ବ୍ରିସ୍‌ବନ୍‌ର ସମ୍ଭାବ୍ୟ ସଙ୍ଗରୋଧ ନେଇ ସ୍ବର ଉଠାଇଲା ବିସିସିଆଇ, ଆଇପିଏଲ୍ ଶୈଳୀ ଜୈବ ବଳୟ ପାଇଁ ସିଏକୁ ଲେଖିଲା ପତ୍ର

ବ୍ରିସବନ୍: ବ୍ରିସ୍‌ବନ୍‌ରେ ଭାରତୀୟ କ୍ରିକେଟ୍ ଦଳ ପୁନର୍ବାର ସଙ୍ଗରୋଧର ସମ୍ମୁଖୀନ ହେବ କି ନାହିଁ, ସେ ନେଇ ‌‌ଜୋରସୋର ଚର୍ଚା ଚାଲିଥିଲା ବେଳେ ଗୁରୁବାର ବିସିସିଆଇ ପ୍ରଥମ ଥର ଏହି ମାମଲାରେ ହସ୍ତକ୍ଷେପ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆକୁ ପତ୍ର ଲେଖି ସମ୍ଭାବ୍ୟ ସଙ୍ଗରୋଧକୁ ବିରୋଧ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ତା’ ସହ ଉଭୟ ପକ୍ଷ ମଧ୍ୟରେ ସ୍ବାକ୍ଷର ହୋଇଥିବା‌ ବୁଝାମଣା ପତ୍ରରେ ଏଭଳି କୌଣସି ଧାରା ନଥିବା ମଧ୍ୟ ମନେ ପକାଇ ଦେଇଛି। ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ସଙ୍ଗରୋଧରେ ରହିଥିଲେ। ସମସ୍ତଙ୍କ ପରୀକ୍ଷା ମଧ୍ୟ ନେଗେଟିଭ୍ ଆସିଥିଲା। ସୀମିତ ଓଭର ଶୃଙ୍ଖଳାରେ ବହୁବାର କରୋନା ମୁକ୍ତ ଥିବାର ପ୍ରମାଣ ବି ଦେଇଥିଲେ ଭାରତୀୟ ତାରକା। ତଥାପି ସିଡ୍‌ନି କ୍ରିକେଟ୍ ପଡ଼ିଆରେ ତୃତୀୟ ଟେଷ୍ଟ୍ ଖେଳିବାକୁ ଯିବା ବେଳେ ଭାରତୀୟ ଖେଳାଳିଙ୍କୁ ସଙ୍ଗରୋଧରେ ରଖା ଯାଇଥିଲା। ଯାହାକୁ ନେଇ ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୋଲା‌ଖୋଲି ନିଜ ଅସନ୍ତୋଷ ଜାହିର କରିଥିଲେ। ବ୍ରିସ୍‌ବନରେ ମଧ୍ୟ ଏହି ଧାରା ଜାରି ରହିବାର ଯଥେଷ୍ଟ ଆଶଙ୍କା ରହିଛି।

ବ୍ରିସ୍‌ବନ୍ ଟେଷ୍ଟ୍ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିଲା ବେଳେ ସେଠାକାର କୋଭିଡ୍ ନିୟମ ଅନୁସାରେ ପ୍ରତ୍ୟେକ ଦିନର ଖେଳ ପରେ ଖେଳାଳିଙ୍କ ନିଜ ହୋ‌ଟେଲ ରୁମ୍‌ରେ ଆବଦ୍ଧ ରହିବାକୁ ହେବ। ଯାହାକୁ ଭାରତୀୟ ଖେଳାଳି ପସନ୍ଦ କରୁନାହାନ୍ତି, ଏହା ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି ବୋଲି ସେମାନେ ବି ସଙ୍କେତ ଦେଇସାରିଛନ୍ତି। ଆନୁଷ୍ଠାନିକ ଭାବେ ପତ୍ର ପଠାଇବା ସହ ଏହି ବିଷୟରେ ସିଏ ସହ ବିସିସିଆଇ ଆଲୋଚନା ମଧ୍ୟ ଆରମ୍ଭ କରି ଦେଇଛି। ବ୍ରିସ୍‌ବନ୍‌ରେ ସଙ୍ଗରୋଧ ନିୟମ କୋହଳ କରିବା ସହ ଆଇପିଏଲ୍‌ରେ ଯେଭଳି ଜୈବ ବଳୟ ସୃଷ୍ଟି କରାଯାଇ, ତା ଭିତରେ ଯିବା ଆସିବା କରିବା ଏବଂ ପରସ୍ପର ସହ ମିଳାମିଶା କରିବାକୁ ଖେଳାଳିଙ୍କୁ ଅନୁମତି ଦେବାକୁ ସିଏକୁ କହିଛି। କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ବରୁ କହିଥିଲା ଯେ ଖେଳାଳିମାନେ ନିଜ ହୋଟେଲର ତାଲାରେ ରହୁଥିବା ଖେଳାଳିଙ୍କୁ ଭେଟି ପାରିବେ। ଭିନ୍ନ ଭିନ୍ନ ତାଲାରେ ରହୁଥିବା ଖେଳାଳି କିନ୍ତୁ ପରସ୍ପର ସହ ମିଳାମିଶା କରି ପାରିବେନାହିଁ। ଯାହା ହାସ୍ୟାସ୍ପଦ ବୋଲି କିଛି କ୍ରିକେଟ୍ ପଣ୍ଡିତ ମତ ଦେଇଛନ୍ତି। ଖେଳାଳିମାନେ କଡ଼ା ସଙ୍ଗରୋଧ ନିୟମରେ ରହୁଥିଲା ବେଳେ ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳୁଛି। ଏଣୁ ବ୍ରିସ୍‌ବନ୍‌ରେ ସଙ୍ଗରୋଧ ନିୟମରେ କୋହଳ କରିବା କଥା ଲିଖିତ ଭାବେ ଦେବାକୁ ମଧ୍ୟ ସିଏକୁ ବିସିସିଆଇ କହିଥିବା ଜଣାପଡ଼ିଛି। କାରଣ ସିଡ୍‌ନି ସଙ୍ଗରୋଧ ବେଳେ ଖେଳାଳି ରହୁଥିବା ପ୍ରତ୍ୟେକ ତାଲାରେ ସୁରକ୍ଷାକର୍ମୀଙ୍କୁ ଲଗାଇ, ସଙ୍ଗରୋଧ ନିୟମ ଯେଭଳି ନଭା‌ଙ୍ଗେ ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲା ସିଏ। ବ୍ରିସ୍‌ବନ୍‌ରେ ଏଭଳି କୌଣସି ଘଟଣା ଘଟିବ ନାହିଁ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର