ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)କୁ ଶକ୍ତ ଝଟ୍କା ଲାଗିଛି। ଦେଶରେ କ୍ରିକେଟ୍ର ଏହି ସର୍ବୋଚ୍ଚ ସଂସ୍ଥା ବିପକ୍ଷରେ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଫ୍ରାଞ୍ଚାଇଜ୍ ଡେକାନ୍ ଚାର୍ଜର୍ସ ଅଦଲତି ଲଢ଼େଇ ଜିତି ନେଇଛି। ୨୦୦୯ ଆଇପିଏଲ୍ ଦ୍ବିତୀୟ ସଂସ୍କରଣର ବିଜେତା ହୋଇଥିଲା ଡେକାନ୍ ଚାର୍ଜର୍ସ। ସେତେବେଳେ ଏହି ଦଳ ହାଇଦ୍ରାବାଦ ଭିତ୍ତିକ ମିଡ଼ିଆ ହାଉସ୍ ଡିଏଚ୍ସିଏଲ୍ (ଡେକାନ୍ କ୍ରୋନିକାଲ ହୋଲ୍ଡିଙ୍ଗ୍ସ ଲିମିଟେଡ୍) ମାଲିକାନାରେ ରହିଥିଲା। କିନ୍ତୁ ପରେ ଏହି ଫ୍ରାଞ୍ଚାଇଜ୍ କେତେକ ଆର୍ଥିକ ସମସ୍ୟା ନେଇ ବିବାଦ ଘେରକୁ ଆସିଥିଲା। ଫଳରେ ଆଇପିଏଲ୍ ପଞ୍ଚମ ସଂସ୍କରଣ ଏଭଳି ବିବାଦକୁ ନେଇ ବିସିସିଆଇ ସଂପୃକ୍ତ ଫ୍ରାଞ୍ଚାଇଜ୍କୁ ଆଇପିଏଲ୍ରୁ କାହିଁକି ବହିଷ୍କାର କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା।
୨୦୧୨ ଅଗଷ୍ଟ ୧୧ ତାରିଖରେ ଏହି ନୋଟିସ୍ ଜାରି ହୋଇଥିଲା ବେଳେ ସେହି ବର୍ଷ ମଧ୍ୟ ବହିଷ୍କାର କରାଯାଇଥିଲା। ଏହାକୁ କେନ୍ଦ୍ରକରି ଡେକାନ୍ ଚାର୍ଜର୍ସ ଏବଂ ବିସିସିଆଇ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ବହିଷ୍କାରକୁ ବେଆଇନ ଦର୍ଶାଇ ଡେକାନ୍ ଚାର୍ଜର୍ସ ମଧ୍ୟ ବିସିସିଆଇ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାର ସମାଧାନ ପାଇଁ ବମ୍ବେ ହାଇକୋର୍ଟ ଅବସରପ୍ରାପ୍ତ ଜଷ୍ଟିସ୍ ସିକେ ଠାକୁରଙ୍କୁ ଆର୍ବିଟର୍ ନିଯୁକ୍ତ କରିଥିଲା। ଶୁକ୍ରବାର ଜଷ୍ଟିସ୍ ଠାକୁର ତାଙ୍କ ରାୟ ପ୍ରକାଶ କରିଛନ୍ତି। ଏଥିରେ ଡେକାନ୍ ଚାର୍ଜର୍ସକୁ କ୍ଷତିପୂରଣ ବାବଦରେ ୪୮୦୦ କୋଟି ଟଙ୍କା ଦେବାକୁ ବିସିସିଆଇକୁ ନିର୍ଦେଶ ଦେଇଛନ୍ତି ବୋଲି ଡେକାନ୍ ଚାର୍ଜର୍ସ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଧୀର ଆଣ୍ଡ୍ ଧୀର ଆସୋସିଏଟ୍ସ ଏକ ବିବୃତିରେ ଜଣାଇଛନ୍ତି।