ମୁମ୍ବାଇ: ମାତ୍ର ୬ ମାସ ଭିତରେ ପୁଣି ଏକ ଆଇପିଏଲ୍ ସଂସ୍କରଣ ପାଖେଇ ଆସୁଛି। ମାର୍ଚ୍ଚ ୨୬ ତାରିଖରେ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁକାବିଲାରୁ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହୋଇଯିବ। ଲକ୍ଷ୍ନୌ ସୁପର୍ଜ୍ୟାଣ୍ଟ୍ସ ଓ ଗୁଜରାଟ ଲାୟନ୍ସ ସାମିଲ ହେବା ପରେ ଏଥର ଟାଟା ପ୍ରାୟୋଜିତ ଆଇପିଏଲ୍ ୧୦ ଦଳୀୟ ବିଶିଷ୍ଟ ହେବ। ବହୁ ପରିବର୍ତ୍ତନ ଓ ନୂଆ ନୀତି ନିୟମ ଭିତରେ ଏହି ପ୍ରତିଯୋଗିତା ଏକ ନୂଆ ଆରମ୍ଭ କରିବାକୁ ଯାଉଛି। ତିନି ପ୍ରମୁଖ ପରିବର୍ତ୍ତନ ହେଉଛି ଡିଆର୍ଏସ୍, କୋଭିଡ୍-୧୯ ଭତ୍ତା ଏବଂ ନୂଆ ପ୍ରଚଳିତ ଏମ୍ସିସି ନିୟମ।
ଡିଆର୍ଏସ୍ ରିଭ୍ୟୁ ସଂଖ୍ୟା ପାଳି ପିଛା ୨କୁ ବୃଦ୍ଧି
କ୍ୟାଚ୍ ଆଉଟ୍ରେ ନୂଆ ବ୍ୟାଟର୍ ଷ୍ଟ୍ରାଇକ୍ ନେବେ
କୋଭିଡ୍ ପାଇଁ ମ୍ୟାଚ୍ ଅଟକିଲେ ପୁନଃ ନିର୍ଦ୍ଧାରିତ ହେବ
ପ୍ଲେ ଅଫ୍ ସୁପର୍ ଓଭରରେ ଲିଗ୍ ମାନ୍ୟତା ନିର୍ଣ୍ଣାୟକ
କୌଣସି କାରଣରୁ ମ୍ୟାଚ୍ ସମ୍ଭବ ନ ହେଲେ ଏହାକୁ ପୁନଃ ନିର୍ଧାରିତ କରାଯାଇପାରିବ ବୋଲି ବିସିସିଆଇ କହିଛି। ଅବଶ୍ୟ ଆଇପିଏଲ୍ ବୈଷୟିକ ସମିତି ଏହାର ଚୂଡାନ୍ତ ନିଷ୍ପତ୍ତି ନେବ। ତେବେ ମ୍ୟାଚ୍ ବାତିଲ ହେଲେ ପ୍ରତିପକ୍ଷ ଦଳକୁ ୨ ପଏଣ୍ଟ ମିଳିବାର ବ୍ୟବସ୍ଥା ରହିଛି। ସେହିଭଳି ଅସଫଳ ଡିଆର୍ଏସ ପାଳି ପିଛା ଦୁଇକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆଇପିଏଲ୍ରେ ଗୋଟିଏ ଲେଖାଏଁ ଡିଆର୍ଏସ୍ ମିଳୁଥିଲା।
୨୦୨୨ ମସିହା ଅକ୍ଟୋବର ପହିଲାରୁ ଅନ୍ତର୍ଜାତୀୟ କ୍ରିକେଟରେ ଲାଗୁ ହେବାକୁ ଯାଉଥିବା ଏମ୍ସିସି ନୂଆ ନିୟମ୍ ଅନୁସାରେ ଏଣିକି କ୍ୟାଚ୍ ଧରାଯିବା ପୂର୍ବରୁ ବ୍ୟାଟର୍ ମଝି କ୍ରିଜ୍ ଅତିକ୍ରମ କରିଥିଲେ ମଧ୍ୟ ଆଉଟ୍ ବ୍ୟାଟର୍ଙ୍କ ସ୍ଥାନରେ ନୂଆ ଖେଳାଳି ଷ୍ଟ୍ରାଇକ୍ ନେବେ। ଆଉ ଏକ ପ୍ରମୁଖ ନିଷ୍ପତ୍ତି ହେଉଛି ଯଦି ପ୍ଲେ ଅଫ୍ କିମ୍ବା ଫାଇନାଲ୍ର ସୁପର୍ ଓଭର ଅସମ୍ପୂର୍ଣ୍ଣ ରହିବ ତେବେ ଲିଗ୍ ପର୍ଯ୍ୟାୟରେ ଉଚ୍ଚରେ ଥିବା ଦଳକୁ ବିଜୟୀ ଘୋଷଣା କରାଯିବ।
ନୂଆ ସଂସ୍କରଣରେ ମୋଟ ୭୪ ମ୍ୟାଚ୍ ଖେଳାଯିବ। ଯାହାକି ପୂର୍ବ ସଂସ୍କରଣ ତୁଳନାରେ ୧୫ଟି ମ୍ୟାଚ୍ ଅଧିକ। ଏଥର ୧୦ ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ନିଜ ଗ୍ରୁପ୍ ଦଳ ସହ ଦୁଇ ଥର ଲେଖାଏଁ ଏବଂ ଅନ୍ୟ ଗ୍ରୁପ୍ ସହ ଥରେ ଲେଖାଏଁ ଖେଳିବେ ଦଳ।
ଜୈବ ବଳୟ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ: ଗତବର୍ଷ ଭଳି ଏବର୍ଷ ମଧ୍ୟ ଆଇପିଏଲ୍ ପାଇଁ ବିସିସିଆଇ କୋଭିଡ୍ ଜୈବ ବଳୟ ସ୍ଥାପନ କରିବ। ପୂରା ପ୍ରତିଯୋଗିତା ଅବସରରେ ଖେଳାଳିଙ୍କଠାରୁ ଆରମ୍ଭ କରି ଅଧିକାରୀ, ସହାୟକ କର୍ମଚାରୀ, ଅମ୍ପାୟାର, ମ୍ୟାଚ୍ ଅଧିକାରୀ, ପ୍ରସାରଣକାରୀ ସଂସ୍ଥାର କର୍ମଚାରୀ ଏହି ଜୈବ ବଳୟ ଭିତରେ ରହିବେ। ଆଇପିଏଲ୍କୁ କୋଭିଡ୍ ମୁକ୍ତ କରିବା ଲାଗି ବିସିସିଆଇ ଏଥର ଜୈବ ବଳୟ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଗୁଆ ସୂଚନା ଦେଇଛି। ବିସିସିଆଇ ମଧ୍ୟ ଏଥିନେଇ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ଯାହାକୁ ଖେଳାଳି, ସେମାନଙ୍କ ପରିବାର, ଦଳୀୟ ଅଧିକାରୀ ଓ ମ୍ୟାଚ୍ ଅଧିକାରୀ ଭଳି ଭାଗରେ ବିଭକ୍ତ କରିଛି। ଖିଲାଫକାରୀ ଏହି ତାଲିକା ଅନୁସାରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ସ୍ପଷ୍ଟ କରି ଦେଇଛି ବିସିସିଆଇ।
କାର୍ଯ୍ୟାନୁଷ୍ଠାନ ସାରଣୀ (ଖେଳାଳି): ପ୍ରଥମ ଉଲ୍ଲଂଘନ- ୭ ଦିନର ସଙ୍ଗରୋଧ। ଏହି ସମୟ ଭିତରେ ଖେଳି ପାରିନଥିବା ମ୍ୟାଚ୍ର ପାଉଣା ମିଳିବନି। ଦ୍ବିତୀୟ ଉଲ୍ଲଂଘନ- ବିନା ପାଉଣାରେ ଗୋଟିଏ ମ୍ୟାଚ୍ରୁ ବାସନ୍ଦ। ତୃତୀୟ ଉଲ୍ଲଂଘନ-ଅବଶିଷ୍ଟ ମ୍ୟାଚ୍ ପାଇଁ ପଞ୍ଜୀକୃତ ଦଳରୁ ବାଦ୍ ପଡ଼ିବେ। ବଦଳ ଖେଳାଳି ମିଳିବେନି। ପରିବାରବର୍ଗ: ପ୍ରଥମ ଉଲ୍ଲଂଘନ-ସଂପୃକ୍ତ ଖେଳାଳିଙ୍କ ସହ ପରିବାରବର୍ଗ ୭ ଦିନର ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ। ଖେଳିନପାରିବା ମ୍ୟାଚ୍ ଲାଗି କୌଣସି ପାଉଣା ସେହି ଖେଳାଳିଙ୍କୁ ମିଳିବନି।
ଦ୍ବିତୀୟ ଉଲ୍ଲଂଘନ: ବନ୍ଧୁ ଓ ପରିବାରବର୍ଗ ସ୍ଥାୟୀ ଭାବେ ଜୈବ ବଳୟରୁ ବିଦା ହେବେ। ସଂପୃକ୍ତ ଖେଳାଳି, ମ୍ୟାଚ୍ କିମ୍ବା ଦଳୀୟ ଅଧିକାରୀ ୭ ଦିନ ସଂଗରୋଧରେ ରହିବେ। ଏହି ସମୟରେ ଖେଳି ପାରି ନଥିବା ମ୍ୟାଚ୍ର ପାଉଣା ମିଳିବନି। ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ: କୌଣସି ଦଳ ଯଦି ୧୧ ଜଣ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇ ନପାରେ, ଏଭଳି ସ୍ଥିତିରେ ବିସିସିଆଇ ସଂପୃକ୍ତ ମ୍ୟାଚ୍କୁ ସ୍ଥଗିତ ରଖିବ। ମାମଲାକୁ ଆଇପିଏଲ୍ ବୈଷୟିକ ସମିତିକୁ ପଠାଯିବ। ବୈଷୟିକ ସମିତିର ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ।
ଜାଣିଶୁଣି ବାହାରର କୌଣସି ବ୍ୟକ୍ତିଙ୍କୁ କୌଣସି ଦଳ ଜୈବ ବଳୟକୁ ଆଣିଲେ ପ୍ରଥମ ଥର ଲାଗି ୧ କୋଟି ଟଙ୍କା ଜରିମାନା, ଦ୍ବିତୀୟ ଥର ଏଭଳି ଘଟିଲେ ମୋଟ ପଏଣ୍ଟରୁ ୨ ପଏଣ୍ଟ କଟିବ। ଅନୁମତି ନନେଇ ଜୈବ ବଳୟ ବାହାରକୁ ଗଲେ ସଂପୂର୍ଣ୍ଣ ମ୍ୟାଚ୍ ଫି’ କଟିବ। କୋଭିଡ୍ ପରୀକ୍ଷାରେ ଯୋଗ ନଦେଲେ ପ୍ରଥମ ଉଲ୍ଲଂଘନ ଲାଗି ଚେତାବନୀ ଏବଂ ପରବର୍ତ୍ତୀ ଉଲ୍ଲଂଘନ ଲାଗି ୭୫୦୦୦ ଟଙ୍କାର ଜରିମାନା କରାଯିବ। ଏଭଳି ଉଲ୍ଲଂଘନକାରୀଙ୍କ ଷ୍ଟାଡିୟମ୍ ଏବଂ ଅଭ୍ୟାସ ଶିବିରରେ ଯୋଗଦେବା ଉପରେ ଅଙ୍କୁଶ ଲାଗିବ।
ପ୍ରଥମ ମ୍ୟାଚ୍ରୁ ବଞ୍ଚିତ ହେବେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ତାରକା ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ମାର୍ଚ ୨୭ରେ ଖେଳାଯିବାକୁ ଥବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚ୍ରୁ ବଞ୍ଚିତ ହୋଇପାରନ୍ତି। ତାଙ୍କ ବୁଢ଼ା ଆଙ୍ଗୁଠିରେ ହୋଇଥିବା ଆଘାତ ସମସ୍ୟାରୁ ସୁସ୍ଥ ହୋଇନଥିବାରୁ ଏଭଳି ଆଶଙ୍କା ଦେଖାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର ୪ ରିଟେନ୍ ଖେଳାଳିଙ୍କ ମଧ୍ୟରେ ଥିବା ସୂର୍ଯ୍ୟକୁମାର ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ବେଳେ ଆହତ ହୋଇଥିଲେ।
ଏଥିଲାଗି ସେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରୁ ଦଳରୁ ବାଦ୍ ପଡ଼ିଥିଲେ। ସଂପ୍ରତି ସେ ‘ଏନ୍ସିଏ’ରେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସୁସ୍ଥ ହୋଇ ଫେରିବେ। ହେଲେ ଦଳର ପ୍ରଥମ ମ୍ୟାଚ୍ରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ମୁମ୍ବାଇର ପ୍ରଥମ ମ୍ୟାଚ୍ର ୫ ଦିନ ପରେ ପରବର୍ତ୍ତୀ ମ୍ୟାଚ୍ (ରାଜସ୍ଥାନ ରୟାଲ୍ସ, ଏପ୍ରିଲ ୨) ବିପକ୍ଷରେ ରହିଛି। ଏହି ମ୍ୟାଚ୍କୁ ତାଙ୍କ ଫେରିବାର ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଚମତ୍କାର ଖେଳି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।