ପ୍ରତି ୫ ଦିନରେ କୋଭିଡ୍‌ ପରୀକ୍ଷା, ଜୈବ ସୁରକ୍ଷା ବଳୟ ବାହାରକୁ ଗଲେ ୭ ଦିନ ସଙ୍ଗରୋଧ

ଆଇପିଏଲ୍‌ରେ କରୋନା ମୁକାବିଲା ଲାଗି ବିସିସିଆଇର ସ୍ବତନ୍ତ୍ର ଯୋଜନା

ମୁମ୍ବାଇ: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ସେଥିପାଇଁ ଖେଳାଳିମାନେ ୟୁଏଇ ଯିବା ପୂର୍ବରୁ ଏବଂ ସେଠାରେ ପହଞ୍ଚିବା ପରର କୋଭିଡ୍-୧୯ ନିୟନ୍ତ୍ରଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ଲାଗି ବିସିସିଆଇ ସ୍ବତନ୍ତ୍ର ନୀତି ପ୍ରଣୟନ କରିଛି। ତଦନୁଯାୟୀ ଖେଳାଳିମାନେ ୟୁଏଇରେ ପ୍ରଶିକ୍ଷଣ ଆରମ୍ଭ କରିବା ପୂର୍ବରୁ ପାଞ୍ଚଥର ସେମାନଙ୍କୁ କୋଭିଡ୍-୧୯ ପରୀକ୍ଷାରେ ନେଗେଟିଭ୍ ଆସିବାକୁ ପଡ଼ିବ। ପ୍ରଶିକ୍ଷଣ ପରେ ପ୍ରତି ପାଞ୍ଚ ଦିନରେ ଥରେ ସେମାନଙ୍କର ‌କୋଭିଡ୍‌ ପରୀକ୍ଷା କରାଯିବ। ବିସିସିଆଇ ପ୍ରସ୍ତୁତ କରିଥିବା ଚିଠା ଅନୁସାରେ ଭାରତରେ ବିଭିନ୍ନ ପ୍ରାଞ୍ଚାଇଜର ଖେଳାଳିମାନେ ୧୪ ଦିନର ବାଧ୍ୟତାମୂଳକ ସଙ୍ଗରୋଧରେ ଯିବା ପୂର୍ବରୁ ସେମାନଙ୍କର ୨୪ ଘଣ୍ଟା ଭିତରେ ଦୁଇଟି କୋଭିଡ୍-୧୯ ପରୀକ୍ଷା ହେବ। ଯଦି କୌଣସି ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସେ, ତାହାଲେ ସେ ୧୪ ଦିନର ଏକାନ୍ତବାସରେ ଯିବେ। ଦଳ ସହ ଯୋଗଦେବା ପୂର୍ବରୁ ତାଙ୍କୁ ଦୁଇ ଥର କୋଭିଡ୍-୧୯ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ସଂପୃକ୍ତ ଖେଳାଳିଙ୍କୁ ୟୁଏଇ ଯାତ୍ରା କରିବାର ଅନୁମତି ମିଳିବ। ୟୁଏଇରେ ପହଞ୍ଚିବା ପରେ ଖେଳାଳି, ପ୍ରଶିକ୍ଷକ ମଣ୍ଡଳି ତଥା ଅନ୍ୟ ଅଧିକାରୀଙ୍କୁ ୭ ଦିନର ସଙ୍ଗରୋଧ ଭିତରେ ଅନ୍ୟୁନ ତିନି ଥର ନେଗେଟିଭ୍ ଆସିବାକୁ ହେବ। ଏହା ପରେ ଯାଇ ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସୁରକ୍ଷିତ ବଳୟକୁ ପ୍ରବେଶ କରି ଅଭ୍ୟାସ କରିବାର ସୁଯୋଗ ମିଳିବ। ଖେଳାଳି ଓ ଅଧିକାରୀଙ୍କଠାରୁ ମତ ନେଇ ଏହି ନିୟମାବଳୀରେ କିଛିଟା ପରିବର୍ତ୍ତନ କରାଯାଇପାରେ। ହେଲେ କୌଣସି ପରିସ୍ଥିତିରେ ଖେଳାଳି କିମ୍ବା ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାରେ ସାଲିସ୍ କରାଯିବ ନାହିଁ। ୟୁଏଇ ରହଣୀର ପ୍ରଥମ ସପ୍ତାହରେ ଖେଳାଳି ଓ ଦଳୀୟ ଅଧିକାରୀଙ୍କୁ ପରସ୍ପର ସହ ସାକ୍ଷାତ କରିବାର ସୁଯୋଗ ଦିଆଯିବ। ତେବେ ତିନି ଥର ନେଗେଟିଭ୍ ଆସିବା ପରେ ଯାଇ ସେମାନଙ୍କୁ ଏଥିଲାଗି ଅନୁମତି ମିଳିବ। ଯେଉଁ ବିଦେଶୀ ଖେଳାଳିମାନେ ସିଧାସଳଖ ୟୁଏଇରେ ପହଞ୍ଚିବେ ସେମାନଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯିବ। ୟୁଏଇ ଯାତ୍ରା କରିବା ପୂର୍ବରୁ ସବୁ ବିଦେଶୀ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ଅନ୍ୟୁନ ଦୁଇ ଥର କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ୍ ନ ଆସିଲେ, ସେମାନଙ୍କୁ ମଧ୍ୟ ୧୪ ଦିନର ସଙ୍ଗରୋଧରେ ରହି ଦୁଇଟି ପରୀକ୍ଷାରେ ‌ନେଗେଟିଭ୍ ଆସିବା ପରେ ହିଁ ୟୁଏଇ ଆସିବାକୁ ଅନୁମତି ମିଳିବ। ୟୁଏଇ ପର୍ଯ୍ୟାୟର ସଙ୍ଗରୋଧରେ ଖେଳାଳିମାନଙ୍କର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ପରୀକ୍ଷା କରାଯିବ। ଏହାକୁ ସଫଳତାର ସହ ପାର କରିବା ପରେ ୫୩ ଦିନର ଖେଳ ଭିତରେ ପ୍ରତି ପାଞ୍ଚ ଦିନରେ ଥରେ ସେମାନଙ୍କୁ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ହେବ।

ବିସିସିଆଇ ଦ୍ବାରା ନିର୍ଦ୍ଧାରିତ ସଂଖ୍ୟକ ପରୀକ୍ଷା ସହ ଫ୍ରାଞ୍ଚାଇଜ ଚାହିଁଲେ କିମ୍ବା ୟୁଏଇ ସରକାରଙ୍କ ନିୟମ ଅନୁସାରେ ଅଧିକ ପରୀକ୍ଷାର ଆବଶ୍ୟକତା ପଡ଼ିଲେ ତାକୁ ମଧ୍ୟ କରାଯିବ। ଅଗଷ୍ଟ ୨୦ ପୂର୍ବରୁ ସବୁ ଦଳକୁ ୟୁଏଇ ପହଞ୍ଚିବାକୁ କୁହାଯାଇଛି। ଏହା ଦ୍ବାରା ସମସ୍ତ ନିୟମର ଅନୁସରଣ ସହ ପରୀକ୍ଷା ମଧ୍ୟ ହୋଇପାରିବ ବୋଲି ବିସିସିଆଇ କହିଛି। କେବଳ ଖେଳାଳି ନୁହେଁ, ସେମାନଙ୍କ ସହ ଯାଉଥିବା ନିକଟ ସଂପର୍କିୟଙ୍କ ପାଇଁ ମଧ୍ୟ କୋଭିଡ୍-୧୯ ନିୟମ ଲାଗୁ ହେବ। ଅବଶ୍ୟ ଖେଳାଳିମାନଙ୍କୁ ସେମାନଙ୍କ ପତ୍ନୀ, ପ୍ରେମିକା କିମ୍ବା ବନ୍ଧୁବର୍ଗଙ୍କୁ ସାଥୀରେ ନେବାର ନିଷ୍ପତ୍ତି ଫ୍ରାଞ୍ଚାଇଜଙ୍କ ଉପରେ ଛାଡ଼ି ଦିଆଯାଇଛି। ତେବେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ସମସ୍ତ ପ୍ରକାର ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଜୈବ ସୁରକ୍ଷା ବଳୟ ବାହାରେ କାହାରିକୁ ଭେଟିବାର ଅନୁମତି ଖେଳାଳିଙ୍କ ସହ ଯାଇଥିବା ପରିବାରବର୍ଗ କିମ୍ବା ନିକଟତମ ସଂପର୍କିୟଙ୍କୁ ମିଳିବ ନାହିଁ। ଅନ୍ୟ ଖେଳାଳିଙ୍କ ସଂପର୍କିୟଙ୍କ ସହ କଥା ହେଲା ବେଳେ ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ସେହିଭଳି ସବୁବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ପରିବାରବର୍ଗଙ୍କୁ ଖେଳାଳି ଓ ମ୍ୟାଚ୍ ଅଧିକାରୀ ଅଞ୍ଚଳ ଅଥବା ଅଭ୍ୟାସ ଅଞ୍ଚଳକୁ ଛଡ଼ାଯିବ ନାହିଁ। କେହି ଯଦି ଜୈବ ସୁରକ୍ଷା ବଳୟ ନିୟକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ତୁରନ୍ତ ୭ ଦିନ ପାଇଁ ସଙ୍ଗରୋଧକୁ ପଠାଇ ଦିଆଯିବ। ଏହା ପରେ ଷଷ୍ଠ ଓ ସପ୍ତମ ଦିନରେ ଦୁଇଟି କୋଭିଡ୍-୧୯ ପରୀକ୍ଷାରେ ନେଗେଟିଭ୍ ଆସିଲେ ଯାଇ ତାଙ୍କୁ ପୁନର୍ବାର ଜୈବ ସୁରକ୍ଷା ବଳୟ ଭିତରକୁ ପୁନଃପ୍ରବେଶ ଅନୁମତି ମିଳିବ।

ସମ୍ବନ୍ଧିତ ଖବର