ଶ୍ରୀଲଙ୍କା‌ରୁ ବାଂଲାଦେଶ ସ୍ଥାନାନ୍ତର ହେବ ଏସିଆ କପ୍

ଦୁବାଇ: ଶ୍ରୀଲଙ୍କାରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା, ହିଂସା ତଥା ହାହାକାର ପାଇଁ ଚଳିତ ବର୍ଷର ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ବାଂଲାଦେଶକୁ ସ୍ଥାନାନ୍ତର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିସିସିଆଇ ସଭାପତି ତଥା‌ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଏହି ସୂଚନା ଦେଇଛନ୍ତି। ‘‘ବିସିସିଆଇ ଶ୍ରୀଲଙ୍କା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଅଷ୍ଟ୍ରେଲିଆ ସେଠାରେ ଖେଳୁଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ମଧ୍ୟ ବହୁତ ଭଲ କରୁଛି। ଏଣୁ ସଂପ୍ରତି ମୁଁ ଏହି ବିଷୟରେ ସ୍ପଷ୍ଟ ଭାବେ କିଛି କହି ପାରିବି ନାହିଁ। ଆମକୁ ଏଥିଲାଗି ଆଉ ଗୋଟିଏ ମାସ ଅପେକ୍ଷା କରିବାକୁ ହେବ। ଆବଶ୍ୟକ ହେଲେ ଆମେ ଏହି ପ୍ରତିଯୋଗିତାକୁ ଶ୍ରୀଲଙ୍କାରୁ ସ୍ଥାନାନ୍ତର କରିବୁ।’’ ବୋଲି ଗାଙ୍ଗୁଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଏସିଆ କପ୍ ଆସନ୍ତା ମାସରେ ଶ୍ରୀଲଙ୍କାରେ ଖେଳାଯିବାର ଅଛି।

କୋଭିଡ୍-୧୯ ମହାମାରୀ ଲାଗି ପାଇଁ ବିସିସି୍ଆଇ ସମ୍ମୁଖୀନ ହୋଇଥିବା ଅପ୍ରତ୍ୟାଶିତ ଆହ୍ବାନକୁ ନେଇ ମଧ୍ୟ ଗାଙ୍ଗୁଲି ଏହି ଅବସରରେ ଚର୍ଚ୍ଚା କରିଥିଲେ। ‘‘ସବୁ ପ୍ରତିବନ୍ଧକ ସତ୍ତ୍ବେ ଆମେ କ୍ରିକେଟ୍ ଆୟୋଜନକୁ ଜାରି ରଖିପାରିଥିଲୁ। ପ୍ରସାରଣ ଅଧିକାର ବିକ୍ରି ଆମକୁ ବହୁତ ଭଲ ଫଳ ଦେଇଛି। ଯଦିଓ ମୁଁ କେବେ ଅର୍ଥକୁ ଖେଳ ସହ ଯୋଡ଼ି ନଥାଏ, ତଥାପି ଆପଣଙ୍କ ପାଖରେ ଆର୍ଥିକ କ୍ଷମତା ରହିବା ନିହାତି ଜରୁରୀ। ଏହା ଦ୍ବାରା ହିଁ ଭିତ୍ତିଭୂମି ନିର୍ମାଣ କରିବା ସମ୍ଭବ ହୋଇଥାଏ। ଭାରତୀୟ କ୍ରିକେଟ୍ ଏବେ ବହୁତ ଭଲ ସ୍ଥିତିରେ ରହିଛି। ଯେତେବେଳେ ବି ଆମ କାର୍ଯ୍ୟକାଳ ଶେ‌ଷ ହେବ, ଅନ୍ୟ କେହି ଏହାକୁ ଆଗେଇ ନେଇପାରିବ। ଖେଳାଳି ଓ ପ୍ରଶାସକ ମିଳିତ ଭାବେ ହିଁ କ୍ରିକେଟ୍ ଭଳି ମହାନ ଖେଳକୁ ଆଗକୁ ନେବେ।’’ ବୋଲି ମତ ରଖିଥିଲେ ଗାଙ୍ଗୁଲି। ଭାରତୀୟ କ୍ରିକେଟ୍ ଦଳ ଉପରେ ପ୍ରଶଂସକଙ୍କର ଥିବା ଉଚ୍ଚ ଆଶା ବିଷୟରେ ନିଜ ମତ ପ୍ରକାଶ କରି ଗାଙ୍ଗୁଲି କହିଥିଲେ ଯେ ସବୁବେଳେ ଆଇସିସି ପ୍ରତିଯୋଗିତା ଜିତିବା ସମ୍ଭବ ନୁହେଁ। ଆମ ଦଳ ଫାଇନାଲ୍ ଏବଂ ସେମିଫାଇନାଲ୍ ଯାଇଛି। ବିଶ୍ବକପ୍‌ରେ ଭାରତ ଅତ୍ୟନ୍ତ ଖରାପ କରିଛି ବୋଲି କହିହେବନି। ଆମ ପାଖରେ ଏବେ ଏକ ଶକ୍ତିଶାଳୀ ଦଳ ରହିଛି। ଆଶା କରୁଛି ଏଥର ଅଷ୍ଟ୍ରେଲିଆରେ ସେମାନେ ଟ୍ରଫି ଜିତିବାକୁ ସକ୍ଷମ ହେବେ।

ସମ୍ବନ୍ଧିତ ଖବର