ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ମହାନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ରବିବାର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅଧିନାୟକ ନିଯୁକ୍ତ କରିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଏବେକାର ଅଧିନାୟକ ବିରାଟ କୋହଲି ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳର ଅଧିନାୟକ ନିର୍ବାଚିତ ହୋଇଛନ୍ତି। ଆଇସିସିର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ଏହି ଦୁଇ ଦଳରେ ଯଥାକ୍ରମେ ୩ ଏବଂ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ଇଂଲଣ୍ଡର ସର୍ବାଧିକ ୪ ଜଣ ଖେଳାଳି ଅଛନ୍ତି। ଗତମାସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିବା ୩୯ ବର୍ଷୀୟ ଧୋନିଙ୍କ ଛଡ଼ା ଭାରତୀୟ ଖେଳାଳିଙ୍କ ଭିତରୁ କୋହଲି ଓ ହିଟ୍ମ୍ୟାନ୍ ରୋହିତ ଶର୍ମା ଆଇସିସି ବାଛିଥିବା ଦଶନ୍ଧି ଶ୍ରେଷ୍ଠ ଦିନିକିଆ ଦଳରେ ରହିଛନ୍ତି। ସେହିଭଳି ଦଶନ୍ଧି ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳରେ କୋହଲି, ରୋହିତ ଓ ଧୋନିଙ୍କ ସହ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ସ୍ଥାନ ପାଇଛନ୍ତି। କୋହଲି ଏକମାତ୍ର ଖେଳାଳି ଭାବେ ତିନିଟି ଯାକ ଫର୍ମାଟ୍ର ଦଶନ୍ଧି ଶ୍ରେଷ୍ଠ ଦଳରେ ରହିଛନ୍ତି।
ସୋମବାର ଦଶନ୍ଧିର ଶ୍ରେଷ୍ଠ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ଭର୍ଚୁଆଲ ପୁରସ୍କାର ବିତରଣୀ ଉତ୍ସବରେ ସମ୍ବର୍ଧିତ କରାଯିବ। ସେହିଭଳି ଆଇସିସି ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି, ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ର ଶ୍ରେଷ୍ଠ ଖେଳାଳି, ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳାଳିଙ୍କ ନାଁ ବି ଏହି ଅବସରରେ ଘୋଷଣା କରାଯିବ। କୋହଲି ମଧ୍ୟ ଅନ୍ୟ ଚାରିଟି ପୁରସ୍କାର ଯଥା ଆଇସିସି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର୍, ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟର୍, ଶ୍ରେଷ୍ଠ ଦିନିକିଆ ଏବଂ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଦୌଡ଼ରେ ରହିଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ଇଂଲଣ୍ଡର ଆଲେଷ୍ଟର କୁକ୍, ବେନ୍ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡରସନ୍ଙ୍କ ସହ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ବି ରହିଛନ୍ତି। ଏହି ଦଳରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ୱାର୍ନରଙ୍କୁ ବି ସୁଯୋଗ ମିଳିଛି। ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଓ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ଙ୍କୁ ମଧ୍ୟ ସୁଯୋଗ ମିଳିଛି। ଦଶନ୍ଧିର ଶ୍ରେଷ୍ଠ ଆଇସିସି ମହିଳା ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ଭାରତର ଦୁଇ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଟ୍ବେଣ୍ଟି-୨୦ ଦଳରେ ହରମନପ୍ରୀତ କୌର ଓ ପୁନମ ଯାଦବ ଥିଲା ବେଳେ ଦିନିକିଆ ଦଳରେ ମିତାଲି ରାଜ ଓ ଝୁଲଣ ଗୋସ୍ବାମୀ ଅଛନ୍ତି। ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଓ ଦଳ ବାଛିବା ଲାଗି ପ୍ରଥମ ଥର ପାଇଁ ଆଇସିସି ପ୍ରଶଂସକଙ୍କଠାରୁ ଭୋଟ ଆହ୍ବାନ କରିଥିଲା। ଏଥିରେ ସାରା ବିଶ୍ବର ୧୫ ଲକ୍ଷ ପ୍ରଶଂସକ ଅଂଶଗ୍ରହଣ କରିବା ସହ ୫୩ ଲକ୍ଷ ଭୋଟ ଦେଇଥିଲେ। ପ୍ରତ୍ୟେକ ବିଭାଗର ସମ୍ଭାବ୍ୟ ଶ୍ରେଷ୍ଠ ଖେଳାଳି ତାଲିକା କିନ୍ତୁ ଏକ ପୁରସ୍କାର ମନୋନୟକ ସମିତି ବାଛିଥିଲା। ଏଥିରେ ଗତ ଦଶନ୍ଧିରେ ଖେଳାଳିଙ୍କ ଅନ୍ୟୁନ ପାଞ୍ଚ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା।
ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ୍ ଦଳ: ଆଲେଷ୍ଟର କୁକ୍, ଡେଭିଡ୍ ୱାର୍ନର, କେନ୍ ୱିଲିୟମସନ୍, ବିରାଟ କୋହଲି (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, କୁମାର ସାଙ୍ଗାକାରା, ବେନ୍ ଷ୍ଟୋକ୍ସ, ରବିଚନ୍ଦ୍ରନ୍ ଅଶ୍ବିନ, ଡେଲ୍ ଷ୍ଟେନ୍, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍।
ଆଇସିସି ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ: ରୋହିତ ଶର୍ମା, ଡେଭିଡ୍ ୱାର୍ନର, ବିରାଟ କୋହଲି, ଏବି ଡି’ଭିଲିୟର୍ସ, ସକିବ-ଅଲ୍-ହାସନ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ବେନ୍ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲସିଥ ମାଲିଙ୍ଗା।
ଆଇସିସି ଦଶନ୍ଧିର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଦଳ: ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), କିରଣ ପୋଲାର୍ଡ, ରସିଦ ଖାନ୍, ଯଶପ୍ରୀତ ବୁମ୍ରା, ଲସିଥ ମାଲିଙ୍ଗା।
ଆଇସିସି ଦଶନ୍ଧିର ଶ୍ରେଷ୍ଠ ମହିଳା ଦିନିକିଆ ଦଳ: ଆଲିସା ହିଲି, ସୁଜି ବେଟ୍ସ, ମିତାଲି ରାଜ୍, ମେଗ୍ ଲାନିଙ୍ଗ୍ସ (ଅଧିନାୟିକା), ଷ୍ଟିଫାନି ଟେଲର, ସାରା ଟେଲର, ଏଲିସ ପେରି, ଡାନ ଭାନ ନିଏକେର୍କ, ମାରିଆନ କାପ, ଝୁଲଣ ଗୋସ୍ବାମୀ ଓ ଅନୀଷା ମହମ୍ମଦ।
ଆଇସିସି ଦଶନ୍ଧିର ଶ୍ରେଷ୍ଠ ମହିଳା ଟ୍ବେଣ୍ଟି-୨୦ ଦଳ: ଆଲିସା ହିଲି, ସୋଫି ଦେବୀନେ, ସୁଜି ବେଟ୍ସ, ମେଗ୍ ଲାନିଙ୍ଗ୍ସ (ଅଧିନାୟିକା), ହରମନପ୍ରୀତ କୌର, ଷ୍ଟିଫାନି ଟେଲର, ଦେନ୍ଦ୍ରା ଡଟିନ, ଏଲିସ୍ ପେରି, ଅନ୍ୟା ସ୍ରବସୋଲେ, ମେଗାନ ସ୍କଟ, ପୁନମ ଯାଦବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/5h456fs4h65f4f56h4hf56f456456465fh.jpg)