ଘରୋଇ ଋତୁକୁ କାଣ୍ଟଛାଣ୍ଟ କଲା ବିସିସିଆଇ, କେବଳ ରଣଜୀ ଟ୍ରଫି ଓ ଭିନୁ ମଙ୍କଡ଼ ଟ୍ରଫି ଖେଳାଯିବ

ଦଲୀପ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି, ସିକେ ନାଇଡୁ ଟ୍ରଫି ବାତିଲ ହେବ

ମୁମ୍ବାଇ: କରୋନା ସଙ୍କଟ ସାଙ୍ଗକୁ ଆଇପିଏଲ୍‌ର ସମ୍ଭାବନାକୁ ଆଖି ଅଗରେ ରଖି ବିସିସିଆଇ ଘରୋଇ କ୍ରିକେଟ୍ ଋତୁକୁ କାଣ୍ଟଛାଣ୍ଟ କରିଛି। ୫ରୁ ଅଧିକ ପ୍ରତିଯୋଗିତାକୁ ବାଦ୍ ଦେଇ ବାର୍ଷିକ ସୂଚୀକୁ ପୂର୍ବାପେକ୍ଷା ସଂକ୍ଷିପ୍ତ କରିଛି। ବିସିସିଆଇ ଆସନ୍ତା ଋତୁରେ ଦଲୀପ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫି ଭଳି ଲୋକପ୍ରିୟ ପ୍ରତିଯୋଗିତା ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛି। କେବଳ ରଣଜୀ ଟ୍ରଫି ଓ ୧୯ ବର୍ଷରୁ କମ୍ ଭିନୁ ମଙ୍କଡ଼ ଟ୍ରଫିକୁ ଘରୋଇ କ୍ରିକେଟ୍ ଋତୁରେ ସାମିଲ କରିବ ବୋଲି ସଙ୍କେତ ଦେଇଛି। ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା ବେଳେ ସୂଚୀରେ ଏହାକୁ ରଖିବାକୁ ଚେଷ୍ଟା ଚାଲିଛି। ତେବେ ସବୁକିଛି କରୋନା  ମହାମାରୀ ପରିସ୍ଥିତି ଉପରେ ନିର୍ଭର କରିବ ବୋଲି କହିଛି ବିସିସିଆଇ।

ସମୟର ଅଭାବ ଓ କରୋନା ପାଇଁ ରାଜ୍ୟ-ରାଜ୍ୟ ମଧ୍ୟରେ ଯାତ୍ରା କରିବା ଉପରେ ରହିଥିବା କଟକଣା ଲାଗି ରଣଜୀ ଟ୍ରଫି ବର୍ଷକ ପାଇଁ ତା’ର ପୁରୁଣା ରୂପକୁ ଫେରିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହି ଅନୁସାରେ ଦଳଗୁଡ଼ିକୁ ଜୋନାଲ ଢାଞ୍ଚା ଅର୍ଥାତ୍ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଓ କେନ୍ଦ୍ର ଏହିଭଳି ପାଞ୍ଚଟି ଜୋନରେ ବିଭକ୍ତ କରାଯାଇ ପ୍ରତିଦ୍ବନ୍ଦ୍ବିତା କରାଯିବ। ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକ ଜୋନ୍ ଭିତରେ ଖେଳାଯାଇ ବିଜେତା ବଛାଯିବ। ଏହାପରେ ପାଞ୍ଚଟି ଯାକ ଜୋନାଲ ବିଜେତାଙ୍କୁ ନେଇ ନକଆଉଟ୍ ପ୍ରତିଯୋଗିତାରୁ ରଣଜୀ ବିଜେତା ବଛାଯିବ। ନକ୍‌ଆଉଟ୍ ପ୍ରତିଯୋଗିତାର ରୂପରେଖ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥିଲା ବେଳେ ଆନୁଷ୍ଠାନିକ ନିଷ୍ପତ୍ତି ଆସନ୍ତା କିଛି ଦିନ ଭିତରେ ନିଆଯିବ। କରୋନା ସଂକ୍ରମଣର ଭୟକୁ ଦୂର କରିବା ଲାଗି ଖେଳାଳିଙ୍କ ସଙ୍ଗରୋଧ ଅବଧି ନେଇ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। ରଣଜୀ ଟ୍ରଫିର ଢାଞ୍ଚାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଏହି ପଦ୍ଧତିକୁ ୧୯ ବର୍ଷରୁ କମ୍ ଭିନୁ ମଙ୍କଡ଼ ଟ୍ରଫିରେ ମଧ୍ୟ ଉପଯୋଗ କରାଯିବ। ସଂପ୍ରତି ସୟଦ ମୁସ୍ତାକ ଅଲ୍ଲୀ ପ୍ରତିଯୋଗିତା ଆୟୋଜନ ନେଇ କ୍ଷୀଣ ସମ୍ଭାବନା ରହିଛି। ସବୁକିଛି କରୋନା ପରିସ୍ଥିତି ଉପରେ ନିର୍ଭର କରିବ  ବୋଲି ସଂପୃକ୍ତ ଅଧିକାରୀ ମତ ରଖିଛନ୍ତି। 

‘‘କ୍ରିକେଟରମାନେ ଆଇପିଏଲ୍‌ରୁ ଯେତିକି ଅର୍ଥ ରୋଜଗାର କରନ୍ତି, କୌଣସି ଘରୋଇ ପ୍ରତିଯୋଗିତାରୁ ସେତେ ଅର୍ଥ ଉପାର୍ଜନ କରିପାରନ୍ତିନାହିଁ। ଏ କ୍ଷେତ୍ରରେ ରଣଜୀ ଟ୍ରଫି ଦ୍ବିତୀୟ ସ୍ଥାନରେ ରହିବ। ଅର୍ଥାତ୍ ଆଇପିଏଲ୍ ପରେ ରଣଜୀ ଟ୍ରଫିରୁ ହିଁ ଖେଳାଳିମାନେ ଦ୍ବିତୀୟ ସର୍ବାଧିକ ଅର୍ଥ ରୋଜଗାର କରନ୍ତି। ଆଇପିଏଲ୍‌ରେ ୮ ଏବଂ ରଣଜୀ ଟ୍ରଫିରେ ୩୮ ଦଳ ଅଂଶଗ୍ରହଣ କରନ୍ତି। ଖେଳାଳିମାନେ ରଣଜୀ ଋତୁରେ ୧୦ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରନ୍ତି। କେତେକ ରାଜ୍ୟ ସଂଘ ପ୍ରାୟୋଜକ ଅର୍ଥକୁ ମଧ୍ୟ ଖେଳାଳିଙ୍କ ମଧ୍ୟରେ ବାଣ୍ଟନ୍ତି। ଅନେକ କ୍ରିକେଟରଙ୍କ ପାଇଁ ରଣଜୀ ଟ୍ରଫି ମଧ୍ୟ ଜୀବିକା ନିର୍ବାହର ଏକମାତ୍ର ପନ୍ଥା। ସେଥିପାଇଁ ବିସିସିଆଇ ରଣଜୀ ଟ୍ରଫି ଆୟୋଜନକୁ ସର୍ବାଧିକ ମହତ୍ବ ଦେଉଛି’’ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରଣଜୀ ଟ୍ରଫି ଖେଳୁଥିବା ମୋଟ ୩୮ ଦଳ ପକ୍ଷରୁ ୫୦୦ରୁ ଅଧିକ ଖେଳାଳି ଖେଳନ୍ତି। ରଣଜୀ ମାଧ୍ୟମରେ ଦଲୀପ ଟ୍ରଫି ଓ ଦେଓଧର ଟ୍ରଫିରେ ଅଂଶଗ୍ରହଣ କରନ୍ତି। ହେଲେ ଏହି ଦୁଇ ପ୍ରତିଯୋଗିତାରୁ ସେମାନଙ୍କୁ ରଣଜୀ ଟ୍ରଫି ତୁଳନାରେ କମ୍ ପାଉଣା ମିଳେ। ସେପଟେ ୧୯ ବର୍ଷରୁ କମ୍ ପ୍ରତିଯୋଗିତା ଆୟୋଜନ କରିବାର ମୂଳ ଲକ୍ଷ୍ୟ ହେଲା ନୂଆ ପ୍ରତିଭାଙ୍କୁ ଚିହ୍ନଟ କରିବା। କାରଣ ଉଦୀୟମାନ କ୍ରିକେଟରମାନେ ଚଳିତ ବର୍ଷ ସେମାନଙ୍କ ଦକ୍ଷତାକୁ ପ୍ରଦର୍ଶନ କରିବାର ବହୁ ସୁଯୋଗ କରୋନା ପାଇଁ ହାତଛଡ଼ା କରିବାକୁ ବାଧ୍ୟ ହୋଇଛନ୍ତି।

ଉପକରଣ ପ୍ରାୟୋଜକ ପାଇଁ ସାନି ଟେଣ୍ଡର ହେବ

ମୁମ୍ବାଇ: ବହୁରାଷ୍ଟ୍ରୀୟ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କଂପାନି ନାଇକ ଚୁକ୍ତି ନବୀକରଣ କରିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଉପକରଣ ପ୍ରାୟୋଜକ ପାଇଁ ସାନି ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ଶୁକ୍ରବାର ବସିବାକୁ ଥିବା ବିସିସିଆଇ ପରିଚାଳନା ପରିଷଦରେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଚାରି ବର୍ଷୀୟା ଚୁକ୍ତି ଲାଗି ବିସିସିଆଇକୁ ନାଇକ୍ ୩୭୦ କୋଟି ଟଙ୍କା ଦେଉଥିଲା। ତେବେ ଏହି ଚୁକ୍ତିର ଅବଧି ଆସନ୍ତା ସେପ୍ଟେମ୍ବର ମାସରେ ଶେଷ ହେବାକୁ ଯାଉଛି। ହେଲେ କଂପାନି ଏହି ଚୁକ୍ତିକୁ ଆଉ ନବୀକରଣ କରିବନାହିଁ ବୋଲି ସଙ୍କେତ ଦେଇସାରିଛି।  ନୂଆ ଟେଣ୍ଡର ପ୍ରକ୍ରିୟାରେ ଅନ୍ୟ କଂପାନିଗୁଡ଼ିକ ସହ ନାଇକ୍‌ ମଧ୍ୟ ଅଂଶ ଗ୍ରହଣ କରିପାରିବ। କରୋନା ସଙ୍କଟ ପାଇଁ ଚୁକ୍ତି ରାଶିରେ ଯଥେଷ୍ଟ ପରିମାଣର ହ୍ରାସ ହେବ ବୋଲି କଂପାନି ଆଶା ରଖିଛି। ବିସିସିଆଇ ଓ ଆଇପିଏଲର ୱେବସାଇଟ୍ ପରିଚାଳନା କରୁଥିବା ‘ପଲ୍ସ ଇନୋଭେସନ୍’ର ଚୁକ୍ତିକୁ କିନ୍ତୁ ବିସିସିଆଇ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ପରିଚାଳନା ପରିଷଦ ବୈଠକରେ ଜାତୀୟ କ୍ରିକେଟ୍ ଏକାଡେମିକୁ ବେଙ୍ଗାଲୁରୁର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରସ୍ତାବ ଉପରେ ଆଲୋଚନା ହେବାର ମଧ୍ୟ ଆଶା ରହିଛି।

ଶିବିର ପାଇଁ ଅହମ୍ମଦାବାଦ ହିଁ ଏକମାତ୍ର ବିକଳ୍ପ

ଭାରତୀୟ କ୍ରିକେଟ୍ ଦଳର ବାର୍ଷିକ ପ୍ରଶିକ୍ଷଣ ଶିବିର ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ହୋଇପାରେ। କାରଣ ଏଠାରେ ନିର୍ମାଣ କରାଯାଇଥିବା ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମରେ ସବୁ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିଛି। ମୋଟେରାରେ ଥିବା ଏହି ଷ୍ଟାଡିୟମ ଭିତରେ ଏକ ସମୟରେ ୬୦ ଜଣ ଖେଳାଳି ରହିବାର ବ୍ୟବସ୍ଥା ରହିଛି। ଯାହା ଖେଳାଳି ଓ ପ୍ରଶିକ୍ଷକ ମଣ୍ଡଳିକୁ ଜୈବ ସୁରକ୍ଷିତ ପରିବେଶରେ ରଖିବାକୁ ସହାୟକ ହେବ। ଧର୍ମଶାଳାକୁ ଅନ୍ୟ ଏକ ବିକଳ୍ପ ଭାବେ ଦେଖାଯାଉଥିଲା ବେଳେ ଦୁବାଇରେ ଭାରତୀୟ ଖେଳାଳି ଅଭ୍ୟାସ କରିବାର ପ୍ରଶ୍ନ ଉଠୁନି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦୁବାଇରେ ଆଇପିଏଲ୍ ‌ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏଠାରେ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇପାରେ ବୋଲି ଚର୍ଚା ‌ହେଉଥିଲା। ଭାରତୀୟ ଦଳ ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ଯିବାର ଥିବାରୁ ଆଇପିଏଲ୍ ପରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର