ଇଂଲଣ୍ଡ ଟେଷ୍ଟ୍‌ ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବ ବିସିସିଆଇ

ନୂଆଦିଲ୍ଲୀ: ଚେନ୍ନାଇର ଚେପକ ଏବଂ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମ୍‌ରେ ଆଗାମୀ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ। ପ୍ରଥମ ଦୁଇଟି ଟେଷ୍ଟ୍‌ ଚେନ୍ନାଇରେ ଏବଂ ଶେଷ ଦୁଇଟି ଅହମ୍ମଦାବାଦରେ ଖେଳାଯିବ। ଏହି ଟେଷ୍ଟ୍‌ ବେଳେ ଷ୍ଟାଡିୟମ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବା ଲାଗି ଅନୁମତି ଦେବ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଚିନ୍ତା କରୁଛି। ଅଷ୍ଟ୍ରେଲିଆରେ ଭାରତ ଶୃଙ୍ଖଳା ଖେଳୁଥିଲା ବେଳେ ଯେଭଳି ଦର୍ଶକଙ୍କ ସଂଖ୍ୟାକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଅନୁମତି ଦେଇଥିଲା ତାହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ବେଳେ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ରଖିବ ବୋଲି ଭାବୁଛି।

ଏନେଇ ବିସିସିଆଇ ମଧ୍ୟ ଟେଷ୍ଟ୍‌ ଆୟୋଜକ ରାଜ୍ୟ ସଂଘ (ଟିଏନ୍‌ସିଏ ଓ ଜିସିଏ) ସହିତ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରୁଛି। ସବୁସତ୍ତ୍ବେ କୋଭିଡ୍‌-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଯଦି ଚେନ୍ନାଇ ଓ ଅହମ୍ମଦାବାଦରେ କରୋନା ସଂକ୍ରମଣ ବୃଦ୍ଧି ପାଏ ତାହାଲେ ନିଷ୍ପତ୍ତି ବଦଳିପାରେ ବୋଲି କହିଛି। ଅବଶ୍ୟ ଉଭୟ ସ୍ଥାନରେ ଦୁଇଟି ଅଲଗା ଅଲଗା ଜୈବ ବଳୟ ପ୍ରସ୍ତୁତ କରାଯିବ ଏବଂ ଦଳ ଚାର୍ଟର୍ଡ ବିମାନରେ ଦେଶ ମଧ୍ୟରେ ଯାତ୍ରା କରିବ। ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଘରୋଇ ଦଳ ଘୋଷିତ ହୋଇସାରିଥିଲା ବେଳେ ଭ୍ରମଣକାରୀ ଦଳ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ। ପ୍ରଥମ ଥର ଲାଗି କୌଣସି ଭ୍ରମଣକାରୀ ଦଳ ଆଗୁଆ ଖେଳାଳିଙ୍କ ନାମ ଘୋଷଣା କରିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର