ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ ଆହ୍ବାନ କଲା ବିସିସିଆଇ: ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ମଧ୍ୟ ବଦଳି ପାରନ୍ତି

ମୁମ୍ବାଇ: ପୂର୍ବତନ ଅଧିନାୟକ ତଥା ମିଷ୍ଟର ଡିପେଣ୍ଡେବଲ ରାହୁଲ ଦ୍ରାବିଡ଼ ଭାରତୀୟ ବରିଷ୍ଠ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିବାକୁ ସମ୍ମତି ପ୍ରକାଶ କରିଥିବାର ଖବର ପଦାକୁ ଆସିବାର ଦିନକ ପରେ ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସହ ଅନ୍ୟାନ୍ୟ ପଦ ପାଇଁ ରବିବାର ଆବେଦନ ଆହ୍ବାନ କରିଛି। ତା ସହ ଭାରତୀୟ ଦଳର ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଏବଂ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର କ୍ରୀଡ଼ା ବିଜ୍ଞାନ ଓ ସ୍ବାସ୍ଥ୍ୟ ମୁଖ୍ୟ ପାଇଁ ମଧ୍ୟ ଆବେଦନ ଆହ୍ବାନ କରିଛି ବିସିସିଆଇ। ଏହି ସବୁ ପଦ ଲାଗି ଆବେଦନର ଶେଷ ତାରିଖ ଚଳିତ ମାସ ୨୬ ତାରିଖ ରଖାଯାଇଛି। ଦ୍ରାବିଡ଼ ଗତ ୬ ବର୍ଷ ହେବ ଭରତ ‘ଏ’ ଏବଂ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଦାୟିତ୍ବରେ ଥିଲେ। ସଂପ୍ରତି ସେ ଏନ୍‌ସିଏର ମୁଖ୍ୟ ଅଛନ୍ତି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କ ଅନୁରୋଧକ୍ରମେ ଦ୍ରାବିଡ଼ ଭାରତୀୟ ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିବାକୁ ରାଜି ହୋଇଯାଇଥିବା ଜଣାପଡ଼ିଛି। କେବଳ ଔପଚାରିକତା ପାଇଁ ବିସିସିଆଇ ଆବେଦନ ଆହ୍ବାନ କରିଥିବା ଅନୁମାନ କରାଯାଉଛି।

ଭାରତୀୟ ଦଳର ମୁଖ୍ୟ ପ୍ରଣିକ୍ଷକ ପଦ ପାଇଁ ଆବେଦନକାରୀଙ୍କର ଅନ୍ୟୂନ ୩୦ ଟେଷ୍ଟ୍ କିମ୍ବା ୫୦ ଦିନିକିଆ ଖେଳିଥିବା ସହ କୌଣସି ଜାତୀୟ ଦଳକୁ ୨ ବର୍ଷ ଅଥବା ଆଇପିଏଲ୍ ଦଳକୁ ୩ ବର୍ଷ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ଥିବାକୁ ବାଞ୍ଛନୀୟ କରାଯାଇଛି। ସେ ୧୪ରୁ ୧୬ ଜଣ ସପୋର୍ଟ ଷ୍ଟା‌ଫ୍‌ଙ୍କ ଦାୟିତ୍ବରେ ରହିବେ ବୋଲି କୁହାଯାଇଛି। ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଶୃଙ୍ଖଳା ସଂହିତାର ସମୀକ୍ଷା, ପରିଚାଳନା ଏବଂ ଏହାକୁ ଲାଗୁ କରିବା ଦାୟିତ୍ବ ତୁଲାଇବେ। ଅନ୍ୟ ସପୋର୍ଟ ଷ୍ଟାଫ୍‌ ପଦ ପାଇଁ ଆବେଦନକାରୀ ଅନ୍ୟୂନ ୧୦ ଟେଷ୍ଟ୍ କିମ୍ବା ୨୫ ଦିନିକିଆ ଖେଳିଥିବା ଦରକାର। ସେହିଭଳି ସେ ଆଇପିଏଲ୍ କିମ୍ବା କୌଣସି ଦେଶର ଏ’ ଦଳ ସହ ୩ ବର୍ଷ କାର୍ଯ୍ୟ କରିଥିବା ଦରକାର। ଜାତୀୟ ଦଳର ବିଭିନ୍ନ ପଦ ସହ ନିକଟରେ ଏନ୍‌ସିଏର କ୍ରୀଡ଼ା ବିଜ୍ଞାନ ଓ ସ୍ବାସ୍ଥ୍ୟ ମୁଖ୍ୟ ପଦରୁ ଆଶିଷ କୌଶିକ ଇସ୍ତଫା ଦେଇଥିବାରୁ ବିସିସିଆଇ ମଧ୍ୟ ଏହି ଖାଲି ସ୍ଥାନ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନରେ ରହିଛି।

ସୂଚନାଯୋଗ୍ୟ ଯେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଏବଂ ‌କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଆଉ ରହିବେ ନାହିଁ ବୋଲି ଶାସ୍ତ୍ରୀ ପୂର୍ବରୁ ଘୋଷଣା କରି ସାରିଥିଲା ବେଳେ ବିସିସିଆଇ ମଧ୍ୟ ତାଙ୍କ ସହ ଚୁକ୍ତି ନବୀକରଣ କରିବା ସପକ୍ଷରେ ନାହିଁ। ସେହିଭଳି ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ଚୁକ୍ତି ନବୀକରଣ ହେବାର ସମ୍ଭାବନା ବି ପ୍ରାୟ ନାହିଁ। ତାଙ୍କ ସ୍ଥାନରେ ଭାରତୀୟ ଏ’ ଏବଂ ୧୯ ବର୍ଷରୁ କମ୍ ଦଳର ବୋଲିଂ ପ୍ରଶିକ୍ଷକ ପାରସ ମାହା‌ମ୍ବ୍ରେ ବରିଷ୍ଠ ଦଳର ବୋଲିଂ ପ୍ରଶିକ୍ଷକ ହୋଇପାରନ୍ତି। କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଶ୍ରୀଧରଙ୍କ ସହ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବି ତାଙ୍କ ସ୍ଥାନ ବଜାୟ ରଖି ପାରନ୍ତି।

ସମ୍ବନ୍ଧିତ ଖବର