କୋଲ୍କାତା: ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ଚଳିତ ଏସୀୟ କପ୍ ଯୋଗ୍ୟତାପର୍ଯ୍ୟାୟରେ ମଙ୍ଗଳବାର ନିଜର ଶେଷ ଗ୍ରୁପ୍ ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି। ଏହି ମ୍ୟାଚ୍ ପୂର୍ବରୁ ଆସନ୍ତା ବର୍ଷ ହେବାକୁଥିବା ଏସୀୟ କପ୍ ଲାଗି ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତୀୟ ଦଳ ଗ୍ରୁପ୍-ବି’ର ଅନ୍ତିମ ମ୍ୟାଚ୍ରେ ଶୀର୍ଷରେ ଥିବା ହଂକଂକୁ ୪-୦ ଗୋଲ୍ରେ ପରାସ୍ତ କରିଛି। ଏଥି ସହିତ ଗ୍ରୁପ୍ ବିଜେତା ମଧ୍ୟ ହୋଇଯାଇଛି। ମଙ୍ଗଳବାର ମ୍ୟାଚ୍ରେ ୨୧ ବର୍ଷ ବୟସ୍କ ସେଣ୍ଟରବ୍ୟାକ୍ ଅନ୍ୱର ଅଲ୍ଲୀ ଭାରତ ପାଇଁ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦଳ ବାହାରେ ରହିଥିବା ୨୦୧୭ ୧୭ ବର୍ଷରୁ କମ୍ ବିଶ୍ବକପ୍ ତାରକା ଅନ୍ୱର ୪ ବର୍ଷ ପରେ ପ୍ରଥମ ଆନ୍ତର୍ଜାତିକ ଗୋଲ୍ କରିଥିଲେ। ଦ୍ବିତୀୟ ମିନିଟ୍ରେ ଅନ୍ୱରଙ୍କ ଗୋଲ୍ ପରେ ସୁନିଲ ଛେତ୍ରୀଙ୍କ ୪୫ ମିନିଟ୍ ଗୋଲ୍ ବଳରେ ଭାରତ ୨-୦ର ଅଗ୍ରଣୀ ପାଇଥିଲା। ମଧ୍ୟାନ୍ତର ସୁଦ୍ଧା ୨-୦ ସ୍ଥିତିରେ ରହିଥିବା ଭାରତ ପାଇଁ ଦ୍ବିତୀୟାର୍ଦ୍ଧରେ ଆଉ ଦୁଇଟି ଗୋଲ୍ ମାନବୀର ସିଂହ ଏବଂ ଈଶାନ ପଣ୍ଡିତ କରିଥିଲେ। ମାନବୀର ୮୫ ମିନିଟ୍ରେ ଏବଂ ଇଶାନ ୯୦+୩ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ କରିବାରୁ ଭାରତ ୪-୦ ବିଜୟ ସହ ମ୍ୟାଚ୍ରୁ ପୂରା ୩ ପଏଣ୍ଟ କରାୟତ୍ତ କରିନେଇଥିଲା। ଫଳରେ ଭାରତ ସର୍ବାଧିକ ୯ ପଏଣ୍ଟ ସହ ଗ୍ରୁପ୍ ବିଜେତା ହୋଇଥିଲା ବେଳେ ହଂକଂ ୬ ପଏଣ୍ଟ ସହ ଦ୍ବିତୀୟକୁ ଖସି ଯାଇଥିଲା।
ଛେତ୍ରୀଙ୍କ ୮୪ତମ ଆନ୍ତର୍ଜାତିକ ଗୋଲ୍: ପୁସ୍କାଙ୍କ ସମକକ୍ଷ
ହଂକଂ ବିପକ୍ଷରେ ଏକମାତ୍ର ଗୋଲ୍ କରିଥିଲେ ସୁନିଲ ଛେତ୍ରୀ। ଏହା ଥିଲା ଛେତ୍ରୀଙ୍କ ୮୪ତମ ଆନ୍ତର୍ଜାତିକ ଗୋଲ୍। ଫଳରେ ସେ ହଙ୍ଗେରିର ମହାନ୍ ତାରକା ଫେରେଙ୍କ୍ ପୁସ୍କାଙ୍କ ସର୍ବକାଳୀନ ଅଗ୍ରଣୀ ଆନ୍ତର୍ଜାତିକ ଗୋଲ୍ ସ୍କୋର୍ର ସମକକ୍ଷ ହୋଇଥିଲେ। ଛେତ୍ରୀ ମଧ୍ୟ ଏହା ବଳରେ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍ ସ୍କୋରର୍ଙ୍କ ତାଲିକାର ଶ୍ରେଷ୍ଠ ୫ ମଧ୍ୟରେ ସାମିଲ ହୋଇଥିଲେ। ଏବେ ଛେତ୍ରୀ ସକ୍ରିୟ ଖେଳାଳି ଭାବେ ଆର୍ଜେଣ୍ଟିନାର ମହାନ୍ ତାରକା ଲିଓନେଲ ମେସିଙ୍କଠୁ ଆଉ ମାତ୍ର ୨ ଗୋଲ୍ ପଛରେ ରହିଛନ୍ତି। ଏହି ତାଲିକାରେ ପର୍ତୁଗାଲ ତାରକା କ୍ରିଷ୍ଟିଆନ୍ ରୋନାଲ୍ଡୋ (୧୧୭ ଗୋଲ୍) ଶୀର୍ଷରେ ରହିଛନ୍ତି।