କ୍ରୀଡ଼ା‌ବିଭାଗ ସମ୍ମୁଖରେ ଧାରଣା ଦେବେ ପାରା ଆଥଲେଟ୍‌: ପାରା ଆଥଲେଟ୍‌ଙ୍କ ଦୁଃଖ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ରାଜସ୍ଥାନ, ହରିୟାଣା ଭଳି ଓଡ଼ିଶାରେ ବି ଆମକୁ ଚାକିରି ମିଳୁ, ଲିଖିତ ପ୍ରତିଶ୍ରୁତି ନମିଳିଲେ କ୍ରୀଡ଼ା ଦିବସକୁ କଳା ଦିବସ ଭାବେ ପାଳିବେ

ଭୁବନେଶ୍ବର: ‘‘ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଓ ବିହାର ଭଳି ରାଜ୍ୟରେ ପାରା ଆଥଲେଟ୍‌ମାନଙ୍କୁ ସରକାରୀ ନିଯୁକ୍ତି ଯୋଗାଇ ଦିଆଯାଉଛି। ଓଡ଼ିଶାରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଉ। ଓଡ଼ିଶା ସଂପ୍ରତି କ୍ରୀଡ଼ାବିକାଶ ପାଇଁ ବହୁ ଦୃଷ୍ଟାନ୍ତମୂଳକ ଓ ପ୍ରଶଂସନୀୟ ପଦକ୍ଷେପ ନେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାର ରାଜ୍ୟର ଖେଳାଳିଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଦେଉଛନ୍ତି। ବିଭିନ୍ନ ‌ଖେଳକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଆମ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସହୃଦୟତା ଦେଖାନ୍ତୁ। ଆମେ ଜାଣିଛୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଖେଳ ପ୍ରତି ଅତିପ୍ରଗାଢ଼ ଭଲପାଇବା ଅଛି। ତାଙ୍କ ମାର୍ଗଦର୍ଶନରେ ଓଡି଼ଶାରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତଭୂମି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡିଶା ଆଜି ଭାରତର କ୍ରୀଡ଼ା କ୍ୟାପିଟାଲ ବୋଲାଉଛି। ଏଣୁ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଆମ ପାଇଁ ବି କର୍ମନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରାଯାଉ। ଦୀର୍ଘବର୍ଷ ହେବ ଘୋର ଆର୍ଥିକ ଅନଟନ ଏବଂ ତୀବ୍ର ବେକାରି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ପାରା ଖେଳାଳିଙ୍କୁ ତାଙ୍କ ନାର୍ଯ୍ୟ ସମ୍ମାନ ଓ ଚାକିରି କ୍ଷେତ୍ରରେ ସମାନତା ଅଧିକାର ଦେବାକୁ କ୍ରୀଡ଼ାବିଭାଗକୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଆମେ ଏହି ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରୁଛୁ’’ ପାରାଲିମ୍ପିକ୍ସ ସହ ବହୁ ଅନ୍ତର୍ଜାତୀୟ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମାଳମାଳ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବା ସତ୍ତ୍ବେ ଚାକରି ଖଣ୍ଡେ ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ରାଜ୍ୟର ପାରା ଆଥଲେଟ୍‌ମାନେ ସୋମବାର ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଆଗାମୀ ୭ ଦିନ ମଧ୍ୟରେ କ୍ରୀଡ଼ାବିଭାଗ ନିଯୁକ୍ତି ବ୍ୟବସ୍ଥା ନେଇ ଲିଖିତ ପ୍ରତିଶ୍ରୁତି ନଦେଲେ ୨୯ ଅଗଷ୍ଟ କ୍ରୀଡ଼ା ଦିବସକୁ ଶାନ୍ତିପୂର୍ଣ୍ଣ ଭାବେ କଳାଦିବସ ପାଳନ କରିବା ସହ ପରଦିନଠାରୁ ଅର୍ଥାତ୍ ଅଗଷ୍ଟ ୩୦ରୁ ଆମେ କ୍ରୀଡ଼ା ବିଭାଗ ସମ୍ମୁଖରେ ଗଣଧାରଣାରେ ବସିବୁ ବୋଲି ଫୋରମର କର୍ମକର୍ତ୍ତା ଏହି ଅବସରରେ ଘୋଷଣା କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଫୋରମର ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା କହିଥିଲେ ଯେ ଖେଳାଳିଙ୍କ ଆର୍ଥିକ ନିରାପତ୍ତା ପାଇଁ ରାଜ୍ୟ ସରକାର ଜିଏଡି-ଏସ୍‌ସି-ରୁଲ୍ସ-୦୦୧୭-୨୦୧୬-୧୦୬୫୦ ତା ୬-୫-୨୦୧୬ରେ ଖେଳାଳିଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ବହୁ ସାଧାରଣ ଖେଳାଳିଙ୍କୁ ସରକାରୀ ଚାକିରି ପ୍ରଦାନ କରାଯାଇଥିଲେ ମଧ୍ୟ ପାରା ଖେଳାଳିମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇ ନାହିଁ। ଆମ ରାଜ୍ୟରେ ପାରା ଖେଳାଳିମାନେ ଆଥଲେଟିକ୍ସ, ବ୍ୟାଡ଼ମିଣ୍ଟନ୍‌, ହ୍ୱିଲଚେୟାର ଅସିଚାଳନା ଓ ଦୃଷ୍ଟିହୀନ ଚେସ୍ ଆଦିରେ ବହୁ ପାରଦର୍ଶିତା ଲାଭ କରିଛନ୍ତି। କିନ୍ତୁ ପ୍ରୋତ୍ସାହନର ଅଭାବରୁ ସେମାନେ ଆଗେଇପାରୁ ନାହାଁନ୍ତି। ଏପରିକି ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ୨୦୧୯ରେ ଅର୍ଜ୍ଜୁନ ପୁରସ୍କାର ପାଇଥିଲେ ମଧ୍ୟ ଓଡ଼ିଶା ସରକାର ତାଙ୍କୁ ଚାକିରି ଖଣ୍ଡିଏ ଦେଇନାହାନ୍ତି। ଏଥିନେଇ ଆମେ କ୍ରୀଡ଼ା ବିଭାଗକୁ ଯାଇ ବାରମ୍ବାର ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ ଆମ କଥା ଏପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି। ଏହି ପ୍ରତିବାଦରେ ୨୦୧୯ ଜାନୁଆରି ୨ ତାରିଖରେ ଗଣଧାରଣାରେ ବସିଥିଲୁ। କ୍ରୀଡ଼ା ବିଭାଗର ତତ୍‌କାଳୀନ ଯୁଗ୍ମ ସଚିବ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଗଣଧାରଣାରୁ ଉଠାଇ ଦେଇଥିଲେ। ହେଲେ ଦୁଃଖର କଥା ଯେ ସେହିଦିନରୁ ଆଜି ପ୍ରର୍ଯ୍ୟନ୍ତ ଆମର କୌଣସି ପିଲାଙ୍କୁ ଚାକିରି ପ୍ରଦାନ କରାଯାଇ ନାହିଁ।

ଆମକୁ ଲାଗୁଛି ଆମ କଥା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିକ୍‌ରେ ପହଞ୍ଚୁନି। କାରଣ ଆମେ ଗତ ୬ ବର୍ଷ ହେଲା ଚାକିରି ପାଇଁ କ୍ରୀଡ଼ା ବିଭାଗର ଦ୍ୱାରସ୍ଥ ହେଲେ ବି ସେମାନେ ସମ୍ଭବତଃ ସଠିକ୍ ତଥ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଅତୀତରେ ପାରାଖେଳାଳିଙ୍କୁ ଚାକିରି ଦେବେ ବୋଲି ଘୋଷଣା କରିଥିଲେ। କ୍ରୀଡ଼ା ବିଭାଗର ଉପରିସ୍ଥ ଅଧିକାରୀମାନେ ଏହାକୁ ନିୟମିତ ଭାବେ ଅଣଦେଖା କରୁଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଖେଳାଳି ଫୋରମର ସଂପାଦକ ରାଖାଲ କୁମାର ସେଠୀ ଓ ଯୁଗ୍ମ ସଂପାଦକ ସୁନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର