ସ୍ଥାୟୀ ସିଇଓ ନିଯୁକ୍ତ ଓ ୨୫ ବର୍ଷରୁ କମ୍‌ ପ୍ରତିଯୋଗିତା ଯୋଜନାରେ ବିସିସିଆଇ

ସିକେ ନାୟୁଡୁ ପ୍ରତିଯୋଗିତା ୨୫ ବର୍ଷରୁ କମ୍‌କୁ ବଦଳିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ତା’ର ଘରୋଇ ପ୍ରତିଯୋଗିତା ପ୍ରଣାଳି ସାଙ୍ଗକୁ ବୋର୍ଡ କାର୍ଯ୍ୟାଳୟରେ ପ୍ରାଶାସନିକ ପଦାନୁକ୍ରମରେ ପରିବର୍ତନ ପାଇଁ ଯୋଜନା କରିଛି। ଏହି କ୍ରମରେ ବିଶେଷକରି ଜଣେ ସ୍ଥାୟୀ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ନିଯୁକ୍ତ କରିବା ସାଙ୍ଗକୁ ଘ‌ରୋଇ ପ୍ରତିଯୋଗିତାର ୨୩ ବର୍ଷରୁ କମ୍‌ ପରିବର୍ତେ ୨୫ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ କରିବା ନେଇ ବିସିସିଆଇ ପଦାଧିକାରୀମାନେ ଏଠାରେ ରବିବାର ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଛନ୍ତି।

ବିସିସିଆଇର ପ୍ରଥମ ସିଇଓ ପଦରେ ରାହୁଲ ଜୋହରି ନିଯୁକ୍ତ ହୋଇଥିଲେ। ତେବେ ସେ ଗତବର୍ଷ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଥିଲା। ପରେ ଅସ୍ଥ‌ାୟୀ ଭାବେ ହେମାଙ୍ଗ ଅମିନ ଦାୟିତ୍ବ ତୁଲାଉଛନ୍ତି। ‌ଅମିନ ମଧ୍ୟ ଆଇପିଏଲ୍‌ର ସିଓଓ (ମୁଖ୍ୟ ପରିଚାଳନା ଅଧିକାରୀ) ରହିଛନ୍ତି। ଦୁଇଟି ଦାୟିତ୍ବ ତୁଲାଇବାକୁ ନେଇ ବିରୋଧାଭାସ ମଧ୍ୟ ଉଠୁଛି। ସେହିଦୃଷ୍ଟିରୁ ଅସ୍ଥାୟୀ ବ୍ୟବସ୍ଥାକୁ ବିସିସିଆଇ ଅଧିକ ଦିନ ରଖିବାକୁ ଚାହୁନି। ଫଳରେ ଚଳିତ ମାସ‌ରେ ହିଁ ଏହାର ଅନ୍ତ ଘଟାଇ ଜଣେ ସ୍ଥାୟୀ ସିଇଓ ନିଯୁକ୍ତ କରିବାକୁ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ସାହା, ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଏବଂ ଯୁଗ୍ମ ସଂପାଦକ ଜୟେଶ ଜର୍ଜଙ୍କୁ ନେଇ ୫ ଜଣିଆ ବିସିସିଆଇ ପଦାଧିକାରୀ ଶନିବାର ଏହି ପ୍ରସଙ୍ଗ ଉପେର ଆଲୋଚନା କରି ଜଣେ ପୂର୍ଣ୍ଣକାଳୀନ ସିଇଓ ନିଯୁକ୍ତ କରିବା‌ ସପକ୍ଷରେ ମତ ରଖିଛନ୍ତି। ତେବେ ଏହି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା କଣ ରହିବ ତାହା ସ୍ପଷ୍ଟ ହୋଇନି। ତଥାପି ବାର୍ଷିକ ୧୦୦ କୋଟିର କାରବାର କରୁଥିବା କୌଣସି କଂପାନିରେ ୧୦ ବର୍ଷ ବା ତା’ଠୁ ଅଧିକ ବର୍ଷ ଉଚ୍ଚ ପଦରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବା ବ୍ୟକ୍ତି ବିସିସିଆଇ ସିଇଓ ପଦ ପାଇଁ ଆବେଦନ କରିପାରିବେ ବୋଲି ମାନଦଣ୍ଡ ରଖାଯାଇଛି। ହେଲେ ଅମିନ ମଧ୍ୟ ସ୍ଥାୟୀ ସିଇଓ ପଦ ପାଇଁ ଆବେଦନ କରିପାରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ସିକେ ନାୟୁଡୁ ପ୍ରତିଯୋଗିତା ୨୫ ବର୍ଷରୁ କମ୍‌କୁ ବଦଳିବ
ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ଅଧିକ ରୋମାଞ୍ଚକ କରିବା ଏବଂ ଖେଳାଳିମାନଙ୍କୁ ଅଧିକରୁ ଅଧିକ ଅଂଶଗ୍ରହଣ କରିବାର ସୁଯୋଗ ଦେବା ପାଇଁ ଏବେ ପ୍ରଚଳିତ ୨୩ ବର୍ଷରୁ କମ୍‌ ସିକେ ନାୟୁଡୁ ପ୍ରତିଯୋଗିତାକୁ ୨୫ ବର୍ଷରୁ କମ୍‌ ବୟସ ଗ୍ରୁପ୍‌କୁ ବଦଳାଇ ଦିଆଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଚଳିତ ଋତୁରୁ ହିଁ କାର୍ଯ୍ୟକାରୀ ହେବ। ଫଳରେ ସିକେ ନାୟୁଡୁ ପ୍ରତିଯୋଗିତାରେ ଏଣିକି ୨୫ ବର୍ଷରୁ କମ୍‌ ଖେଳାଳିମାନେ ଭାଗ ନେଇପାରିବେ। ପୁଣି ଯେଉଁ ଖେଳାଳିମାନେ ନିଜ ନିଜ ରାଜ୍ୟ ଦଳ ପକ୍ଷରୁ ରଣଜୀ ଟ୍ରଫି ପାଇଁ ମନୋନୀତ ହୋଇପାରିନଥିବେ ସେମାନେ ଅନ୍ତଃରାଜ୍ୟ ସିକେ ନାୟୁଡୁ ଟ୍ରଫିରେ ଖେଳିବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତଥାପି ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିସିସିଆଇ ମଧ୍ୟ ରାଜ୍ୟ ସଂଘମାନଙ୍କ ମତ ଲୋଡ଼ିବ ବୋଲି କହିଛି।

ସମ୍ବନ୍ଧିତ ଖବର