ବିସିସିଆଇ ସ୍ପଷ୍ଟ କଲା, ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ଼ ପ୍ରଶିକ୍ଷକ

ମୁମ୍ବାଇ: ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯାଉଥିବା ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଦାୟିତ୍ବ ତୁଲାଇବେ। ପୂର୍ବରୁ ଏହି ସୂଚନା ଜଣାପଡ଼ି ସାରିଥିଲେ ମଧ୍ୟ ବିସିସିଆଇ ମଙ୍ଗଳବାର ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିଛି। ସମ୍ପାଦକ ଜୟ ସାହା କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ସୀମିତ ଓଭର ଭାରତୀୟ ଦଳକୁ ରାହୁଲ ଦ୍ରାବିଡ଼ ପ୍ରଶିକ୍ଷଣ ଦେବେ। ସୂଚନାଯୋଗ୍ୟ, ଶିଖର ଧାୱନଙ୍କ ନେତୃତ୍ବାଧୀନ ଭାରତୀୟ ଦଳ କଲମ୍ବୋର ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ଶୃଙ୍ଖଳା ଖେଳିବେ। ସୋମବାରଠାରୁ ଧାୱନଙ୍କ ଦଳ ମୁମ୍ବାଇରେ ଏକାଠି ହୋଇଛନ୍ତି ଏବଂ ୭ ଦିନିଆ କଠୋର ସଙ୍ଗରୋଧରେ ରହିବେ। ଏହା ପରେ ଆଉ ୭ ଦିନ ଧରି ଖେଳାଳିମାନେ ହାଲକା ଇନ୍‌ଡୋର୍‌ ଅଭ୍ୟାସ କରିବେ। ବିରାଟ କୋହଲିଙ୍କ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭରତ ଅରୁଣ ଏବଂ ବିକ୍ରମ ରାଠୋର ଏବେ ଇଂଲଣ୍ଡ ଗସ୍ତରେ ଥିବାରୁ ଭାରତ ପ୍ରଥମ ଥର ପାଇଁ ଭିନ୍ନ ଏକ ସୀମିତ ଓଭର ଦଳ ଗଠନ କରି ଶ୍ରୀଲଙ୍କା ଯାଉଛି। ଦ୍ରାବିଡ଼ଙ୍କ ପାଇଁ ଏହା ଦ୍ବିତୀୟ ଅବସର। ୨୦୧୪ ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ। ଅବଶ୍ୟ ଦ୍ରାବିଡ଼ ଭାରତୀୟ ଯୁବ ଦଳ ସହ ନିୟମିତ ଭାବେ ପ୍ରଶିକ୍ଷଣ ଭୂମିକାରେ ଅବତୀର୍ଣ୍ଣ ‌ହୋଇ ସାରିଛନ୍ତି। ବରିଷ୍ଠ ଦଳ ସହ ଦ୍ବିତୀୟ ଥର ଯିବେ।

ଭାରତୀୟ ଦଳ ଜୁନ୍‌ ୨୮ ତାରିଖରେ କଲମ୍ବୋ ଗସ୍ତ କରିବ ଏବଂ ସେଠାରେ ୩ ଦିନ ଧରି କଠୋର ସଙ୍ଗରୋଧ ପାଳନ କରିବା ପରେ ଜୁଲାଇ ୪ ତାରିଖରୁ ଅଭ୍ୟାସ କରିବ। ଜୁଲାଇ ୧୩ ତାରିଖରୁ ସୀମିତ ଓଭର ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତୀୟ ଦଳ ମଧ୍ୟ ୩ଟି ଅନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ପୃଥ୍ବୀ ସ’ଙ୍କୁ ଭାରତୀୟ ଧଳାବଲ୍‌ ଦଳରେ ସାମିଲ କରାଯାଇଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପଡ଼ିକଲ ଏବଂ ଋତୁରାଜ ଗାଏକ୍ବାଡ ମଧ୍ୟ ଦଳରେ ରହିଛନ୍ତି। ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ରାହୁଲ ଚହର, କୃଷ୍ଣାପ୍ପା ଗୌତମ ପ୍ରମୁଖ ସ୍ପିନ୍‌ ବିକଳ୍ପ ଭାବେ ରହିଛନ୍ତି। ଯୁବ ଦ୍ରୁତ ବୋଲର ଚେତନ ସାକାରିଆ ମଧ୍ୟ ଆଇପିଏଲ୍‌ ପ୍ରଦର୍ଶନ ପରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଦିନିକିଆ ମ୍ୟାଚ୍‌ ତିନିଟି ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଧାର୍ଯ୍ୟ ଥିବାବେଳେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ମ୍ୟାଚ୍ ତ୍ରୟ ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର