ଆସନ୍ତା ବର୍ଷ ଇ˚ଲଣ୍ଡରେ ଦୁଇଟି ଅତିରିକ୍ତ ଟ୍ବେଣ୍ଟି-୨୦ ଖେଳିବାକୁ ବିସିସିଆଇର ପ୍ରସ୍ତାବ

ଆଇପିଏଲ୍‌ ପାଇଁ ନୁହେଁ, ଭାରତୀୟ ଖେଳାଳି ମନାକରିବାରୁ ପଞ୍ଚମ ଟେଷ୍ଟ୍‌ ସ୍ଥଗିତ ରହିଛି: ଗାଙ୍ଗୁଲି

ନୂଆଦିଲ୍ଲୀ: ଇ˚ଲଣ୍ଡ ବିପକ୍ଷରେ ବାତିଲ ହୋଇଥିବା ଶେଷ ଟେଷ୍ଟ୍‌ ମ୍ୟାଚ୍‌ର ଭରଣା କରିବାକୁ ଭାରତୀୟ ବୋର୍ଡ ବିସିସିଆଇ ଏକ ପ୍ରସ୍ତାବ ରଖିଛି। ଆସନ୍ତା ବର୍ଷ ଭାରତ ଓ ଇ˚ଲଣ୍ଡ ମଧ୍ୟରେ ଇ˚ଲଣ୍ଡରେ ଦୁଇଟି ଅଧିକ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବାକୁ ବୋର୍ଡ ପ୍ରସ୍ତାବ ଦେଇଛି। କାରଣ ଟେଷ୍ଟ୍‌ ବାତିଲ ହେବାରୁ ଇ˚ଲଣ୍ଡ ବୋର୍ଡର ୪ କୋଟି ପାଉଣ୍ଡ କ୍ଷତି ହୋଇଛି। ଏହାକୁ ଭରଣା କରିବାକୁ ଏହା ଏକ ପ୍ରସ୍ତାବ ହୋଇଥିଲା ବେଳେ ବାତିଲ ମ୍ୟାଚ୍‌କୁ ଆସନ୍ତା ବର୍ଷ ପୁଣି ଥରେ ଖେଳାଯିବା ନିଷ୍ପତ୍ତିକୁ ମଧ୍ୟ ଆଉ ଏକ ବିକଳ୍ପ ଭାବେ ରଖାଯାଇଛି। ତେବେ ଏହି ନୂଆ ଟ୍ବେଣ୍ଟି-୨୦ ବିକଳ୍ପ ପଛରେ ଏକ ସମସ୍ୟା ମଧ୍ୟ ରହିଛି। ଶେଷ ଟେଷ୍ଟ୍‌ ପାଇଁ ବିଭିନ୍ନ ପ୍ରସାରଣ ସ˚ସ୍ଥା ଅଢ଼େଇ କୋଟି ପାଉଣ୍ଡ ପ୍ରଦାନ କରିଥିଲେ। ଯଦି ମ୍ୟାଚ୍‌ ପୁଣି ଥରେ ଖେଳାଯାଏ ତାହା ହେଲେ ୫ ଦିନ ପ୍ରସାରଣ କରିବା ଅପେକ୍ଷା ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଦୁଇଟି ସନ୍ଧ୍ୟା ପାଇଁ ପ୍ରସାରଣ କରିବାକୁ ସେମାନେ ରାଜି ହେବେ କି ନାହିଁ ତାହା ଉପରେ ନିର୍ଭର କରିବ। ଏଥିସହିତ କର୍ପୋରେଟ୍‌ ଆତିଥ୍ୟ, ଟିକେଟ୍‌, ଖାଦ୍ୟ ଓ ପାନୀୟ ସହିତ ଏକ ପୂର୍ଣ୍ଣ ଟେଷ୍ଟ୍‌ ମ୍ୟାଚ୍‌ରୁ ହେବାକୁଥିବା ଆୟ ବିଷୟକୁ ଧ୍ୟାନରେ ରଖିବାକୁ ହେବ। ମାଞ୍ଚେଷ୍ଟର ମ୍ୟାଚରୁ ୧ କୋଟି ପାଉଣ୍ଡରୁ ଅଧିକ ଆୟ ହୋଇଥାନ୍ତା। ଯାହାକି ଦୁଇଟି ଟ୍ବେଣ୍ଟି-୨୦ରୁ ହେବାକୁଥିବା ଆୟରୁ ଢେର ଅଧିକ ହେବ।

ଆସନ୍ତା ବର୍ଷ ଖରାଦିନ ବେଳକୁ ଭାରତ ତିନୋଟି ଟ୍ବେଣ୍ଟି-୨୦ ଓ ତିନୋଟି ଆନ୍ତର୍ଜାତିକ ଦିନିକିଆ ଖେଳିବାକୁ ଧାର୍ଯ୍ୟ ହୋଇଛି। ଏହି ଗସ୍ତ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ଶେଷ ହୋଇଯିବ। ଅନ୍ୟପକ୍ଷରେ ଟେଷ୍ଟ୍‌ ଶୃଙ୍ଖଳାର ଫଳାଫଳକୁ ନେଇ ଏବେବି ଦ୍ବନ୍ଦ୍ବ ଲାଗିରହିଛି। ଯଦିଓ ଭାରତ ୨-୧ରେ ଆଗୁଆ ଅଛି, ତଥାପି ଶେଷ ମ୍ୟାଚ୍‌ ସ˚କ୍ରାନ୍ତରେ ନିଷ୍ପତ୍ତି ନେବାକୁ ଇ˚ଲଣ୍ଡ ବୋର୍ଡ ଆଇସିସିକୁ ଚିଠି ଲେଖିଛି। ଆଇସିସିର ବିବାଦ ସମାଧାନ ସମିତି ଏହି ମାମଲାକୁ ବିଚାର କରୁ ବୋଲି ଇ˚ଲଣ୍ଡ ବୋର୍ଡ ଚାହୁଁଛି। ସମିତି ଏହି ମ୍ୟାଚକୁ ବାତିଲ ଘୋଷଣା କଲେ ବୋର୍ଡ ବୀମାରୁ ଏହାର ଭରଣା କରିବାକୁ ଉଦ୍ୟମ କରିପାରେ ବୋଲି କୁହାଯାଉଛି। ପୁଣି ଆଇସିସିର ଏହି ସମିତି ନିୟମ ଅନୁଯାୟୀ ଯଦି ଏହାକୁ ବାତିଲ କରାଯାଏ, ତାହା ହେଲେ ନିଷ୍ପତ୍ତି ଉଭୟ ପକ୍ଷକୁ ସମାନ ଭାବେ ସୁହାଇବ ଏବ˚ ଘରୋଇ ବୋର୍ଡ ବୀମା ପାଇଁ ଆବେଦନ କରିପାରିବ। ତେବେ ରବିବାର ସୁଦ୍ଧା ଆଇସିସି ପାଖରେ ଇସିବି ପକ୍ଷରୁ କୌଣସି ମେଲ୍‌ ଆସିନଥିବା ଜଣେ ଅଧିକାରୀ କହିଛନ୍ତି।

ଆଇପିଏଲ୍‌ ପାଇଁ ନୁହେଁ, ଭାରତୀୟ ଖେଳାଳି ମନାକରିବାରୁ ପଞ୍ଚମ ଟେଷ୍ଟ୍‌ ସ୍ଥଗିତ ରହିଛି: ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଶିବିରରେ ଦେଖାଦେଇଥିବା କୋଭିଡ୍‌-୧୯ ସ˚କ୍ରମଣକୁ ଦୃଷ୍ଟିରେ ରଖି ଇ˚ଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌କୁ ବାତିଲ କରାଯାଇଥିଲା। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହି ନିଷ୍ପତ୍ତି ପଛରେ ଭାରତୀୟ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କୌଣସି ଭୂମିକା ନଥିବା ଭାରତୀୟ କ୍ରିକେଟ୍‌ ବୋର୍ଡ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।

ଓଲ୍ଡ ଟ୍ରାଫୋର୍ଡରେ ଗତ ଶୁକ୍ରବାର ଖେଳାଯିବାକୁ ଥିବା ଟେଷ୍ଟ୍‌ ମ୍ୟାଚ୍‌ର ଦୁଇ ଘଣ୍ଟା ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା। ଏହି ଟେଷ୍ଟ୍‌ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ଥିବାବେଳେ କରୋନା ସ˚କ୍ରମଣ ଦେଖାଦେବାରୁ ଶେଷ ଟେଷ୍ଟ୍‌ ଖେଳିବାକୁ ଭାରତୀୟ ଖେଳାଳିମାନେ ଆଗ୍ରହ ଦେଖାଇନଥିଲେ। ଫିଜିଓ ଯୋଗେଶ ପରମରଙ୍କଠାରେ ସ˚କ୍ରମଣ ଦେଖାଦେବାରୁ ଖେଳାଳିମାନେ ଏହା ସ୍ଥିର କରିଥିଲେ। ଯୋଗେଶ ପ୍ରତ୍ୟେକ ଖେଳାଳିଙ୍କ ସହିତ ପ୍ରତ୍ୟେକ୍ଷ ସ˚ସ୍ପର୍ଶରେ ଆସିଥିବାରୁ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିବା ମାତ୍ରେ ସମସ୍ତେ ଚକିତ ହୋଇଯାଇଥିଲେ। ମ୍ୟାଚ୍‌ ହେଲେ ଖେଳାଳିମାନେ ଅଧିକ ଲୋକଙ୍କ ସହିତ ମିଶିବେ। ତେଣୁ ସ˚କ୍ରମଣ ବଢ଼ିବା ଆଶଙ୍କା ଦେଖାଦେଇଥିଲା। ଏପରିକି ଗାଙ୍ଗୁଲିଙ୍କ ମତ ସହିତ ଇ˚ଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ ସିଇଓ ଟମ୍‌ ହାରିସନ୍‌ ମଧ୍ୟ ଏକମତ ହୋଇଛନ୍ତି। ମ୍ୟାଚ୍‌ ବାତିଲ ହେବା ପଛରେ ଆଇପିଏଲ୍‌ ଏକ କାରଣ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିସିସିଆଇ ଏକ ଦାୟିତ୍ବସମ୍ପନ୍ନ ବୋର୍ଡ ହୋଇଥିବାରୁ ଉକ୍ତ ମ୍ୟାଚ୍‌ ଆସନ୍ତା ବର୍ଷ ଖେଳାଯାଇପାରେ ବୋଲି ଟମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର