ପାଲେକେଲ୍: ବିଜୟରୁ ନୂଆ ପ୍ରଶିକ୍ଷକ ଓ ଅଧିନାୟକ ଯୋଡ଼ି ଗୌତମ ଗମ୍ଭୀର-ସୂର୍ଯ୍ୟକୂମାର ୟାଦବଙ୍କ ଭାରତୀୟ ଯୁଗର ଶୁଭାରମ୍ଭ ହୋଇଛି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଶନିବାର ଭାରତ ଖେଳିଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନ୍‌ରେ ପରାସ୍ତ କରିଛି। ୨୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଏକଦା ଦ୍ରୁତ ଗତିରେ ବିଜୟ ଆଡ଼କୁ ଆଗ୍ରସର ହେଉଥିଲା ବେଳେ ଅପୂର୍ବ ଆତ୍ମବିଶ୍ବାସ ଓ ଏକାଗ୍ରତାର ପରିଚୟ ଦେଇ ବୋଲର ହିଁ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ଝାଡ଼ି ଶ୍ରୀଲଙ୍କା କାନ୍ଧ ଉପରକୁ ଚାପ ଫେରାଇ ଦେବା ସହ ‌ଶେଷରେ ସହଜ ବିଜୟ ଉପହାର ଦେଇଥିଲେ। ଫଳରେ ଆତ୍ମବିଶ୍ବାସର ସହ ଗସ୍ତ ଆରମ୍ଭ କରିଥିଲା ଭାରତ। ତା ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଥିଲା। ସେପଟେ ଶ୍ରୀଲଙ୍କା ଓପନର ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ୍‌ଙ୍କ ୮.୪ ଓଭରରୁ ୮୪ ରନ୍‌ର ପ୍ରଥମ ୱିକେଟ୍ ଭାଗୀଦାରି ବେକାର ଯାଇଥିଲା। ୧୫ ଓଭର ପର୍ଯ୍ୟନ୍ତ ଶ୍ରୀଲଙ୍କା ପଲା ଭାରି ଥିଲେ ମଧ୍ୟ ‌ଶେଷ ୫ ଓଭରରେ ଭାରତୀୟ ଯୁବ ବୋଲିଂ ବାହିନୀ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଅକ୍ଷର ପଟେଲ, ଅର୍ଶଦୀପ ସିଂହ ଏବଂ ବିଂଶ ଓଭରର ପ୍ରଥମ ଦୁଇ ବଲ୍‌ରେ ଦୁଇଟି ୱିକେଟ୍ କରାୟତ୍ତ କରିଥିବା ରିୟାନ ପରାଗ ଏହାର ନେତୃତ୍ବ ନେଇଥିଲେ। ଶ୍ରୀଲଙ୍କା ଆଶ୍ଚର୍ଯ୍ୟଜନକ ଭାବେ ନିଜର ଶେଷ ୬ ୱିକେଟ୍ ମାତ୍ର ୧୨ ରନ୍‌ରେ ହରାଇ ସୁଯୋଗ ହାତଛଡ଼ା କରିଥିଲା।

Advertisment

ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର ଯଶସ୍ବୀ ଜୟସ୍ବାଲ୍ ଓ ଶୁବମନ୍‌ ଗିଲ୍ ପାୱାର ପ୍ଲେ୍‌’ରୁ ୫୫ ରନ୍ ସହ ପ୍ରଥମ ୱିକେଟ୍‌ରେ ୭୪ ରନ୍ ଅମଳ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ କିନ୍ତୁ ଅର୍ଦ୍ଧଶତକ ସୁଯୋଗକୁ ହାତଛଡ଼ା କରି ଦୁଇଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଯାଇଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ନିଜ ଯାଦୁ ଦେଖାଇଥିଲେ। ଋଷଭ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ଦ୍ରୁତ ୭୬ ରନ୍ ଯୋଡ଼ିଥିଲେ। ଫଳରେ ଭାରତ ୧୩.୧ ଓଭରରେ ‌ଦେଶ ଶହ ରନ୍ ଛୁଇଁଥିଲା। ସୂର୍ଯ୍ୟକୁମାର ବ୍ୟକ୍ତିଗତ ଭାବେ ୨୨ ବଲ୍‌ରୁ ୨୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ପନ୍ତ କିନ୍ତୁ ମାତ୍ର ଗୋଟିଏ ରନ୍ ଦୂରରେ ଅଟକି ଏକ ସ୍ମରଣୀୟ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ପନ୍ତଙ୍କ ଆଉଟ୍ ପରେ କିନ୍ତୁ ଏକଦା ୨୩୦ ରନ୍ ଟପିବାର ଆଶାରେ ଥିବା ଭାରତ ଲଗାତାର ଚାରିଟି ୱିକେଟ୍ ହରାଇ ୨୧୩/୭ରେ ଅଟକି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ ୨୧୩/୭ (ସୂର୍ଯ୍ୟକୁମାର ଯାଦବ ୫୮, ଋଷବ ପନ୍ତ ୪୯, ଯଶସ୍ବୀ ଜୟସ୍ବାଲ୍ ୪୦, ଶୁବମନ୍‌ ଗିଲ୍ ୩୪, ମଥିସା ପଥିରଣା ୪/୪୦)। ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ (ପଥୁମ ନିଶଙ୍କା ୭୯, କୁଶଲ ମେଣ୍ଡିସ୍ ୪୫, ରିୟାନ ପରାଗ ୩/୫, ଅର୍ଶଦୀପ ସିଂହ ୨/୨୪, ଅକ୍ଷର ପଟେଲ ୨/୩୮)।