ବିଦେଶରେ ସର୍ବକାଳୀନ ଶ୍ରେଷ୍ଠ ଏସିଆ ଏକାଦଶ

ଏସିଆ ବାହାରେ ଏସୀୟ ବ୍ୟାଟ୍‌ସମ୍ୟାନ୍‌

ଭୁବନେଶ୍ବର: ଆମେ ଆଜି ଏଭଳି ଏକ ସର୍ବକାଳୀନ ଏସୀୟ କ୍ରିକେଟ୍‌ ଏକାଦଶ ବାଛିଛୁ ଯେଉଁମାନେ ବିଦେଶ ମାଟିରେ ଭଲ କରିଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ୍‌ରେ ଭଲ ଖେଳିଥିବା ଖେଳାଳିଙ୍କ ପରିସଂଖ୍ୟାନକୁ ଭିତ୍ତି କରି ହିଁ ଏହା ବଛାଯାଇଛି। ଏହି ଅବସରରେ ଇତିହାସ ପୃଷ୍ଠାରୁ ବି କିଛି କୁହାଯିବାର ପ୍ରାସଙ୍ଗିକତା ରହିଛି। ୧୯୩୨ ମସିହା‌େର ଭାରତ ପ୍ରଥମ ଥର ଇଂଲଣ୍ଡ ଗସ୍ତ କରିଥିଲା। କିନ୍ତୁ ୧୯୬୭-୬୮ ମସିହା ପର୍ଯ୍ୟନ୍ତ କୌଣସି ଉପମହାଦେଶୀୟ ଦଳ ବିଦେଶରେ ଜିତିନଥିଲେ। ଭାରତ ପ୍ରଥମେ ୩-୧ରେ ନ୍ୟୁଜିଲାଣ୍ଡ୍‌କୁ ହରାଇ ଏହି ଗୌରବ ଆଣିଥିଲା। ଭାରତ ଏହା ପରେ ୧୯୭୧ ମସିହାରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ରେ ଜିତିଥିଲା। କିନ୍ତୁ ୨୦୦୬ ମସିହା ପର୍ଯ୍ୟନ୍ତ ଏହା ସେଭଳି ନିରଂତର ସଫଳତା ହୋଇପାରିନଥିଲା। ପାକିସ୍ତାନ ନ୍ୟୁଜିଲାଣ୍ଡ୍‌ରେ ସଫଳ ହୁଏ ଏବଂ ଇଂଲଣ୍ଡରେ ବି ସାଧାରଣ ସଫଳତା ପାଇଥାଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ସଂଘର୍ଷ କରୁଥିଲା। ଶ୍ରୀଲଙ୍କା ବି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ରେ କାଁ ଭାଁ ଜିତୁତିଲା। ୨୦୧୯ ମସିହାରେ କିନ୍ତୁ ପ୍ରଥମ ଏସୀୟ ଦେଶ ଭାବେ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିବାର ସଫଳତା ପାଇଥିଲା। ବାଂଲାଦେଶର ଏକମାତ୍ର ବିଦେଶ ବିଜୟ ୨୦୦୯ ମସିହାରେ ଆସିଥିଲା ଯେତେବେଳେ ୱେଷ୍ଟଇଣ୍ଡିଜ୍‌ର ମୁଖ୍ୟ ଖେଳାଳି ଧର୍ମଘଟରେ ଥିଲେ।

ପ୍ରାରମ୍ଭିକ ଯୋଡ଼ି
(ସୁନିଲ ଗାଭାସ୍କର-ସଇଦ ଅନୱାର)
ସୁନିଲ ଗାଭାସ୍କରଙ୍କ ସଂଖ୍ୟା ସବୁଠୁ ଆଗରେ ରହିଛି। ୧୫ ଶତକ ଯାହାକି ତାଙ୍କୁ ଅନ୍ୟମାନଙ୍କଠାରୁ ୧୧ ଆଗରେ ରଖିଛି। ପୋର୍ଟ ଅଫ୍‌ ସ୍ପେନ୍‌ରେ ନିଜ ପଦାର୍ପଣ ଟେଷ୍ଟ୍‌ରେ (୧୯୭୧) ଏବଂ ୧୯୭୬ରେ ଭାରତର ବିଜୟରେ ସେ ପ୍ରମୁଖ ଅବଦାନ ରଖିଥିଲେ। ମେଲବର୍ନ (୧୯୭୭ ଏବଂ ୧୯୮୧)ରେ ତାଙ୍କ ଦ୍ବିତୀୟ ପାଳି ଏବଂ ୧୯୭୯ରେ ଦ ଓଭାଲରେ ଚତୁର୍ଥ ପାଳି ଦ୍ବିଶତକ ଅବଶ୍ୟ ବେକାର ଯାଇଥିଲା। ସଇଦ୍ ଅନୱାର ମୋଟ ୧୫ ଟେଷ୍ଟ୍ ଖେଳିଥିଲେ ଏହି ଦେଶମାନଙ୍କରେ। କେବେ ବି ୱେଷ୍ଟଇଣ୍ଡିଜ୍ ଗସ୍ତ କରିନଥିଲେ। କିନ୍ତୁ ପାକିସ୍ତାନର ବିଦେଶ ବିଜୟ ବେଳେ ଅନୱାର ୬୬.୬୩ ହାରରେ ବ୍ୟାଟିଂ କରିଥିଲେ। ୧୯୯୮ରେ ଡର୍ବାନ୍‌ ବିଜୟରେ ୧୧୮ କରିଥିଲେ। ଗାବାରେ ମହାଦେଶୀୟ ବ୍ୟାଟସମ୍ୟାନ୍‌ ସଂଘର୍ଷ କରୁଥିବା ବ‌େଳେ ୧୯୯୯ରେ ଅନୱାର ଉଭୟ ପାଳିରେ ଯଥାକ୍ରମେ ୬୧, ୧୧୯ ରନ୍ କରିଥିଲେ। ପ୍ରାରମ୍ଭିକ ଯୋଡ଼ି ଭାବେ ଅନ୍ୟ ଦାବିଦାର ଅଛନ୍ତି ମଜିଦ୍‌ ଖାନ, ହନିଫ ମହମ୍ମଦ, ତମିମ୍ ଇକବାଲ୍‌, ମାର୍ବଣ ଆଟାପାଟ୍ଟୁ, ବୀରେନ୍ଦ୍ର ସେହବାଗ।

ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌
(ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର, ଇଞ୍ଜାମାମ୍‌ ଉଲ୍ ହକ୍‌)
ଭାରତୀୟ ଦଳର ବିଦେଶ ଭ୍ରମଣ ବେଳେ ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକର ଯଥାକ୍ରମେ ୩ ଓ ୪ ନମ୍ବର ସ୍ଥାନ ସମ୍ଭାଳୁଥିଲେ। ସଚିନ (୬୦୦୭) ଏବଂ ଦ୍ରାବିଡ଼ (୫୪୨୦) ଅଗ୍ରଣୀ ରନ୍‌ ସଂଗ୍ରହକାରୀ ରହିଛନ୍ତି। ଗାଭାସ୍କରଙ୍କୁ ମିଶାଇ ଏହି ୩ ଜଣ ଆଲୋଚିତ ୫ ଦେଶ ବିପକ୍ଷରେ ୧୦୦୦ରୁ ଊର୍ଧ୍ବ ରନ୍‌ କରିଛନ୍ତି। ସଚିନଙ୍କ ସ୍ଥିରତା ଅତୁଳନୀୟ ରହିଛି। ସମ୍ପୃକ୍ତ ୫ ଦେଶ ବିପକ୍ଷରେ ସେ ୪୫ରୁ ଊର୍ଧ୍ବ ହାରରେ ରନ୍‌ ସଂଗ୍ରହ କରିଥିଲେ। ଦ୍ରାବି ଡ଼ ଆଡିଲେଡ୍‌, କିଙ୍ଗଷ୍ଟନ୍‌, ପର୍ଥ ଓ ହେଡିଙ୍ଗଲେରେ ମ୍ୟାଚ୍‌ ବିଜୟୀ ପାଳି ଖେଳିବା ବେଳେ ୭୦.୯୩ ହାରରେ ରନ୍‌ ସଂଗ୍ରହ କରିଛନ୍ତି।
୫ ନମ୍ବର ସ୍ଥାନରେ ଖେଳୁଥିବା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଏସୀୟଙ୍କ ମଧ୍ୟରେ ସର୍ବାଧିକ ୧୩୦୨ ରନ୍ କରିଛନ୍ତି। ୪ ଶତକ, ୭୬.୫୮ ହାରରେ ବ୍ୟାଟିଂ କରିଥିଲେ। ୫ ନମ୍ବର ତଳେ ବ୍ୟାଟିଂ ବେଳେ ସେ ୪୫.୭୭ ହାରରେ ମଧ୍ୟ ରନ୍ କରିଛନ୍ତି। ଲର୍ଡସରେ ୧୪୮ ଓ ୭୦, ଓଲ୍ଡ ଟ୍ରାଫୋର୍ଡରେ ୧୧୪ ଓ ୮୫, ସାବିନା ପାର୍କରେ ୫୦ ଓ ୧୧୭* ଏବଂ ପୋର୍ଟ ଏଲିଜାବେଥରେ ୯୨* ରନ୍‌ ତାଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିଛି। ମଧ୍ୟକ୍ରମ ଦୌଡ଼ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଜାଭେଦ ମିଆଁଦାଦ, ମହିନ୍ଦର ଅମରନାଥ, ୟୁନିସ୍‌ ଖାନ୍‌, ଭିଭିଏସ୍ ଲକ୍ଷ୍ମଣ, ସଲିମ୍‌ ମଲ୍ଲିକ ଓ ବିରାଟ କୋହଲି।

ୱିକେଟ୍‌ରକ୍ଷକ
(କୁମାର ସାଙ୍ଗାକାରା)
ୱିକେଟରକ୍ଷକ ବାଛିବା ନିଶ୍ଚିତ କାଠିକର କାମ। ବ୍ୟାଟିଂରେ ଏମାନେ ହାରାହାରି ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ଦେଶରେ କିନ୍ତୁ ସାଙ୍ଗାକାରା ଭଲ ବ୍ୟାଟିଂ କରିଥିଲେ। ଏହି ଦୌଡ଼ରେ ଅନ୍ୟମାନଙ୍କ ମଧ୍ୟରେ ଦୁଇ ଭାରତୀୟ ଫାରୁକ୍‌ ଇଂଜିନିୟର୍‌ ଓ ମହେନ୍ଦ୍ର ସିଂହ ଧୋନି ରହିଛନ୍ତି।

ଅଲ୍‌ରାଉଣ୍ଡର୍‌
(ଇମ୍ରାନ୍‌ ଖାନ୍‌, ମୁସ୍ତାକ୍ ମହମ୍ମଦ)
୩ ଜଣ ବୋଲର ଥିବାରୁ ତୃତୀୟ ସିମର୍‌ ଜଣଙ୍କ ବୋଲିଂ ଅଲରାଉଣ୍ଡର୍‌। ଏସିଆ ବାହାରେ ୩୪ ହାରରେ ବୋଲିଂ ଏବଂ ୨୬ ହାରରେ ବ୍ୟାଟିଂ କର ଇମ୍ରାନ୍‌ ଖାନ୍‌ ଶୀର୍ଷରେ ରହିଛନ୍ତି। ସିଡନି (୧୯୭୭), ଲିଡ୍‌ସ (୧୯୮୭), ଜର୍ଜଟାଉନ୍ (୧୯୮୮)ରେ ପାକିସ୍ତାନର ବିଜୟରେ ଇମ୍ରାନ୍‌ ପ୍ରଭାବୀ ରହିଥିଲେ। ୪ ଦେଶରେ ଖେଳିଥିଲେ ମଧ୍ୟ ସବୁ ପରିସ୍ଥିତିରେ ସେ ଭଲ କରୁଥିଲେ। ମୁରଲୀଧରନ ଅଗ୍ରଣୀ ସ୍ପିନର୍‌ ଥିବାରୁ ସକିବ୍ ଅଲ ହାସନ୍‌ଙ୍କୁ ସ୍ବଳ୍ପକେ ପଛରେ ପକାଇ ମୁସ୍ତାକ ମହମ୍ମଦ ଯୋଗ୍ୟତା ଆର୍ଜନ କରିଛନ୍ତି। ପୋର୍ଟ ଅଫ୍ ସ୍ପେନ୍ (୧୯୭୭)ରେ ୧୨୧ ଓ ୫୬ ରନ୍‌ କରିବା ସହିତ ୮ ୱିକେଟ୍ ଦଖଲ କରିବାରୁ କ୍ଲାଇବ୍ ଲୟଡଙ୍କ ଦଳକୁ ପାକିସ୍ତାନ ହରାଇଥିଲା। ଏ‌ହାର ୪ ବର୍ଷ ପୂର୍ବରୁ ଡୁନେଡିନ୍‌ରେ ସେ ଦ୍ବିଶତକ ଏବଂ ୫ ୱିକେଟ୍‌ ସଫଳତା ଅର୍ଜନ କରିଥିଲେ। ସକିବ୍‌ଙ୍କ ସହିତ କପିଳ ଦେବ ଏବଂ ଅସିଫ୍‌ ଇକବାଲ୍ ମଧ୍ୟ ଦାବିଦାର ରହିଥିଲେ।
ଚୂଡାନ୍ତ ଏକାଦଶ (ବ୍ୟାଟିଂ କ୍ରମରେ): ସୁନିଲ ଗାଭାସ୍କର, ସଇଦ୍ ଅନୱାର, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର, ଇଞ୍ଜାମାମ୍‌ ଉଲ୍ ହକ୍‌, କୁମାର ସାଙ୍ଗାକାରା (ୱିକେଟରକ୍ଷକ), ମୁସ୍ତାକ୍ ମହମ୍ମଦ, ଇମ୍ରାନ୍‌ ଖାନ୍‌ (ଅଧିନାୟକ), ୱାସିମ୍ ଆକ୍ରମ, ୱାକର୍‌ ୟୁନିସ୍‌ ଏବଂ ମୁଥୟା ମୁରଲୀଧରନ।

ବୋଲର୍‌
(ୱାସିମ୍ ଆକ୍ରମ, ୱାକର୍‌ ୟୁନିସ୍, ମୁଥୟା ମୁରଲୀଧରନ)
ନିଜ ବାମହାତୀ ବୋଲିଂର ବିବିଧତା ଜରିଆରେ ୱାସିମ୍ ଆକ୍ରମ ୧୮୧ ୱିକେଟ୍ ସହିତ ଆଗରେ ରହିଛନ୍ତି। ଇକୋନୋମି ରେଟ୍‌କୁ ୩ ତଳେ ରଖିବା ସହିତ ୩୦ ହାରରେ ୱିକେଟ୍‌ ନେଇଛନ୍ତି। ୯ ନମ୍ବର ସ୍ଥାନରେ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିବା ତାଙ୍କ ଦଳକୁ‌ ବୋନସ୍‌ ଭଳି ରହିଥାଏ। ୫୧.୯ ଷ୍ଟ୍ରାଇକ୍ ରେଟ୍‌ ସହିତ ୱାକର୍‌ ୟୁନିସ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏସୀୟ ସ୍ପିନରଙ୍କ ମଧ୍ୟରେ ମୁଥୟା ମୁରଲୀଧରନ ନିଶ୍ଚିତ ଆଗରେ। ଟେଷ୍ଟ୍ ପିଛା ୫ ୱିକେଟ୍‌ ଏବଂ ୨୫.୬୭ ହାରହାରି ସଫଳତା ପାଇଛନ୍ତି। ସମ୍ପୃକ୍ତ ୫ ଦେଶରେ ଶ୍ରୀଲଙ୍କାକୁ ମିଳିଥିବା ୫ ବିଜୟରେ ମୁରଲୀଙ୍କ ପ୍ରମୁଖ ଭୂମିକା ରହିଛି। ଏଥିରେ ତାଙ୍କର ୫ ଥର ୫ ୱିକେଟ୍‌ ଏବଂ ୩ ଥର ୧୦ ୱିକେଟ୍‌ ସଫଳତା ରହିଛି। ବୋଲରଙ୍କ ଦୌଡ଼ରେ କପିଳ ଦେବ, ମୁସ୍ତାକ ଅହମ୍ମଦ, ଭଗବତ ଚନ୍ଦ୍ରଶେଖର, ଜାହିର୍‌ ଖାନ୍‌, ଚାମିନ୍ଦା ଭାସ ଓ ଅନିଲ କୁମ୍ବଲେ ରହିଛନ୍ତି।

ସମ୍ବନ୍ଧିତ ଖବର