ଏସୀୟ ସେଲିଂ ବି‌ଜୟିନୀ ଏବେ କରୋନା ଯୋଦ୍ଧା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ସେଲିଂ ରୌପ୍ୟ ବିଜୟିନୀ ସ୍ବେତା ଶେର୍ଭଗର ଏବେ କରୋନା ‌‌ଯୋଦ୍ଧା ପାଲଟି ଯାଇଛନ୍ତି। ସ୍ବେତା ୨୦୧୮ ଏସୀୟ କ୍ରୀଡ଼ା ୪୯ଇଆର୍‌ ଏଫ୍‌ଏକ୍ସ କ୍ଲାସ୍‌ ରୌପ୍ୟ ବିଜେତା ଦୁଇ ଜଣିଆ ମହିଳା ଦଳର ସଦସ୍ୟା ଥିଲେ। ହୋମିଓପାଥି ଯୋଗ୍ୟତା ଅର୍ଜନ କରିଥିବା ସ୍ବେତା ଏବେ କରୋନା ଲଢ଼େଇରେ ଦେଶ ସହ ଠିଆ ହୋଇଛନ୍ତି। ସଂପ୍ରତି ଅଲିମ୍ପିକ୍ସ ଯୋଗ୍ୟତା ସ୍ଥଗିତ ରହିବା ସହ ମହାମାରୀ ଯୋଗୁଁ ସେଲିଂ ମଧ୍ୟ ବନ୍ଦ ରହିଛି। ଫଳରେ ଲୋକମାନଙ୍କ ସେବା କରିବା ଲାଗି ସେ ସୁବର୍ଣ୍ଣ ସୁଯୋଗ ପାଇଛନ୍ତି। ଏସୀୟ କ୍ରୀଡ଼ା ପରେ ‌ଡାକ୍ତରୀ କାର୍ଯ୍ୟ ଉପରେ ଲକ୍ଷ୍ୟ ରଖିଥିଲି। ହେଲେ କ୍ରୀଡ଼ାରେ ବ୍ୟସ୍ତ ଥିବାରୁ ସମୟ ‌ଦେଇ ପାରିନଥିଲି। ଏବେ ଏଥିପାଇଁ ସୁଯୋଗ ପାଇଛି।

ମୁଁ ଚାହୁଁଥି‌ଲି ଏଭଳି ଅସୁବିଧା‌ ବେଳେ ସାଧାରଣ ଲୋକଙ୍କ ପାଇଁ କିଛି କରିବି। ସ୍ବେଚ୍ଛାକୃତ ଭାବେ ଏଭଳି ଲୋକଙ୍କୁ ସହଯୋଗ କରିବା ପାଇଁ ମୁଁ ବିଭିନ୍ନ ଅନୁଷ୍ଠାନ ସହ ଯୋଗା‌‌ଯୋଗ କରିଥିଲି ବୋଲି ମୁମ୍ବାଇର ଏହି ଝିଅ କହିଛନ୍ତି। ଏହି ଜାତୀୟ ଜରୁରୀକାଳିନ ପରିସ୍ଥିତିରେ ସ୍ବାସ୍ଥ୍ୟକର୍ମୀମାନେ କରୋନା ପୀଡ଼ିତ ସେବାରେ ରହିଛନ୍ତି। ଫଳରେ ଅବହେଳା କରି ନହେଲା ଭଳି ରୋଗ ଯେପରିକି ହୃଦରୋଗ, ମଧୁ‌ମେହ, ଉଚ୍ଚ ରକ୍ତଚାପ ପୀଡ଼ିତଙ୍କୁ ସହଯୋଗ କରିବାକୁ ଚିନ୍ତା କଲି। ମୁଁ ପ୍ରତିଦିନ ବିଭିନ୍ନ ସ୍ଥାନ ବୁଲି ଯେଉଁମାନଙ୍କ ଦରକାର ସେମାନଙ୍କୁ ସାଧାରଣ ସ୍ବାସ୍ଥ୍ୟ ସୁବିଧା ଯୋଗାଇଲି। ଦକ୍ଷିଣ ମୁମ୍ବାଇର ଏକ କ୍ଲିନିକ୍‌ରେ ସକାଳ ୯ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦିନକୁ ୨୦୦ରୁ ୩୦୦ ଲୋକଙ୍କୁ ସେବା ଦେଉଛି ବୋଲି ସ୍ବେତା ପ୍ରକାଶ କରିଛନ୍ତି। ସେ ମଧ୍ୟ ଦକ୍ଷିଣ ମୁମ୍ବାଇରେ ଥିବା ବିଭିନ୍ନ ଦାତବ୍ୟ ଅନୁଷ୍ଠାନରେ ଥିବା ଅନ୍ତେବାସୀଙ୍କୁ ସାବୁନ, ସାନିଟାରି ପ୍ୟାଡ୍ସ ପ୍ରଦାନ କରିଛନ୍ତି। ଉଭୟ ଖେଳ ଓ ଡାକ୍ତରୀ ପେସାକୁ ନେଇ ସେ ଗର୍ବିତ ବୋଲି କହିଥିଲା ‌ବେଳେ ଆସନ୍ତା ବର୍ଷ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟ ରଖିଛନ୍ତି। ଆମ ସମ୍ମୁଖରେ ଗୁଡ଼ିଏ ବାଧା ରହିଛି। ଯେପରିକି ଅର୍ଥ ଏବଂ କ୍ରୀଡ଼ା ଉପକରଣ। ତଥାପି ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ରହିଛି। ମୁଁ ଏବଂ ମୋ ପରିବାର ଆମ ସକ୍ଷମ ଅନୁଯାୟୀ ଲକ୍ଷ୍ୟ ହାସଲ ପାଇଁ ସବୁ ପ୍ରକାର ଚେଷ୍ଟା କରୁଛୁ। ମୁଁ ମଧ୍ୟ ୨୦୨୪ ଅଲିମ୍ପିକ୍ସ ଅଶାୟୀ ରହିଛି ବୋଲି ସ୍ବେତା କହିଛନ୍ତି।

ସମ୍ବନ୍ଧିତ ଖବର