ଦଳୀୟ ପରିଚାଳନା, ଖେଳାଳି ଓ ଚୟନକର୍ତ୍ତାଙ୍କ ମଧ୍ୟରେ ଯୋଗାଯୋଗର ବ୍ୟବଧାନକୁ ଦୂର କରିବ ବିସିସିଆଇ

ନୂଆଦିଲ୍ଲୀ: ଦଳ ଗଠନ ଏବ˚ ଭବିଷ୍ୟତ ଯୋଜନା ଉପରେ ଦଳୀୟ ପରିଚାଳନା, ଚୟନକର୍ତ୍ତା ଏବ˚ ବୋର୍ଡ ମଧ୍ୟରେ ଥିବା ସମନ୍ବୟ ଉପରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ପଦକ୍ଷେପ ଗ୍ରହଣ କରିଛି। ଏଭଳି ସମସ୍ୟାର ସମାଧାନ ପାଇଁ ବିସିସିଆଇର ଉଚ୍ଚ ପଦାଧିକାରୀମାନେ ଆସନ୍ତା ଦୁଇ ବର୍ଷର ଯୋଜନା ପ୍ରସ୍ତୁତ କରିବାକୁ ଖେଳାଳି ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ଗତ ଜୁନ୍‌ ମାସରେ ନ୍ୟୁଜିଲାଣ୍ତ ବିପକ୍ଷରେ ବିଶ୍ବ ଟେଷ୍ଟ ପ୍ରତିଯୋଗିତା ଫାଇନାଲ୍‌ରେ ଭାରତ ପରାଜିତ ହେବା ପରେ ଏହି ପ୍ରସଙ୍ଗ ମୁଣ୍ତ ଟେକିଛି। ବିଶେଷକରି ଟେଷ୍ଟ କ୍ରିକେଟରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ହେବା ଆବଶ୍ୟକତା ରହିଥିବା ଅଧିନାୟକ ବିରାଟ କୋହଲିଙ୍କ ମନ୍ତବ୍ୟ ପରେ ସମନ୍ବୟର ଅଭାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୋଟିଏ ବଡ଼ ପ୍ରତିଯୋଗିତା ପାଇଁ ଦଳ ଗଠନ ବେଳେ ସ୍ବଚ୍ଛତାର ଅଭାବ ଦେଖାଦେବା ସବୁବେଳେ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏପରି ଘଟଣା ଏକାଧିକଥର ଦେଖାଗଲାଣି ଯେ, ଦଳୀୟ ପରିଚାଳନା କିମ୍ବା ଚୟନକର୍ତ୍ତାଙ୍କ ସହିତ ଯୋଗାଯୋଗରେ ବ୍ୟବଧାନ ରହୁଥିବା ଖେଳାଳିମାନେ ଗତ ତିନିବର୍ଷ ଧରି ଅଭିଯୋଗ କରିଆସୁଛନ୍ତି। ତେଣୁ ଏହି ବ୍ୟବଧାନ ହେଉ ବା କୌଣସି ଦ୍ବଦ୍ବକୁ ଦୂର କରିବା ପାଇଁ ହେଉ ବିସିସିଆଇ ସିଧାସଳଖ ଭାବେ ଖେଳାଳି ଓ ଦଳୀୟ ପରିଚାଳନା ସହିତ ଯୋଗାଯୋଗ ରଖିବାକୁ ଏକ ମାଧ୍ୟମ ବାହାର କରିଛି। ତେବେ ଡବ୍ଲୁଟିସି ଫାଇନାଲ ପରେ ଶୁଭମନ ଗିଲଙ୍କ ଆହତ ଘଟଣା ଉକ୍ତ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା। ଶୁଭମନଙ୍କ ବଦଳରେ ଦୁଇ ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଥିବା ଦଳୀୟ ପରିଚାଳନା ପକ୍ଷରୁ ବିସିସିଆଇକୁ କୁହାଯାଇଥିଲା। ତେବେ ବିସିସିଆଇ ଓ ଚୟନକର୍ତ୍ତାମାନେ ପ୍ରଥମେ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବଦଳ ଖେଳାଳି ଭାବେ ଇ˚ଲଣ୍ତ ପଠାଯାଇଥିଲା। ଏହି ଦୁଇଜଣ ବର୍ତ୍ତମାନ ସଙ୍ଗରୋଧରେ ଥିବାବେଳେ ତୃତୀୟ ଟେଷ୍ଟ ବେଳକୁ ଏମାନେ ଦଳ ସହିତ ମିଶିବାକୁ ଅନୁମତି ପାଇବେ।

ବର୍ତ୍ତମାନ ବିସିସିଆଇର ଉଚ୍ଚ ପଦାଧିକାରୀମାନେ ଅକ୍ଟୋବରରୁ ଆରମ୍ଭ ହେଉଥିବା ଟି୨୦ ବିଶ୍ବ କପ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଏକାଧିକ ବୈଠକ କରିସାରିଲେଣି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଉପରେ ଏହି ବୈଠକରେ ଆଲୋଚନା କରାଯାଉଛି। ବର୍ତ୍ତମାନର ଚୟନକର୍ତ୍ତାମାନେ ଡିସେମ୍ବରକୁ ୧ ବର୍ଷ ପୂରଣ କରିବେ। ତେଣୁ ଏମାନଙ୍କର ପ୍ରଦର୍ଶନକୁ ମଧ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଅନେକ ଯୋଗାଯୋଗ ଓ ସନ୍ଦେଶଗୁଡ଼ିକ ଅନୁବାଦ ମଧ୍ୟରେ ହଜି ଯାଉଥିବା ସମସ୍ୟା ଦେଖାଦେଇଛି। ତେଣୁ ବୋର୍ଡର ଉଚ୍ଚ ପଦାଧିକାରୀମାନେ ଏକ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଦ୍ବାରା ଦଳୀୟ ପରିଚାଳନା ଓ ଖେଳାଳିମାନେ ସେମାନଙ୍କ ସମସ୍ୟାଗୁଡ଼ିକୁ ସିଧାସଳଖ ଶୀର୍ଷ ପରିଚାଳକଙ୍କୁ ଅବଗତ କରାଇପାରିବେ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର