ଗ୍ରାଣ୍ଡ୍‌ ସ୍ଲାମ୍‌ ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ ସପ୍ତାହ ଧରି ପ୍ରତିଯୋଗିତାକୁ ଦେଖିଲେ ୯ ଲକ୍ଷରୁ ଅଧିକ ଦର୍ଶକ

ମେଲ୍‌ବର୍ଣ୍ଣ: ଚଳିତ ବର୍ଷର ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଦର୍ଶକ ରେକର୍ଡ ଭାଙ୍ଗିଦେଇଛି। ଦୁଇ ବର୍ଷ ଧରି କୋଭିଡ୍‌-୧୯ କଟକଣା ଯୋଗୁଁ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଆୟୋଜନ ହୋଇପାରିନଥିଲା ବେଳେ ଏଥିରୁ ମୁକୁଳି ଚଳିତ ବର୍ଷ ଷ୍ଟାଡିୟମ୍‌ରେ ପୂରା ଦର୍ଶକଙ୍କୁ ଖେଳ ଦେଖିବାର ସୁଯୋଗ ମିଳିଥିଲା। ଫଳରେ ଅଷ୍ଟ୍ରେଲିଆନ୍‌ ଓପନ୍‌କୁ ତିନି ସପ୍ତାହରୁ ଅଧିକ ସମୟ ଧରି ୯ ଲକ୍ଷରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ। ମେଲ୍‌ବର୍ଣ୍ଣ ପାର୍କରେ ଏଥର ରେକର୍ଡ ସଂଖ୍ୟକ ଦର୍ଶକ (୯, ୦୨, ୩୧୨)ଙ୍କ ଉପସ୍ଥିତି ରହିଥିଲା। ସେମଧ୍ୟରୁ ଯୋଗ୍ୟତାପର୍ଯ୍ୟାୟ ଇଭେଣ୍ଟକୁ ୬୦,୦୦୦ରୁ ଅଧିକ ଦର୍ଶକ ଦେଖିଥିଲା ବେଳେ ଜାନୁଆରି ୧୬ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପର୍ଯ୍ୟାୟକୁ ୮ ଲକ୍ଷ ୩୯ ହଜାର ୧୯୨ ଦର୍ଶକ ଦେଖିଥିଲେ। ଏହା ମଧ୍ୟ ଏକ ରେକର୍ଡ। ଯାହାକି ୨୦୨୦ ଜାନୁଆରିରେ ୮ ଲକ୍ଷ ୧୨ ହଜାର ୧୭୪ ଦର୍ଶକ ସଂଖ୍ୟାର ରେକର୍ଡକୁ ପଛରେ ପକାଇ ଦେଇଛି।

ଏଥରର ସଂଖ୍ୟା ମଧ୍ୟ ଗତବର୍ଷର ଅନ୍ୟାନ୍ୟ ଗ୍ରାଣ୍ଡ୍‌ ସ୍ଲାମ୍‌ ମୁଖ୍ୟ ପର୍ଯ୍ୟାୟ ଦର୍ଶକ ସଂଖ୍ୟାକୁ ପଛରେ ପକାଇ ଦେଇଛି। ଗତବର୍ଷ ୱିମ୍ବଲଡନ୍‌ରେ ୫,୧୫, ୧୬୪, ଫ୍ରେଞ୍ଚ୍‌ ଓପନ୍‌ରେ ୬, ୧୩, ୫୦୦ ଏବଂ ୟୁଏସ୍‌ ଓପନ୍‌ରେ ୭, ୭୬, ୧୨୦ ଦର୍ଶକ ରହିଥିଲେ। ଚଳିତ ବର୍ଷର ଅଷ୍ଟ୍ରେଲିଆନ୍‌ ଓପନ୍‌ ଅବସରପ୍ରାପ୍ତ ସେରେନା ୱିଲିୟମ୍‌ସ, ରୋଜର ଫେଡେରର୍‌ ଏବଂ ଗତବର୍ଷର ବିଜେତା ଆସ୍‌ ବାର୍ଟିଙ୍କୁ ପାଇନଥିଲେ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ଦର୍ଶକ ସଂଖ୍ୟାର ରେକର୍ଡ ମଧ୍ୟ ବହନ କରିଥିଲା। କେବଳ ଜାନୁଆରି ୨୧ ତାରିଖ ଦିନ ହିଁ ମେଲ୍‌ବର୍ଣ୍ଣ ପାର୍କରେ ୯୪, ୮୫୪ ଦର୍ଶକ ଉପସ୍ଥିତ ଥିଲେ। ଯାହାକି ପୂର୍ବ ରେକର୍ଡ (୨୦୨୦) ୯୩, ୭୦୯କୁ ଟପି ଯାଇଥିଲା। ଏହା ଅଷ୍ଟ୍ରେଲିଆରେ ଟେନିସ୍‌ ପ୍ରତି ଲୋକପ୍ରିୟତାକୁ ପ୍ରମାଣିତ କରିଛି ବୋଲି କହିଛନ୍ତି ଟେନିସ୍‌ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌ ଟିଲେ। ଅଷ୍ଟ୍ରେଲିଆରେ ଟେନିସ୍‌ ହିଁ ସବୁଠୁ ବଡ଼ ବିକଳ୍ପ। ଫଳରେ ଆସନ୍ତାବର୍ଷ ଦର୍ଶକଙ୍କ ସଂଖ୍ୟା ଏକ ନିୟୁତ ଟପିଯିବ ବୋଲି ଟିଲେ ଆଶା ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ଏହାର ଆରମ୍ଭ ଥିଲା। ଆଗକୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏଥର ପୁରୁଷ ବର୍ଗରେ ଷ୍ଟିଫାନେସ୍‌ ସିସିପାସ୍‌ଙ୍କୁ ପରାସ୍ତ କରି ସର୍ବିୟା ତାରକା ନୋଭାକ ଜୋକୋଭିକ୍‌ ଦଶମ ଥର ପାଇଁ ମେଲ୍‌ବର୍ଣ୍ଣ ପାର୍କରେ ଟ୍ରଫି କରାୟତ୍ତ କରି ମୋଟ ୨୨ ଗ୍ରାଣ୍ଡ୍‌ ସ୍ଲାମ୍‌ ହାସଲରେ ରାଫେଲ ନାଦାଲଙ୍କ ସମକକ୍ଷ ହୋଇଥିଲେ। ସେ ମଧ୍ୟ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ଫେରିପାଇଥିଲେ। ଅନ୍ୟପକ୍ଷରେ ମହିଳା ବର୍ଗରେ ଏଲିନା ରିବାକିନାଙ୍କୁ ପରାସ୍ତ କରି ଆରିନା ସାବାଲେଙ୍କା କ୍ୟାରିୟରର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର