ଲଣ୍ଡନ୍‌: ସ୍ଥଗିତ ରହିଥିବା ଭାରତ-ଇଂଲଣ୍ଡ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ ଓ ସମ୍ପୃକ୍ତ ଶୃଙ୍ଖଳାର ଭାଗ୍ୟ ନିର୍ଧାରଣ ସମ୍ପର୍କରେ ଉଭୟ ଦେଶର ବୋର୍ଡ ବିସିସିଆଇ ଓ ଇସିବି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନାହାଁନ୍ତି। ଇସିବି ଏବେ ଆଇସିସିକୁ ଚିଠି ଲେଖି ଏହାର ଡିଆର୍‌ସି (ଡିସପୁଟ୍ ରିଜଲୁସନ୍‌ କମିଟି) ନିଷ୍ପତ୍ତି ‌ନେଉ ବୋଲି ଆଶା କରିଛି। ଇସିବି ମଧ୍ୟ ଆଶା କରିଛି ଆଇସିସି ‌ଏହି ଟେଷ୍ଟକୁ ଭାରତ ନିଜ ଆଡୁ ଓହରିଗଲା ବୋଲି ବିବେଚନା କରୁ। କାରଣ‌ କୋଭିଡ୍‌ ପାଇଁ ଟେଷ୍ଟ୍‌ ମ୍ୟାଚ୍‌କୁ ବାତିଲ ଘୋଷଣା କରାଗଲେ ବୀମା ବାବଦରୁ ମିଳିବାକୁ ଥିବା ୪୦ ମିଲିୟନ୍‌ ପାଉଣ୍ଡ୍‌ ଇସିବି ହରାଇବ। ବିସିସିଆଇ ସହ ଏହ‌ି ପ୍ରସଙ୍ଗକୁ ତୁଟାଇବାରେ ଇସିବି ଅସମର୍ଥ ହୋଇଛି ‌ବୋଲି ମଧ୍ୟ ଜଣାଇଛି। ‘ହଁ ଆମେ ଆଇସିସିକୁ ଚିଠି ଲେଖିଛୁ’ ବୋଲି ଜଣେ ଇସିବି ମୁଖପାତ୍ର ପ୍ରକାଶ କରିଛନ୍ତି। ଭାରତୀୟ ଖେଳାଳିମା‌ନେ ଦୁଇଟି ଲେଖାଏଁ ନେଗେଟିଭ୍ ରିପୋର୍ଟ ପାଇବା ପରେ ମଧ୍ୟ ଖେଳିବାକୁ ରାଜି ନହେବାକୁ ଇସିବି ଏବେ ପ୍ରସଙ୍ଗ କରିଛି। ସେହିଭଳି ଭବିଷ୍ୟତରେ ଏହି ଟେଷ୍ଟ୍ ଖେଳାଗଲେ ତାହା ଗତ ଶୃଙ୍ଖଳାର ଅଂଶବି‌ଶେଷ ନ ହୋଇ ‘ସ୍ବତନ୍ତ୍ର ଟେଷ୍ଟ୍‌’ ‌ହେବ ବୋଲି ବିବେଚନା କରିଛନ୍ତି।

Advertisment

ଫଳରେ ତୁରନ୍ତ ଭାରତ-ଇଂଲଣ୍ଡ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ ଓ ସମ୍ପୃକ୍ତ ଶୃଙ୍ଖଳାର ଭାଗ୍ୟ ନିର୍ଧାରଣ ପାଇଁ ବିଚାର ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିସିକୁ ଅନୁରୋଧ କରିଛି ଇସିବି। ସ୍ଥଗିତ ଟେଷ୍ଟ୍ ପରବର୍ତୀ ସମୟରେ‌ ଖେଳାଗଲେ ଏହାକୁ ସ୍ବତନ୍ତ୍ର ଧରାଯିବ ନା ଶୃଙ୍ଖଳାର ଅଂଶବିଶେଷ ରହିବ ସେ ନେଇ ସ୍ପଷ୍ଟ ଚିତ୍ର ମାଗିଛି ଇସିବି। ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍‌ ପୂର୍ବଦିନ କହିଥିଲେ ଏହା ସ୍ବତନ୍ତ୍ର ଟେଷ୍ଟ୍ ହେବ। ଫଳରେ ଶୃଙ୍ଖଳା ଏହିଠାରେ ଶେଷ ହୋଇଗଲା ବୋଲି ଧରାଯିବ। ଏଭଳି ‌କ୍ଷେତ୍ରରେ ଭାରତ ୨-୧ରେ ଜିତିବ ନା ଏହା ୨-୨ରେ ଅମୀମାଂସିତ ରହିବ, ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ପଏଣ୍ଟ୍‌ରେ ଏହା କିଭଳି ଦର୍ଶାଯିବ ଏବଂ ଶୃଙ୍ଖଳା ସ୍ଥିତି କିଭଳି ରହିବ ଜାଣିବାକୁ ଚାହିଁଛି ଇଂଲଣ୍ଡ ବୋର୍ଡ। ଯଦି କୋଭିଡ୍‌ ନିୟମାବଳୀ ଅନୁସାରେ ସ୍ଥଗିତ ଟେଷ୍ଟକୁ ବାତିଲ ଭାବେ ଗ୍ରହଣ କରାଯିବ ତେବେ ଭାରତ ୨-୧ରେ ବିଜୟୀ ହେବ। ନହେଲେ ଭାରତ ଏହି ଟେଷ୍ଟରୁ ଓହରିଯିବା ପ୍ରମାଣିତ ହେଲେ ଶୃଙ୍ଖଳା ୨-୨ରେ ଶେଷ ହେବ। ଭାରତ-ଇଂଲଣ୍ଡ ନିଜ ମଧ୍ୟରେ ଏହାକୁ ସମାଧାନ କରିନପାରିଲେ ହୁଏତ ଶୃଙ୍ଖଳା ୨-୨ରେ ଶେଷ ହେବା ବିପଦ ରହିଛି।