ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଢେର କିଛି ଦିନ ତଳୁ ଶେଷ ହୋଇଗଲାଣି। ଶାସ୍ତ୍ରୀ କିନ୍ତୁ ଟିମ୍ ଇଣ୍ଡିଆର ଗୁମର ପଦାରେ ପକାଇ ଖବରରେ ରହି ଆସୁଛନ୍ତି। ଯାହା କେବଳ ବିସିସିଆଇ ନୁହେଁ, ଅନେକ ପୂର୍ବତନ କ୍ରିକେଟର୍ଙ୍କୁ ମଧ୍ୟ କ୍ଷୁବ୍ଧ କରିଛି। ପ୍ରଶିକ୍ଷକ ପଦ ଚାଲିଯିବା ପରେ ଶାସ୍ତ୍ରୀ ବିଭିନ୍ନ ବିବାଦୀୟ କଥା କହି ନିଜ ହତାଶାକୁ ପ୍ରକାଶ କରୁଛନ୍ତି ବୋଲି କେତେକ ପୂର୍ବତନ କ୍ରିକେଟର୍ ତାଙ୍କୁ କଟାକ୍ଷ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ କିଭଳି ଅଙ୍କୁଶ ଲଗାଇବ ସେ ବାଟ ବିସିସିଆଇ ଖୋଜୁଛି। ଶାସ୍ତ୍ରୀ କିନ୍ତୁ ତାଙ୍କ ମୁହଁ ବନ୍ଦ ରଖିବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ନିକଟରେ ଦେଇଥିବା ସାକ୍ଷାତକାରରେ ଶାସ୍ତ୍ରୀ ଦାବି କରିଛନ୍ତି ଯେ ୨୦୧୭ ମସିହାର ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ବିରାଟ କୋହଲି ଭାରତର ଚୂଡ଼ାନ୍ତ ଏକାଦଶରେ ଶିଖର ଧାୱନଙ୍କୁ ନେବାକୁ ଚାହୁ ନଥିଲେ। ହେଲେ ମୋ ପରାମର୍ଶରେ ଧାୱନଙ୍କୁ ଦଳରେ ରଖିଥିଲେ ଏବଂ ସେ ଶୃଙ୍ଖଳାରେ ସର୍ବାଧିକ ୩୩୮ ରନ୍ କରିଥିଲେ। ଏହା ପୂର୍ବରୁ ଭାରତୀୟ ଦଳର ୨୦୧୯ ବିଶ୍ବକପ୍ ଦଳରେ ତିନି ଜଣ ୱିକେଟ୍ ରକ୍ଷକ (ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତ)ଙ୍କୁ ଦଳରେ ରଖିବା ସପକ୍ଷରେ ସେ ନଥିଲେ। ବରଂ ଶ୍ରେୟସ୍ ଆୟର କିମ୍ବା ଅମ୍ବାତି ରାୟୁଡୁଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ବକପ୍ ଦଳରେ ରଖିବାକୁ ଚାହୁଥିଲେ ବୋଲି ଶାସ୍ତ୍ରୀ କହିଥିଲେ।
ଏହା କହି ସେ ତତ୍କାଳୀନ ଚୟନସମିତିକୁ କାଠଗଡ଼ାକୁ ଟାଣିଥିଲେ। ତା ପୂର୍ବରୁ ୨୦୧୬ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ କରାନଯିବା ନେଇ ଶାସ୍ତ୍ରୀ ବିସିସିଆଇକୁ ଖୋଲା ସମାଲୋଚନା କରିଥିଲେ। ଶାସ୍ତ୍ରୀ ଓ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ତିକ୍ତ ସଂପର୍କ ବିଷୟ ମଧ୍ୟ ସମସ୍ତଙ୍କୁ ଜଣା। ଏଭଳି ଭାବେ ଶାସ୍ତ୍ରୀ ପ୍ରତିଦିନ ନିଜ କାର୍ଯ୍ୟକାଳକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ବିସିସିଆଇର ନିଦ ହଜାଇଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/ravi-shastri-pti-file-1588241782.jpg)