ଟେଲରଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଷ୍ଟାଡିୟମ୍‌ରୁ ତଡ଼ାଖାଇଲେ ଦର୍ଶକ

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲରଙ୍କୁ ଅଶାଳୀନ ଓ ‌ରଙ୍ଗଭେଦଭରା ମନ୍ତବ୍ୟ ଦେଇ ଦୁଇ ଜଣ ଦର୍ଶକ ଏଜିସ୍ ବାୱେଲ ଷ୍ଟାଡିୟମ୍ ଗ୍ୟାଲେରିରୁ ତଡ଼ା ଖାଇଥିଲେ। ଆଇସିସି ଏହି ବିଷୟ ସୁରକ୍ଷାକର୍ମୀଙ୍କୁ ଜଣାଇବା ପରେ ସେମାନେ ତୁରନ୍ତ ଉପଦ୍ରବକାରୀ ଦୁଇ ଦର୍ଶକଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଷ୍ଟାଡିୟମ୍ ବାହାରକୁ ନେଇ ଯାଇଥିଲେ। ଏହି ଦୁଇ ଜଣ ଦର୍ଶକ ବାରମ୍ବାର ଟେଲରଙ୍କୁ ଟାହି ଟାପରା କରିବା ପରେ ଜଣେ କ୍ରିକେଟ୍‌ପ୍ରେମୀ ଟ୍ବିଟ୍ କରି ଏହି ବିଷୟରେ ଆଇସିସିର ଧ୍ୟାନ ଆକର୍ଷଣ କରିଥିଲେ। ଏହାପରେ ହିଁ ସୁରକ୍ଷାକର୍ମୀ ସଂପୃକ୍ତ ଦର୍ଶକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଘଟଣା ବିଷୟରେ ଜଣାଇଥିବାରୁ ଆଇସିସି ମଧ୍ୟ ସଂପୃକ୍ତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲା। ଏଭଳି ବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଆଇସିସି ମୁଖପାତ୍ର ନିଜ ପ୍ରତିକ୍ରିୟାରେ ଚେତାବନୀ ଦେଇଥିଲେ। ଘଟଣା ବିଷୟରେ କିଛି ଜାଣି ନଥିବା କିନ୍ତୁ ଖେଳ ‌ଶେଷ ହେବା ପରେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍ ସାଉଦି କହିଥିଲେ। ‘‘ପ୍ରଥମ ଥର ପାଇଁ ମୁଁ ଏକଥା ଶୁଣୁଛି। ପଡ଼ିଆ ଭିତରେ ଅନେକ କିଛି ଚାଲିଥାଏ। ଆମେ ଭଲ କ୍ରିକେଟ୍ ଖେଳିବାକୁ ଚାହୁଁଛୁ। ଏସବୁ କଥା ଉପରେ ସମୟ ନଷ୍ଟ କରିବାକୁ ଚାହୁନୁ’’ ବୋଲି ସେ ମନ୍ତବ୍ୟ ଦେଇଥିଲେ। ସେପଟେ ଘଟଣା ବିଷୟରେ ଆଇସିସି ସହ କଥାବାର୍ତ୍ତା ଚାଲିଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜ ପ୍ରତିକ୍ରିୟାରେ କହିଛି।

ସମ୍ବନ୍ଧିତ ଖବର