ସାଉଥାମ୍ପଟନ୍: ଭାରତ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ହାରିଯିବା ପରେ ବିରାଟ କୋହଲି ଏହାର ଫର୍ମାଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଅନ୍ୟୁନ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରୁ ହିଁ ଶ୍ରେଷ୍ଠ ଦଳ ନିର୍ଣ୍ଣୟ କରାଯିବା ଉଚିତ୍। ପୂର୍ବରୁ ଭାରତୀୟ ଦଳ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଏଭଳି ସ୍ବର ଉଠାଇଥିଲେ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷ ମୁକାବିଲା ବେଳେ ପ୍ରଥମ ଟେଷ୍ଟ୍ ହାରିଯିବା ପରେ ଭାରତ ପ୍ରତ୍ୟାବର୍ତ୍ତନ କରି ଶୃଙ୍ଖଳା ଜିତିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ୍ ବିପକ୍ଷ ଏକମାତ୍ର ଫାଇନାଲକୁ ୮ ୱିକେଟରେ ହାରିଯିବା ପରେ କୋହଲି ଏଭଳି ଯୁକ୍ତି ବାଢ଼ିଛନ୍ତି। ସଚ୍ଚୋଟତାର ସହ କହିଲେ ମୁଁ ଗୋଟିଏ ଟେଷ୍ଟ୍ରୁ ବିଜେତା ବାହାର କରିବା ସପକ୍ଷରେ ସମ୍ପୂର୍ଣ୍ଣ ନାହିଁ। ଦୁଇ ଦିନ ଭଲ କ୍ରିକେଟ ଖେଳିବା ପରେ ହଠାତ୍ ଆପଣ ଭଲ ଟେଷ୍ଟ୍ ଦଳ ନୁହନ୍ତି ବୋଲି କହିବାକୁ ମୁଁ ବିଶ୍ବାସ କରେନାହିଁ। ଏକାଧିକ ମ୍ୟାଚ୍ ଟେଷ୍ଟ୍ କ୍ରିକେଟର ଆବଶ୍ୟକତା ଏବଂ ଚରିତ୍ରକୁ ପ୍ରମାଣ କରିବାର ମାଧ୍ୟମ ବୋଲି କୋହଲି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ଇଂଲଣ୍ଡ ଆସିବା ପୂର୍ବରୁ ରବି ଶାସ୍ତ୍ରୀ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଭବିଷ୍ୟତରେ ଏହା ଉପରେ କିଛି କାର୍ଯ୍ୟ କରାଯିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଫାଇନାଲ୍ ପରାଜୟ ଆମ ଦୁଇ ବର୍ଷର ପ୍ରଦର୍ଶନର ପ୍ରକୃତ ପ୍ରତିଫଳନ ନୁହେଁ ବୋଲି ମଧ୍ୟ ସେ ଦର୍ଶାଇଥିଲେ। ତେଣୁ ଆମେ ଫଳାଫଳକୁ ନେଇ ଚିନ୍ତିତ ନୁହେଁ, କେବଳ ବିଗତ ୧୮ ମାସ ନୁହେଁ ଅମେ ୩-୪ ବର୍ଷହେବ ଭଲ ଖେଳି ଆସୁଛୁ। କେବଳ ଫାଇନାଲରେ ହାରିଗଲୁ ବୋଲି ମୁଁ ଏ କଥା କହୁନାହିଁ ବୋଲି କୋହଲି ମତ ଦେଇଥିଲେ।
‘‘ଠିକଣା ବ୍ୟକ୍ତି ଓ ମାନସିକତା ଲୋଡ଼ା’’
ସାଉଥାମ୍ପଟନ୍: ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ହାରିଯିବା ପରେ ବିରାଟ କୋହଲି ମଧ୍ୟ ଦଳର ଖେଳାଳିଙ୍କ ଆଡକୁ ଇଙ୍ଗିତ କରିଛନ୍ତି। ଧଳା ବଲ କ୍ରିକେଟ୍ ବ୍ୟବସ୍ଥା ଭଳି ଟେଷ୍ଟ୍ କ୍ରିକେଟ୍ରେ ଭଲ ପ୍ରଦର୍ଶନ ପାଇଁ ମଧ୍ୟ ଠିକଣା ବ୍ୟକ୍ତି ଓ ସଠିକ୍ ମାନସିକତାର ଆବଶ୍ୟକତା ରହିଛି। ସର୍ବୋଚ୍ଚ ସ୍ତରରେ ଦାୟିତ୍ବ ନେଇ ସେମାନେ ଖେଳିବା ଉଚିତ୍। ରନ୍ ସ୍କୋର୍ ପାଇଁ କେତେକ ଖେଳାଳି ଆଭିମୁଖ୍ୟକୁ ସ୍ପଷ୍ଟ ନ କରିବା ଫଳରେ ଦଳ ଉପରେ ଅଯଥା ଚାପ ପଡ଼ିଲା ବୋଲି କୋହଲି ଅସନ୍ତୋଷର ସହ ପ୍ରକାଶ କରିଛନ୍ତି। ଆମ ଖେଳ ଶୈଳୀକୁ ପୁନଃ ସମୀକ୍ଷା କରାଯିବ। କୋହଲିଙ୍କ ଇଙ୍ଗିତ ଚେତେଶ୍ବର ପୂଜାରାଙ୍କ ଆଡ଼କୁ ଯିବା ଭଳି ହୋଇଛି।
ପୂଜାରା ପ୍ରଥମ ପାଳିରେ ୫୪ ବଲ୍ରୁ ୮ ଏବଂ ଦ୍ବିତୀୟ ପାଳିରେ ୮୦ ବଲ୍ରୁ ୧୫ ରନ୍ ସଂଗ୍ରହ କରିଥିଲେ। କୋହଲି କହିଛନ୍ତି ଆମ ପାଖରେ ଧଳା ବଲ୍ ପାଇଁ ଯେଭଳି ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ଖେଳାଳି ଅଛନ୍ତି ଲାଲ୍ ବଲ୍ ପାଇଁ ମଧ୍ୟ ସେଭଳି ରହିବା ଉଚିତ୍। ଏଥି ପାଇଁ ଅମେ ସମୟ ଅପଚୟ କରିବୁ ନାହିଁ। ଖୁବ୍ ଶୀଘ୍ର ଏଥି ପାଇଁ ଯୋଜନା କରିବୁ। ପ୍ରଦର୍ଶନ ଦେଖାଇବାକୁ ଠିକଣା ଲୋକଙ୍କ ନିକଟରେ ଠିକଣା ମାନସିକତାର ଆବଶ୍ୟକତା ରହିଛି। ପରିସ୍ଥିତି ପାଇଁ ଚିନ୍ତିତ ନ ରହି ରନ୍ ସଂଗ୍ରହ ପାଇଁ ଯୋଜନା କରିଲେ ବୋଲରଙ୍କ ଉପରେ ଚାପ ରହିବ ନାହିଁ। ନ୍ୟୁଜିଲାଣ୍ଡ୍ ଭଳି କ୍ବାଲିଟି ବୋଲିଂ ବିପକ୍ଷରେ ଆମକୁ ମାପିଚୁପି ରିକ୍ସ ନେବାକୁ ପଡ଼ିବ ବୋଲି କୋହଲି କହିଥିଲେ।