ବାସ୍କେଟ୍‌ବଲ୍‌କୁ ଲୋକପ୍ରିୟ କରିବ ପୁସ୍ତକ ‘ବାସ୍କେଟ୍‌ବଲ୍‌’

ଭୁବନେଶ୍ବର: ରାଜ୍ୟ ବାସ୍କେଟ୍‌ବଲ୍ ଦୁନିଆର ପରିଚିତ ଚେହେରା ତଥା ଖେଳାଳିରୁ ପ୍ରଶିକ୍ଷକ, ଖେଳ ପ୍ରଶାସକ ଓ ପ୍ରାଧ୍ୟାପକ ପାଲଟିଥିବା ରଂଜନ କୁମାର ପ୍ରଧାନଙ୍କ ରଚିତ ପୁସ୍ତକ ‘ବାସ୍କେଟ୍‌ବଲ’ ଇତିମଧ୍ୟରେ ଆତ୍ମପ୍ରକାଶ କରିଛି। ରାଜ୍ୟରେ ଖେଳ ପୁସ୍ତକ ବିରଳ ଥିବାବେଳେ ଡକ୍ଟର ପ୍ରଧାନଙ୍କ ଏହି ପୁସ୍ତକ କେବଳ ବାସ୍କେଟ୍‌ବଲ୍ ନୁହେଁ ଅନ୍ୟ ଖେଳ ଓ ଖେଳାଳିଙ୍କ ପାଇଁ ମଧ୍ୟ ବାଟ କଢ଼ାଇବାକୁ ଯାଉଛି। ୧୫୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ଅଲିମ୍ପିକ୍‌ ଖେଳ ବାସ୍କେଟ୍‌ବଲ୍‌ର ଇତିହାସ ସହିତ ଏହାର ନିୟମ, ଖେଳ ପଡ଼ିଆର ପରିଧି, ବିଭିନ୍ନ ବୈଷୟିକ ଦିଗ ଓ କୌଶଳ, ଦକ୍ଷତା, ସଂରଜାମ ଆଦିର ନିଖୁଣ ଉପସ୍ଥାପନା କରାଯାଇଛି। ଏହି ପୁସ୍ତକ ଉଦୀୟମାନ ଖେଳାଳିଙ୍କ ପାଇଁ ଯେତିକି ଉପାଦେୟ ବାସ୍କେଟ୍‌ବଲ୍‌କୁ ବିଶେଷ ବିଷୟବସ୍ତୁ ରଖି ବିପିଏଡ୍‌ ଓ ଏମ୍‌ପିଏଡ୍‌ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସେତିକି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଲେଖକ ପ୍ରକାଶ କରିଛନ୍ତି। ଜାତୀୟ ପ୍ରତିଯୋଗିତା ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ଖେଳିଥିବା ରଂଜନ ପ୍ରଧାନ ଜଣେ ଶାରୀରିକ ଶିକ୍ଷା ଶିକ୍ଷକ ଓ ପ୍ରଶିକ୍ଷକ ଭାବେ ବେଶ ସୁନାମ ଅର୍ଜନ କରିଥିବା ବେଳେ ୨୦୧୪ରେ ପିଏଚ୍‌ଡି କରିଛନ୍ତି। ଫିବା ସ୍ବୀକୃତ ଜଣେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ମଧ୍ୟ। ବିପିଏଡ୍‌, ଏମପିଏଡ୍‌ ଆଇନରେ ମଧ୍ୟ ସେ ସ୍ନାତକ ଡ୍ରିଗ୍ରିଧାରୀ। ଏନ୍‌ଆଇଏସ୍‌ ପାତିଆଲାରୁ ବାସ୍କେଟ୍‌ବଲ୍‌ରେ ଡିପ୍ଲୋମା ଶେଷ କରିବା ସହ ନାଗାଲାଣ୍ଡ୍‌ରୁ କ୍ରୀଡ଼ା ପ୍ରଶାସନରେ ଏମ୍‌ବିଏରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ କିଟ୍‌ ଓ ସୋଆ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଥିବା ଡକ୍ଟର ପ୍ରଧାନ ଏବେ ଝାଡ଼ଖଣ୍ଡ ଦେଓଘର ଡିପ୍‌ସରର ଶାରୀରିକ ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି। ଖୁବ୍ ଶୀଘ୍ର ସେ ଓଡ଼ିଶା ଫେରି ବାସ୍କେଟ୍‌ବଲ୍ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ତାଙ୍କ ରଚିତ ପୁସ୍ତକ ବାସ୍କେଟ୍‌ବଲ୍‌କୁ ନୂଆଦିଲ୍ଲୀର ‘ଖେଲ ସାହିତ୍ୟ କେନ୍ଦ୍ର’ ପ୍ରକାଶ କରିଥିବା ବେଳେ ଖୁବ୍ ଶୀଘ୍ର ଏହା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର