ସର୍ବକାଳୀନ ଶ୍ରେଷ୍ଠ ବିତର୍କ, ଫେଡେରରଙ୍କୁ ଗଲା ସେରେନାଙ୍କ ଭୋଟ୍‌

ନ୍ୟୁୟର୍କ: ସର୍ବକାଳୀନ ଶ୍ରେଷ୍ଠ ଟେନିସ୍ ଖେଳାଳି କିଏ? ଏହି ଅସରନ୍ତି ବିତର୍କ ଏବେ ବି ଚାଲିଛି। ପ୍ରଶଂସକ ଓ ଟେନିସ୍ ପଣ୍ଡିତମାନେ ଏହି କ୍ଷେତ୍ରରେ ଏକପ୍ରକାର ବିଭାଜିତ। ଆମେରିକାର ମହାନ ମହିଳା ଟେନିସ୍ ତାରକା ତଥା ୨୩ଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟିନୀ ସେରେନା ୱିଲିୟମ୍ସ କିନ୍ତୁ ଏଥିଲାଗି ସ୍ବିଜରଲାଣ୍ଡର କଂବଦନ୍ତି ରୋଜର ଫେଡେରରଙ୍କୁ ବାଛିଛନ୍ତି। ସେରେନାଙ୍କ ଭୋଟ ଫେଡେରରଙ୍କ ଖାତାକୁ ଯାଇଛି। ୩୯ ବର୍ଷୀୟା ସେରେନା ପୁରୁଷ ଏକକ ଟେନିସର ଅଗ୍ରଣୀ ଗ୍ରାଣ୍ଡସ୍ଲାମ୍ ବିଜେତା ଫେଡେରରଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ ଫେଡେରରଙ୍କ ଖେଳ ଦେଖି ଅନେକ ଖେଳାଳି ଆଗକୁ ବଢ଼ୁଛନ୍ତି।

ଅସଂଖ୍ୟ ତାଙ୍କ କୌଶଳ ଆପଣାଉଛନ୍ତି, କୋର୍ଟ ଭିତରେ ତାଙ୍କ ଭଳି ମୁଭ୍ କରୁଛନ୍ତି। ସେ ଜଣେ ମହାନ ଖେଳାଳି। ସ୍ପେନର ରାଫେଲ ନାଦାଲଙ୍କୁ ମଧ୍ୟ ସେରେନା ଆଉ ଜଣେ ମହାନ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। ନାଦାଲ ଗତବର୍ଷ ଅକ୍ଟୋବରରେ ରେକର୍ଡ ତ୍ରୟୋଦଶ ଥର ପାଇଁ ଫ୍ରେଞ୍ଚ ଓପନ୍ ଜିତି ୨୦ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଥିବା ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ସଂପ୍ରତି ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ସର୍ବିୟାର ନୋଭାକ ଜୋକୋଭିକ ୧୮ ଗ୍ରାଣ୍ଡସ୍ଲାମ୍ ଟ୍ରଫି ସହ ଏହି ଦୁଇ ଜଣଙ୍କ ପଛରେ ଅଛନ୍ତି।

ସମ୍ବନ୍ଧିତ ଖବର