୟ ସୀମା ଶେଷ ହେବା ପରେ ସୁପାରିସ ପତ୍ର ପଠାଇବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ଆବେଦନକୁ ଅଗ୍ରା‌ହ୍ୟ କରି ଦେଇଥିଲା।

ଏ ବର୍ଷ କିନ୍ତୁ ଉଭୟ ଓଡ଼ିଶା ସରକାର ଏବଂ ଏଏଫ୍‌ଆଇ ସେହି ଭୁଲ ଦୋହରାଇବେ ନାହିଁ ବୋଲି ଦୂତି ଆଶା ରଖିଛନ୍ତି। ”ଗତବର୍ଷ କେତେକ ବୈଷୟିକ କାରଣ ପାଇଁ ମୁଁ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିଲି। ଏବର୍ଷ କିନ୍ତୁ ପାଇବି ବୋଲି ଆଶା ରଖିଛି। ତେବେ ଏହି ସମ୍ମାନଜନକ ପୁରସ୍କାର ସୁପାରିସ ଭିତ୍ତିରେ ମିଳିଥାଏ। ଏଣୁ ମୋ ସଫଳତା ତାଲିକା ସହ ଅନ୍ୟାନ୍ୟ ନଥିପତ୍ର ମୁଁ ଏଏଫ୍‌ଆଇ, ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ), ବିଶ୍ବ ବିଦ୍ୟାଳୟ ସଂଘ ଓ ଓଡ଼ିଶା ସରକାରଙ୍କ ପାଖକୁ ଦୁଇ ଦିନ ତଳେ ପଠାଇ ଦେଇଛି। ଏଥିନେଇ ଏଏଫ୍‌ଆଇ ସଭାପତି ଅଦିଲ ସୁମେରିୱାଲା ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦେଶକ ଆର ଭିନିଲକୃଷ୍ଣାଙ୍କ ସହ ଟେଲିଫୋନରେ ମଧ୍ୟ କଥା ‌ହୋଇ ଅନୁରୋଧ କରିଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ସୁପାରିସ ପତ୍ର ପଠାଇବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଗତ ଚାରି ବର୍ଷ ହେବ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେଲିଣି, ହେଲେ କେଜାଣି କାହିଁକି ଦେଉ ନାହାନ୍ତି। ମେଡାଲ ମାର୍କିଂରେ ମୋର ୭୫ରୁ ଅଧିକ ନମ୍ବର ରହୁଛି। ଏଣୁ ଠିକ୍ ସମୟରେ ଯଦି ଏଏଫ୍‌ଆଇ ଓ ଓଡ଼ିଶା ସରକାର ମୋ ନାଁ ସୁପାରିସ କରିବେ, ତାହାଲେ ହୁଏତ ମୁଁ ଚଳିତ ବର୍ଷ ଏହି ପୁରସ୍କାର ପାଇବି।” ବୋଲି ଦୂତି ସମ୍ବାଦ ସହ କଥାହେଲା ବେଳେ କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅର୍ଜୁନ ଓ ଅନ୍ୟାନ୍ୟ କ୍ରୀଡ଼ା ପୁରସ୍କାର ଲାଗି ସୁପାରିସ ତାଲିକା ପଠାଇବାର ଶେଷ ତାରିଖ ଜୁନ୍ ୩ ରହିଛି।

କଳିଙ୍ଗକୁ ଫେରିଲା ଅଭ୍ୟାସ
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌କୁ ସୋମବାରଠାରୁ ଖେଳାଳିଙ୍କୁ ପାଇଁ ମୁକ୍ତ କରିଦିଆଯାଇଛି। ବିନା ପ୍ରଶଂସକ ଓ ସାମାଜିକ ଦୂରତା ନିୟମ ପାଳନ କରି ଖେଳାଳିମାନେ ଅଭ୍ୟାସ କରିପାରିବେ ବୋଲି ଘୋଷଣା କରାଯିବା ପରେ ଦେଶର ଦୁଇ ଶ୍ରେଷ୍ଠ ସ୍ପ୍ରିଣ୍ଟର୍‌ ଦୂତି ଚାନ୍ଦ ଓ ଅମିୟ ମଲ୍ଲିକ ଅଭ୍ୟାସ କରୁଛନ୍ତି।

ସୁପାରିସକୁ ଅପେକ୍ଷା
ଅର୍ଜୁନ ପୁରସ୍କାର ନିୟମ ଅନୁସାରେ ଏକ ଜାତୀୟ କ୍ରୀଡ଼ା ମହାସଂଘ ନିଜ ଖେଳର ସର୍ବାଧିକ ୩ ଜଣ ଖେଳାଳିଙ୍କ ସୁପାରିସ କରିପାରିବ। ଗତବର୍ଷ କିନ୍ତୁ ଏଏଫ୍‌ଆଇ ପାଞ୍ଚ ଜଣ ଖେଳାଳିଙ୍କ ନାଁ ସୁପାରିସ କରିଥିଲା। ଏହା ପରେ କ୍ରୀଡ଼ାମନ୍ତ୍ରାଳୟ ପସନ୍ଦର ଶ୍ରେଷ୍ଠ ୩ ଖେଳାଳିଙ୍କ ନାଁ ପଠାଇବାକୁ କହିଥିଲା। ସେତେବେଳେ ଏଏଫଆଇ ସଟପୁଟର ତେଜିନ୍ଦର ପାଲ ସିଂହ, ହେପ୍ଟାଥଲନ ତାରକା ସ୍ବପ୍ନା ବର୍ମନ ଓ ଟ୍ରିପଲ ଜମ୍ପର ଅର୍ପିନ୍ଦର ସିଂହଙ୍କ ନାଁ ପ୍ରଥମ ତିନି ସ୍ଥାନରେ ରଖିଥିଲା। ଜାକର୍ତ୍ତା ଏସୀୟ କ୍ରୀଡ଼ାର ୮୦୦ ମିଟର ବିଜେତା ମନଜିତ ସିଂହ ଓ ଦୂତିଙ୍କୁ ଚତୁର୍ଥ ସ୍ଥାନରେ ରଖିଥିଲା। ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ଓଡ଼ିଶା ସରକାର ନିଜ ସୁପାରିସ ପତ୍ରକୁ ନିର୍ଦ୍ଧାରିତ ସମୟ ପରେ ପଠାଇଥିଲେ। ଦୂତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ବିଷୟ ଜଣାଇଥିଲେ ମଧ୍ୟ ଫଳ କିଛି ହୋଇ ନଥିଲା। ସେପଟେ ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ବିହାର ସରକାରଙ୍କ ସୁପାରିସ ବଳରେ ଅର୍ଜୁନ ପୁରସ୍କାର ପାଇଥିଲେ। ଏଥର ଆସନ୍ତୁ ଅର୍ଜୁନ ପୁରସ୍କାର ଲାଗି କିଏ ସୁପାରିସ କରି ପାରିବେ। ପ୍ରଚଳିତ ନିୟମ ଅନୁସାରେ ବିଭିନ୍ନ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ଜାତୀୟ କ୍ରୀଡ଼ା ସଂଗଠନ ଏବଂ ପୂର୍ବବର୍ଷର ଖେଳରତ୍ନ ପୁରସ୍କାର ବିଜେତା ନିଜ ବର୍ଗର ଅର୍ଜୁନ ପୁରସ୍କାର ଲାଗି ଯେ କୌଣସି ଖେଳାଳିଙ୍କ ନାଁ ସୁପାରିସ କରି ପାରିବେ। ସେହିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କ୍ରୀଡ଼ା ବିକାଶ ବୋର୍ଡ ଯଥା ଆରଏସପିବି, ପିଏସପିବି, ଏସଏସପିବି ଭଳି ସଂସ୍ଥା ମଧ୍ୟ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କ ନାଁ ସୁପାରିସ କରିପାରିବେ।

ଟ୍ରାକ୍‌କୁ ଫେରି ବହୁତ ଖୁସି
କରୋନା ଆତଙ୍କ ପରେ ଦୂତିଙ୍କ ଅଭ୍ୟାସ ପୂରା ବନ୍ଦ ହୋଇ ଯାଇଥିଲା। ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ କିଛିଟା ରିହାତି ମିଳିବାରୁ ସ୍ବତନ୍ତ୍ର ଅନୁମତି ସହ ସେ ପଡ଼ିଆରେ ଅଭ୍ୟାସ କରୁଥିଲେ। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ସରକାର ଷ୍ଟାଡିୟମ୍ ଖୋଲିବା ଅନୁମତି ଦେବା ପରେ ଦେଶର ଦ୍ରୁତତମ ଧାବିକା ଦୂତି ଏବେ କଳିଙ୍ଗ ଷ୍ଟାଡିୟମ ଆସି ଅଭ୍ୟାସ କରୁଛନ୍ତି। ଷ୍ଟାଡିୟମ୍ ଖୋଲିବା ନେଇ ଆନୁଷ୍ଠାନିକ ଅନୁମତି ମିଳିବା ନେଇ ସେ ବେଶ୍ ଖୁସି ଅଛନ୍ତି। ଦୂତିଙ୍କ ସହ ଅନ୍ୟତମ ଓଡ଼ିଆ ତାରକା ତଥା ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଉଭୟ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଜୋରଦାର ଅଭ୍ୟାସ କରିଥିଲେ। ଏଥିଲାଗି ଢେର କିଛି ଅର୍ଥ ମଧ୍ୟ ବ୍ୟୟ କରିଥିଲେ। ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷକୁ ଘୁଞ୍ଚିବା ଉଭୟ ଦୂତି ଓ ଅମିୟଙ୍କ ପାଇଁ ବଡ଼ ଝଟ୍‌କା ହୋଇଥିଲା। ତେବେ ଏହାକୁ ଦୁଇ ଜଣ ଯାକ ସକାରାତ୍ମକ ଭାବେ ନେଇଛନ୍ତି। ଯେତେ ବାଧା ଆସିଲେ ମଧ୍ୟ ଆମେ ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରୁ ହଟିବୁ ନାହିଁ ବୋଲି ଦୂତି ଦୃଢ଼ତାର ସହ କହିଛନ୍ତି। ନିଜ ଅଭ୍ୟାସ ସାରଣୀ ନେଇ ସୂଚନା ଦେବାକୁ ଯାଇ ସେ କହିଛନ୍ତି ଯେ ଏବେ ଷ୍ଟାଡିୟମରେ କେହି ନାହାନ୍ତି। ମୋ ପ୍ରଶିକ୍ଷକ ନାଗପୁରି ରମେଶ ମଧ୍ୟ ପାଖରେ ନାହାନ୍ତି। ତେବେ ସେ ଅନଲାଇନ‌୍‌ ଭିଡିଓ ଜରିଆରେ ମୋର ମାର୍ଗଦର୍ଶନ କରୁଛନ୍ତି। ସେ ପଠାଉଥିବା ସୂଚୀ ଅନୁସାରେ ହିଁ ଅଭ୍ୟାସ କରୁଛି। ପ୍ରକାଶଯୋଗ୍ୟ ଯେ ଦୂତି ମଧ୍ୟ ନିଜସ୍ବ ଉଦ୍ୟମରେ କରୋନା ପାଇଁ କଷ୍ଟରେ ଥିବା ଦିନ ଦରିଦ୍ରଙ୍କୁ ଖାଦ୍ୟ ପୁଡ଼ିଆ ତଥା ଶୁଖିଲା ଖାଦ୍ୟ ବାଣ୍ଟି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ପୂର୍ବରୁ ପାଇଛନ୍ତି ୮ ଓଡ଼ିଆ
୧୯୮୦ ମସିହାରେ ସାଇକ୍ଲିଷ୍ଟ ମିନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ତାଙ୍କୁ ମିଶାଇ ଏବେସୁଦ୍ଧା ମୋଟ ୮ ଜଣ ଓଡ଼ିଆ କ୍ରୀଡ଼ା ତାରକା ଏହି ସମ୍ମାନଜନକ ଖେଳ ପୁରସ୍କାର ପାଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାରୋତ୍ତୋଳକ କେ ରବି କୁମାର (୨୦୧୧) ଓ ବିଜୟ କୁମାର ଶତପଥୀ (୧୯୮୨) ଥିଲା ବେଳେ ହକିରୁ ସର୍ବାଧିକ ତିନି ଜଣ ଦିଲୀପ ତିର୍କି (୨୦୦୨), ଜ୍ୟୋତି ସୁନିତା କୁଲୁ (୨୦୦୭), ଇଗ୍ନେସ ତିର୍କି (୨୦୦୯) ଅଛନ୍ତି। ଦୌଡ଼କୁଦରୁ କେବଳ ରଚିତା ପଣ୍ଡା (ମିସ୍ତ୍ରୀ), ୧୯୯୮ ଏହି ପୁରସ୍କାର ପାଇଛନ୍ତି। ଗତବର୍ଷ ପ୍ରମୋଦ ଭଗତ ରାଜ୍ୟର ପ୍ରଥମ ପାରାକ୍ରୀଡ଼ାବିତ୍ ଭାବେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ତେବେ ସଂପ୍ରତି ରାଉରକେଲାରେ ରହୁଥିବା ଝାଡ଼ଖଣ୍ଡ ଜନ୍ମିତ ୧୯୭୫ ମସିହା ହକି ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ତଥା ଭାରତୀୟ ହକି କଂବଦନ୍ତି ମାଇକେଲ କିଣ୍ଡୋଙ୍କୁ ମିଶାଇଲେ ଏହି ସଂଖା ୯ ହେବ।

ସମ୍ବନ୍ଧିତ ଖବର