ନୂଆଦିଲ୍ଲୀ: ଦେଶ କରୋନାର ଦ୍ବିତୀୟ ତରଙ୍ଗ ସହ ଲଢ଼ୁଥିବା ବେଳେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଥିରେ ସହଯୋଗର ହାତ ବଢ଼ାଇଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍ର ଘୋର ଅଭାବ ଦେଖା ଦେଇଛି। ଏହି ଅସମୟରେ ବିସିସିଆଇ ୧୦ ଲିଟରିଆ ୨୦୦୦ ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ପ୍ରଦାନ କରିବାକୁ ଘୋଷଣା କରିଛି। ‘‘ଦେଶ ଏବେ ଅଦୃଶ୍ୟ କରୋନା ଭୂତାଣୁର ଦ୍ବିତୀୟ ତରଙ୍ଗ ସହ ଲଢ଼େଇ କରୁଥିଲା ବେଳେ ମେଡିକାଲ ଉପକରଣ ଏବଂ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ଚାହିଦା ଆବଶ୍ୟକ କରୁଛି।
ଆଗାମୀ କିଛି ମାସ ମଧ୍ୟରେ ବୋର୍ଡ ସାରା ଦେଶରେ କନ୍ସେନ୍ଟ୍ରେଟର୍ସ ଯୋଗାଇବ। ଯାହାଦ୍ବାରା ଏହାକୁ ଆବଶ୍ୟକ କରୁଥିବା ଗରିବ ରୋଗୀ ବିନା ବାଧାରେ ପାଇପାରିବେ। ଏହାଦ୍ବାରା ମହାମାରୀ ଦ୍ବାରା ହୋଇଥିବା ବିପଦ ହ୍ରାସ ପାଇବ’’ ବୋଲି ବିସିସିଆଇ ତା ୱେବ୍ସାଇଟ୍ରେ ପ୍ରକାଶ କରିଛି। ଏହି ମାହାମାରୀ ସମୟରେ ନିରନ୍ତର ସେବା ଯୋଗାଇଉଥିବା ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସଂପ୍ରଦାୟକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି।
କରୋନା ରିଲଫ୍ କାର୍ଯ୍ୟରେ ବ୍ୟସ୍ତ ପାଣ୍ଡ୍ୟା ଭ୍ରାତା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ପାଣ୍ଡ୍ୟା ଭ୍ରାତା ଦ୍ବୟ ହାର୍ଦିକ ଓ କୃନାଲ କରୋନା ରିଲିଫ୍ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖାଯାଇଛି। ଏହି ମହାମାରୀ ସମୟରେ ଏହି ଦୁଇ ଭାଇ ଅସୁବିଧାରେ ଥିବା କେନ୍ଦ୍ରକୁ ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ପଠାଉଛନ୍ତି। ଭାରତ ପାଇଁ ଦିନିକିଆ ଓ ଟି-୨୦ ଖେଳିଥିବା ବଡ଼ ଭାଇ କୃନାଲ ସୋମବାର କିଛି ଫଟୋ ଟ୍ବିଟର୍ରେ ପୋଷ୍ଟ୍ କରି ଏହି ସୂଚନା ଦେଇଛନ୍ତି। ‘‘ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ଏହି ନୂଆ ବ୍ୟାଚ୍କୁ ବିଭିନ୍ନ କେନ୍ଦ୍ରକୁ ପଠାଉଛୁ। ଏଥିସହ ହୃଦୟର ଅନ୍ତର ପ୍ରଦେଶରୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ ସମସ୍ତେ ଶୀର୍ଘ ସୁସ୍ଥ ହୁଅନ୍ତୁ।’’ ବୋଲି କୃନାଲ ନିଜ ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ହାର୍ଦିକ ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ‘‘ଏହି ମହାମାରୀ ବିପକ୍ଷ ଲଢ଼େଇ କେବଳ ଏକାଠି କାମ କଲେ ଜିତି ହେବ’’। ଭାଇ କୃନାଲଙ୍କ ସହ ତାଙ୍କ ପରିବାର ସମସ୍ତ ସଦସ୍ୟ ଦେଶର ଗ୍ରାମାଞ୍ଚଳର କରୋନା ଲଢ଼େଇ ପାଇଁ ୨୦୦ ଅକ୍ସିଜେନ କନ୍ସେନ୍ଟ୍ରେଟର୍ସ ପ୍ରଦାନ କରିବା ଲାଗି ଚଳିତ ମାସରେ ଅଲ୍ରାଉଣ୍ଡର ହାର୍ଦିକ ଘୋଷଣା କରିଥିଲେ।