ଅଲିମ୍ପିକ୍‌ ଯୋଗ୍ୟ ଆଥ୍‌ଲେଟ୍‌ଙ୍କୁ ୧୦ କୋଟି ଦେବ ବିସିସିଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ଆଥ୍‌ଲେଟ୍‌ଙ୍କ ପ୍ରଶିକ୍ଷଣ ଓ ପ୍ରସ୍ତୁତି ନିମନ୍ତେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବ। ଏହି ନିଷ୍ପତ୍ତି ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହାଙ୍କ ଉପସ୍ଥିତିରେ ରବିବାର ବିସିସିଆଇ ଇମର୍ଜେଣ୍ଟ ଆପେକ୍ସ କାଉନସିଲ ବୈଠକରେ ନିଆଯାଇଛି।

ଏହି ଅର୍ଥ କିପରି ଦିଆଯିବ ତାହା କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସହ କଥାବାର୍ତା ପରେ ଚୂଡାନ୍ତ କରାଯିବ। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ। ବିସିସିଆଇର ଏହି ବଦାନ୍ୟତା ଆଥ୍‌ଲେଟ୍‌ଙ୍କ ପ୍ରଶିକ୍ଷଣ ଓ ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହେବ। ବିସିସିଆଇ ସବୁବେଳେ ଅଲିମ୍ପିକ୍‌ କ୍ରୀଡ଼ାର ବିକାଶ ଦିଗରେ ବିଶ୍ବାସ କରେ। ଏଭଳି ବିପୁଳ ପରିମାଣର ସହାୟତା ରାଶି ମଧ୍ୟ ପୂର୍ବରୁ ଦିଆଯାଇଛି ବୋଲି ବିସିସିଆଇର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର