କଟକ: ବାରବାଟୀରେ ପ୍ରଥମ ଥର ହେଉଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଆରମ୍ଭରୁ ଉତ୍ସାହ ନଥିଲା। ଆୟୋଜକଙ୍କ ଆଗ୍ରହର ଅଭାବ ହେଉ କିମ୍ବା ଖାମଖିଆଲ ମନୋଭାବ, ଏକ କ୍ରିକେଟ୍ ମ୍ୟାଚ୍ ଆୟୋଜନ ପଛରେ ଯେତିକି ଆନ୍ତରିକତା ରହିବା କଥା ତାହା ଏହି ପ୍ରତିଯୋଗିତା ପରିପ୍ରେକ୍ଷୀରେ ରହୁନଥିବା ଦେଖାଯାଉଥିଲା। ଯେଉଁଥିପାଇଁ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଟିକେଟ୍ କିଣିବାକୁ ଦର୍ଶକଙ୍କ ଭିତରେ ସେତେଟା ଉତ୍ସାହ ରହୁନଥିଲା। ପାଖାପାଖି ୮ ହଜାର ଟିକେଟ୍ ବିକ୍ରି ପାଇଁ ରଖାଯାଇଥିଲେ ବି ପ୍ରାୟ ୫୦୦ ଜଣ ଟିକେଟ୍ କିଣିଥିଲେ। କିନ୍ତୁ ମ୍ୟାଚ୍ ସମୟରେ ଟିକେଟ୍ କିଣିଥିବା ଦର୍ଶକଙ୍କ ଅପେକ୍ଷା ପାସ୍ଧାରୀଙ୍କ ଭିଡ଼ ଅଧିକ ଥିବା ଦେଖାଯାଉଥିଲା। ସୋମବାର ମ୍ୟାଚ୍ ବେଳେ ପ୍ରାୟ ୫ ହଜାର ଦର୍ଶକ ଷ୍ଟାଡିୟମରେ ଖେଳ ଉପଭୋଗ କରିଥିଲେ। ସେଥିରୁ କେବଳ ପାସ୍ ପାଇଁ ଉଦ୍ଦିଷ୍ଟ ଥିବା ଗ୍ୟାଲେରି ନମ୍ବର ୧, ସ୍ପେସାଲ ଏନ୍କ୍ଲୋଜର, ଗ୍ୟାଲେରି ନମ୍ବର ୫, ଓଲ୍ଡ ପାଭିଲିଅନ ଓ କର୍ପୋରେଟ ବକ୍ସରେ ଦର୍ଶକଙ୍କ ସଂଖ୍ୟା ଟିକେ ଅଧିକ ଥିଲା।
ପ୍ରଥମ ଶ୍ରେଣୀ ମ୍ୟାଚ ଅଭିଜ୍ଞତା ନଥାଇ ବି ଲିଜେଣ୍ଡ!
ଲିଜେଣ୍ଡ ଲିଗ୍ର ଆୟୋଜକ ଯେଉଁ ଉଦ୍ଦେଶ୍ୟ ନେଇ ଓମାନ୍ରୁ ଭାରତକୁ ଫେରିଥିଲେ, ତାହା ସଫଳ ହେଉନାହିଁ। ଏହାର ପ୍ରମୁଖ କାରଣ ହେଉଛି ଯେଉଁମାନେ ଆନ୍ତର୍ଜାତିକ ମ୍ୟାଚ୍ ଆଦୌ ଖେଳିନାହାନ୍ତି, ଏପରିକି ପ୍ରଥମ ଶ୍ରେଣୀ ମ୍ୟାଚ୍ର ଅଭିଜ୍ଞତା ନଥିବା ଖେଳାଳିମାନେ ଏହି ପ୍ରତିଯୋଗିତାରେ ଲିଜେଣ୍ଡର ଆଖ୍ୟା ପାଉଛନ୍ତି। ହେଲେ ଯେଉଁମାନେ ପ୍ରକୃତ ଲିଜେଣ୍ଡ ଅର୍ଥାତ୍ ସଚିନ ତେନ୍ଦୁଲକର, ବ୍ରାଏନ୍ ଲାରା, ସନଥ ଜୟସୁରିଆ, ମାଥ୍ୟୁ ହେଡେନ୍, ରାହୁଲ ଦ୍ରାବିଡ୍, ସୌରଭ ଗାଙ୍ଗୁଲି, ଅନିଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣ, ସୁରେଶ ରାଇନା, ଯୁବରାଜ ସିଂହଙ୍କ ଭଳି କିଂବଦନ୍ତି ଖେଳାଳି ଏହି ପ୍ରତିଯୋଗିତାରେ ନାହାନ୍ତି। ହେଲେ ଆଦୌ ଆନ୍ତର୍ଜାତିକ ଅଭିଜ୍ଞତା ନଥିବା ତନ୍ମୟ ଶ୍ରୀବାସ୍ତବ, ରାଜେଶ ବିଷ୍ଣୋଇ, ଦିନେଶ ସାଲୁଙ୍କେ, ଜେସଲ କାରିଆ, ପ୍ରଦୀପ ସାହୁ, ରବିକାନ୍ତ ଶୁକ୍ଳା, ଶିବକାନ୍ତ ଶୁକ୍ଳାଙ୍କ ଭଳି ଖେଳାଳିମାନଙ୍କୁ ଏଥିରେ ସାମିଲ କରାଯାଇଛି। ଯାହାକି ବାସ୍ତବ ଲିଜେଣ୍ଡଙ୍କ ପାଇଁ ଅପମାନ ସଦୃଶ ହୋଇଛି।
ଏଲ୍ଏଲ୍ସିରେ ତାଇବୁ ପ୍ରଥମ ଥର ଗର୍ଜିଲେ
ଜିମ୍ବାୱେର ପୂର୍ବତନ ୱିକେଟରକ୍ଷକ ବ୍ୟାଟର ତାତେନ୍ଦା ତାଇବୁ ପ୍ରଥମ ଥର ପାଇଁ ଏଲ୍ଏଲ୍ସିରେ ଗର୍ଜିଛନ୍ତି। ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ତାଇବୁ ଅର୍ଧଶତକ ଅର୍ଜନ କରିବା ସହ ୫୪ ରନ୍ କରି ଆଉଟ ହୋଇଥିଲେ। ପାଳି ଆରମ୍ଭରୁ ତାଙ୍କ ବ୍ୟାଟ୍ରୁ ଚୌକା, ଛକାର ବର୍ଷା ଦେଖିବାକୁ ମିଳୁଥିଲା। ମାତ୍ର ୨୮ ବଲ୍ରୁ ସେ ଅର୍ଧଶତକ ଅର୍ଜନ କରିଥିଲା ବେଳେ ତାଙ୍କର ଏହି ପାଳି ଭିତରେ ସେ ୫ ଚୌକା ଓ ୪ ଛକା ମାରିଥିଲେ। ଜେସି ରାଇଡରଙ୍କ ସହ ମିଶି ସେ ପ୍ରଥମ ୱିକେଟରେ ୧୦୯ ରନ୍ ଯୋଡ଼ିବା ପରେ ଆଉଟ ହୋଇଥିଲେ।
ଶ୍ରୀଶନ୍ତ, ସାମି ଖେଳିଲେନି
ବାରବାଟୀର ପ୍ରଥମ ଏଲ୍ଏଲ୍ସି ମ୍ୟାଚରେ ଯେଉଁ ତାରକାଙ୍କୁ ଦେଖିବାକୁ ଦର୍ଶକ ଆଶା ରଖିଥିଲେ ସେମାନେ ତ ପ୍ରତିଯୋଗିତାରେ ନଥିଲେ। ହେଲେ ଯେତିକି ତାରକା ଥିଲେ ସେମାନଙ୍କୁ ପଡ଼ିଆ ଭିତରେ ଦେଖିବାକୁ ମିଳିନଥିଲା। ଚୂଡ଼ାନ୍ତ ଏକାଦଶ ଚୟନ ପରେ ଭିଲୱାରା କିଙ୍ଗ୍ସରୁ ଏସ୍.ଶ୍ରୀଶନ୍ତ, ନିକ୍ କମ୍ପଟନ୍ ଏବଂ ମଣିପାଲ ଟାଇଗର୍ସର ଡାରେନ୍ ସାମିଙ୍କୁ ବାହାରେ ରଖାଯାଇଥିଲା। ଫଳରେ ଏମାନଙ୍କ ବୋଲିଂର କରାମତି ଦେଖିବାକୁ ଦର୍ଶକମାନେ ଆଗ୍ରହ ରଖିଥିଲେ ବି ଆୟୋଜକ ସମସ୍ତଙ୍କୁ ନିରାଶ କରିଥିଲେ। କିନ୍ତୁ ଏମାନଙ୍କୁ ବସାଇ ଉଭୟ ଦଳରେ ଦୁଇ ଜଣ ଲେଖାଏଁ ଆନ୍ତର୍ଜାତିକ ଅଭିଜ୍ଞତା ନଥିବା ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।