ଅହମଦାବାଦ: ପ୍ରଥମ କ୍ବାଲିଫାୟର୍ରେ ଆଇପିଏଲ୍ର ଦୁଇ ଦ୍ରୁତ ରନ୍ ସଂଗ୍ରହକାରୀ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍) ମଙ୍ଗଳବାର ମୁହାଁମୁହିଁ ହେବେ। ଏହି ମହାଟକ୍କର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଉଭୟ କେକେଆର୍ ଓ ଏସ୍ଆର୍ଏଚ୍ରେ ଏକାଧିକ ଦୁର୍ଦ୍ଧର୍ଷ ବ୍ୟାଟର୍ ଥିବାରୁ ମଙ୍ଗଳବାର ଏଠାରେ ହେବାକୁ ଥିବା ରନ୍ ଭୋଜିକୁ ନେଇ କ୍ରିକେଟ୍ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। ଦୁଇ ଦଳର ଖେଳାଳି ମଧ୍ୟ ସୋମବାର ନେଟ୍ସରେ ଝାଳ ବୁହାଇ ଏହି ବଡ଼ ମୁକାବିଲା ପାଇଁ ପୂରା ପ୍ରସ୍ତୁତ।
ଅନ୍ୟପକ୍ଷରେ ଲାଲ୍ କିମ୍ବା କଳା ମାଟିରେ ପ୍ରସ୍ତୁତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ପିଚ୍ କିନ୍ତୁ ସେମାନଙ୍କର କଡ଼ା ପରୀକ୍ଷା ନେବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ଅବଶ୍ୟ ଏହି ପ୍ରତୀକ୍ଷିତ ଲଢ଼େଇ ପୂର୍ବରୁ କେକେଆର୍ ଓପନର୍ ଫିଲ୍ ସଲ୍ଟ ସ୍ବଦେଶ ଫେରିଯାଇଛନ୍ତି। ତଥାପି ଦଳ ପାଖରେ ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ, ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଭଳି ବ୍ୟାଟିଂ ବୀର ଅଛନ୍ତି। ସଲ୍ଟଙ୍କ ସ୍ଥାନ ଆଫଗାନ ୱିକେଟ୍ ରକ୍ଷକ ରହମନୁଲ୍ଲା ଗୁରବାଜ୍ ନେବେ ବୋଲି ଦଳ ସ୍ପଷ୍ଟ କରିଛି। ଅଭିଷେକ ଶର୍ମା, ହେନରିକ୍ କ୍ଲାସେଁଙ୍କ ଭଳି ବିସ୍ଫୋରକ ବ୍ୟାଟର୍ ଥିବାରୁ ଏସ୍ଆରଏଚ୍ର ବ୍ୟାଟିଂ ବାହିନୀ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ରାହୁଲ ତ୍ରିପାଠୀଙ୍କୁ ଖେଳାଇ ଏସ୍ଆରଏଚ୍ ମଧ୍ୟ ନିଜ ବ୍ୟାଟିଂକ୍ରମକୁ ଆହୁରି ସୁଦୃଢ଼ କରିଛି। ଏଭଳି ସ୍ଥିତିରେ ବୋଲିଂ ହିଁ ଦୁଇ ଦଳ ମଧ୍ୟରେ ମୁଖ୍ୟ ଫରକ ହେବ ବୋଲି ଆକଳନ କରାଯାଉଛି। ଦଳଗତ ଲଢ଼େଇ ସହ ଏହି ମ୍ୟାଚ୍ରେ ଏକାଧିକ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ରିଙ୍କୁ ସିଂହ-ଟି ନଟରାଜନ, ବରୁଣ ଚକ୍ରବର୍ତ୍ତୀ-ହେନରିକ୍ କ୍ଲାସେଁ, ଟ୍ରାଭିସ୍ ହେଡ୍-ସୁନୀଲ ନାରାୟଣ, ଭୁବନେଶ୍ବର କୁମାର-ସୁନୀଲ ନାରାୟଣ, ଭେଙ୍କଟେଶ ଆୟର-ପ୍ୟାଟ୍ କମିନ୍ସଙ୍କ ମଧ୍ୟରେ ଜୋରଦାର ମୁକାବିଲା ହେବ ବୋଲି ଆଶା କରାଯାଉଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମୁକାବିଲାକୁ କେକେଆର୍ ରୋମାଞ୍ଚକ ଭାବେ ୪ ରନ୍ରେ ଜିତି ନେଇଥିଲା। ଏଣୁ ଆତ୍ମବିଶ୍ବାସରେ ଭରପୂର ଏସ୍ଆରଏଚ୍ ପାଖରେ ଏହାର ମଧୁର ପ୍ରତିଶୋଧ ସହ ଫାଇନାଲ୍ ଟିକେଟ ହାତେଇବାର ସୁଯୋଗ ରହିବ। କୋଲକାତା ମଧ୍ୟ ଚତୁର୍ଥ ଥର ଲାଗି ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
ସମ୍ଭାବ୍ୟ କୋଲକାତା ନାଇଟ୍ ରାଇଡର୍ସ: ସୁନୀଲ ନାରାୟଣ, ରହମନୁଲ୍ଲା ଗୁରବାଜ୍, ଶ୍ରେୟସ୍ ଆୟର (ଅଧିନାୟକ), ଭେଙ୍କଟେଶ ଆୟର, ନୀତୀଶ ରାଣା, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମିଚେଲ ଷ୍ଟାର୍କ, ଅନୁକୁଲ ରୟ/ବୈଭବ ଅରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ସନ୍ରାଇଜର୍ସ ହାଇଦ୍ରାବାଦ: ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନୀତୀଶ କୁମାର ରେଡ୍ଡୀ, ହେନରିକ୍ କ୍ଲାସେଁ, ଶାହବାଜ ଅହମଦ, ଅବଦୁଲ ସମଦ, ସନବୀର ସିଂହ, ପ୍ୟାଟ୍ କମିନ୍ସ (ଅଧିନାୟକ), ଭୁବନେଶ୍ବର କୁମାର, ବି. ବିଜୟକାନ୍ତ, ଟି. ନଟରାଜନ।