ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌: କପିଳ, ସଚିନ, କୋହଲି ୱିଜଡେନ୍ ଦଶନ୍ଧି ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌

ଲଣ୍ଡନ: ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ର ବାଇବେଲ୍ ଭାବେ ପରିଚିତ ୱିଜଡେନ୍ ପତ୍ରିକା ପକ୍ଷରୁ ଦଶନ୍ଧି (୨୦୧୦-୨୦)ର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷିତ ‌ହୋଇଛନ୍ତି। ଅନ୍ୟପକ୍ଷରେ ଆଘାତପ୍ରାପ୍ତ ହୋଇ ମାତ୍ର ଗୋଟିଏ ମ୍ୟାଚ୍ ପରେ ଚଳିତ ଆଇପିଏଲ୍‌ରୁ ବାଦ ପଡ଼ିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ ଲଗାତାର ଦ୍ବିତୀୟବର୍ଷ ପାଇଁ ବିଶ୍ବର ଅଗ୍ରଣୀ କ୍ରିକେଟର୍‌ ମନୋନୀତ ହୋଇଛନ୍ତି। ୱିଜଡେନ୍‌ର ପାଞ୍ଚ ଜଣିଆ ଦଶନ୍ଧି ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ତାଲିକାରେ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ରହିବା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏହି ନିଆରା ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ମହାନ ଭାରତୀୟ ହେଲେ କପିଳ ଦେବ ଓ ସଚିନ ତେନ୍ଦୁଲକର। ପ୍ରଥମ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତି ଦଶନ୍ଧିରୁ ଜଣେ ଲେଖାଏଁ ଏହିଭଳି ୫ ଜଣ ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ୱିଜଡେନ୍‌ର ୨୦୨୧ ସଂସ୍କରଣରେ ସ୍ଥାନ ପାଇଛନ୍ତି।

୨୦୦୮ ମସିହା ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ୩୨ ବର୍ଷୀୟ କୋହଲି ବିଶ୍ବ କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅନ୍ୟତମ। ଏ ପର୍ଯ୍ୟନ୍ତ ଖେଳିଥିବା ୨୫୪ ଦିନିକିଆରୁ ୧୨,୧୬୯ ରନ୍ କରିଛନ୍ତି ସେ। କୋହଲିଙ୍କୁ ୨୦୧୦ରୁ ୨୦୨୦ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ବାଛିଛି ୱିଜଡେନ୍। ନିଜ ଅନନ୍ୟ ଓ ଅସାଧାରଣ ବ୍ୟାଟିଂ କଳା କୌଶଳ ପାଇଁ ପରିଚିତ କୋହଲି ୨୦୧୧ ମସିହାରେ ବିଶ୍ବକପ୍ ଜିତିଥିବା ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଦସ୍ୟ ଥିଲେ। ୨୦୧୦ ପର ଦଶନ୍ଧିରେ ୬୦ରୁ ଊର୍ଧ୍ବ ହାରରେ ୪୨ ଶତକ ସହାୟତାରେ ୧୧,୦୦୦ରୁ ଅଧିକ ରନ୍ କରିଛନ୍ତି। କୋହଲିଙ୍କ ଛଡ଼ା ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ୱିଜଡେନ୍ ୯୦ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର ମନୋନୀତ କରିଛି। ୧୯୯୮ରେ ସଚିନ ବ୍ୟକ୍ତିଗତ ଭାବେ ୯ଟି ଶତକ ହାସଲ କରିଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ଖେଳାଳିଙ୍କର ଏହା ସର୍ବାଧିକ ସଂଖ୍ୟକ ବ୍ୟକ୍ତିଗତ ଶତକ ଥିଲା। ସେହିଭଳି ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ୱିଜଡେନ୍ ୮୦ ଦଶକର ଶ୍ରେଷ୍ଠ ଦିନିକିଆ ଖେଳାଳି ସମ୍ମାନ ଲାଭ କରିଛନ୍ତି। ୧୯୮୩ ମସିହାରେ ନିଜ ବଳିଷ୍ଠ ଅଧିନାୟକତ୍ବରେ ଭାରତକୁ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପ୍ ଜିତାଇଥିବା କପିଳ ୮୦ ଦଶକରେ ସର୍ବାଧିକ ୱିକେଟ୍ ନେବା ସହ ଏହି ସମୟ ମଧ୍ୟରେ ୧,୦୦୦ରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ସର୍ବାଧିକ ଷ୍ଟ୍ରାଇକ୍ ରେଟ୍ ରଖିଥିଲେ।

ଲଗାତାର ଦ୍ବିତୀୟ ବର୍ଷ ପାଇଁ ‘ବିଶ୍ବର ଅଗ୍ରଣୀ କ୍ରିକେଟର୍‌’ ଘୋଷିତ ହୋଇଥିବା ଷ୍ଟୋକ୍ସ ୫୮ ହାରରେ ୬୪୧ ରନ୍ କରିବା ସହ ୧୮ ହାରରେ ୧୯ ୱିକେଟ୍ ଅକ୍ତିଆର କରିଥିଲେ। ଗତ ଡିସେମ୍ବରରେ ନିଜ ପିତାଙ୍କୁ ହରାଇବା ସତ୍ତ୍ବେ ଷ୍ଟୋକ୍ସ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ୭୦ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଉପାଧୀ ୱେଷ୍ଟଇଣ୍ଡିଜ୍‌ର ମହାନ ତାରକା ଭିଭିଆନ୍ ରିଚାର୍ଡସଙ୍କୁ ମିଳିଥିଲା ବେଳେ ୨୦୦୦ରୁ ୨୦୧୦ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର୍‌ ଭାବେ ଶ୍ରୀଲଙ୍କାର ସ୍ପିନ୍ କିଂବଦନ୍ତି ମୁଥୟା ମୁରଲୀଧରନ ବଛା ହୋଇଛନ୍ତି। ଅଷ୍ଟ୍ରେଲିଆର ବେଥ୍ ମୁନି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଏବଂ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର କିରଣ ପୋଲାର୍ଡ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଅଗ୍ରଣୀ କ୍ରିକେଟର ଘୋଷିତ ହୋଇଛନ୍ତି। ଜ୍ୟାକ୍ କ୍ରଲି, ଡାରେନ୍ ଷ୍ଟିଭେନ୍ସ, ଜାସନ ହୋଲ୍ଡର, ମହମ୍ମଦ ରିଜୱାନ୍ ମଧ୍ୟ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର