ଆବୁଧାବି: ଶନିବାରଠୁ ଆରମ୍ଭ ହୋଇଯାଇଛି ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ। ନୂଆ ସ୍ଥାନ, ଭିନ୍ନ ପରିବେଶ ଏବଂ କରୋନା କଟକଣା ଜନିତ ଜୈବ ବଳୟ ମଧ୍ୟରେ ସ୍ଥାନୀୟ ଶେଖ୍ ଜୟେଦ୍ ଷ୍ଟାଡିୟମ୍ରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଦୁଇ ପୂର୍ବତନ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ୪ ଥର ବିଜେତା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ୫ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଥିଲା। ପୁଣି ଗତ ସଂସ୍କରଣର ଫାଇନାଲ୍ରେ ମଧ୍ୟ ଚେନ୍ନାଇକୁ ପରାସ୍ତ କରି ମୁମ୍ବାଇ ବିଜେତା ହୋଇଥିଲା। ସେହିଦୃଷ୍ଟିରୁ ଏଥର ବି ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରି ଥିଲା। ହେଲେ ଚେନ୍ନାଇ ଏଥର ପ୍ରତିଶୋଧ ନେଇଗଲା। ରାୟୁଡୁ ଓ ଡୁ’ପ୍ଲେସିସ୍ଙ୍କ ଅର୍ଧଶତକ ବଳରେ ମୁମ୍ବାଇକୁ ଶେଷ ଓଭରରେ ୫ ୱିକେଟ୍ରେ ପରାସ୍ତ କରି ଚେନ୍ନାଇ ବିଜୟରୁ ଅଭିଯାନ ଆରମ୍ଭ କଲା। ମୁମ୍ବାଇର ୫ ଜଣଯାକ ବୋଲର ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।
୧୬୩ ରନ୍ର ପିଛା କରିଥିବା ଚେନ୍ନାଇ ପ୍ରଥମ ଦୁଇ ଓଭର ମଧ୍ୟରେ ପ୍ରାରମ୍ଭିକ ଯୋଡ଼ି ସେନ୍ ୱାଟ୍ସନ୍ ଓ ମୁରଲୀ ବିଜୟଙ୍କୁ ହରାଇଥିଲା। ଉଭୟ ପ୍ରତି ଓଭରର ଶେଷ ବଲ୍ରେ ଆଉଟ୍ ହୋଇଥିଲେ। ଟ୍ରେଣ୍ଟ୍ ବୋଲ୍ଟ ଓ ଜେମ୍ସ ପାଟ୍ଟିନ୍ସନ ଏହି ୱିକେଟ୍ ନେଇଥିଲେ। କିନ୍ତୁ ଏହାପରେ ଫାଫ୍ ଡୁ’ପ୍ଲେସିସ୍ ଏବଂ ଅମ୍ବାତି ରାୟୁଡୁ ସ୍ଥିତି ସୁଧାରିନେବା ସହିତ ସ୍କୋର୍ ଆଗକୁ ବଢ଼ାଇଥିଲେ। ବିଶେଷକରି ରାୟୁଡୁ ୩୩ ବଲ୍ରୁ ଅର୍ଧଶତକ ପୂରଣ କରି ଶତକୀୟ ଭାଗୀଦାରି ଗଢ଼ିଥିଲେ। ସେ ୪୮ ବଲ୍ରୁ ୭୧ ରନ୍ କରି ପାଭିଲିୟନ୍ ଫେରିବା ପୂର୍ବରୁ ଡୁ’ପ୍ଲେସିସ୍ଙ୍କ ସହ ତୃତୀୟ ୱିକେଟ୍ରେ ମହତ୍ବପୂର୍ଣ୍ଣ ୧୧୫ ରନ୍ ଯୋଡ଼ିଥିଲେ। ବୋଲ୍ଟଙ୍କ ଶେଷ ଓଭରର ପ୍ରଥମ ଦୁଇଟି ବଲ୍କୁ ଚୌକା ମାରି ଡୁ’ପ୍ଲେସିସ୍ ମ୍ୟାଚ୍ ଶେଷ କରିଥିଲେ। ଅଲ୍ରାଉଣ୍ଡର ସାମ୍ କରନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲ।
ଟସ୍ ଜିତି ଧୋନି ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଆମନ୍ତ୍ରଣ କରିଥିଲେ। ରୋହିତ ଶର୍ମାଙ୍କ ସହ କ୍ବିଣ୍ଟନ ଡି’କକ୍ ମଧ୍ୟ ପାଳି ଆରମ୍ଭ କରିଥିଲେ। ଦୁହେଁ ୪.୩ ଓଭରରେ ୪୬ ରନ୍ ଯୋଡ଼ି ବଡ଼ ସ୍କୋର୍ର ଆଭାସ ଦେଇଥିଲେ। ହେଲେ ପଞ୍ଚମ ଓଭର ବୋଲିଂ କରିବାକୁ ଆସିଥିବା ଅଭିଜ୍ଞ ସ୍ପିନର ପୀୟୂଷ ଚାୱଲା ଚତୁର୍ଥ ବଲ୍ରେ ରୋହିତଙ୍କୁ ଶିକାର କରି ମୁମ୍ବାଇକୁ ଝଟ୍କା ଦେଇଥିଲେ। ଏହାର ପର ଓଭରରେ ଡି’କକ୍ଙ୍କୁ ସାମ୍ କରନ୍ ଆଉଟ୍ କରିଦେବା ପରେ ରନ୍ ଗତିରେ ଅଙ୍କୁଶ ଲାଗିଥିଲା। ବଡ଼ ସର୍ଟ ମାରିବାରେ ମାହିର ହାର୍ଦିକ୍ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ନିରାଶ କରିବାରୁ ମୁମ୍ବାଇ ବଡ଼ ସ୍କୋର୍ରୁ ବଞ୍ଚିତ ହୋଇଥିଲା। ଡି’ କକ୍ଙ୍କ ୩୩ ରନ୍ ବ୍ୟତୀତ ସୌରଭ ତିୱାରୀ ୪୨ ରନ୍ କରିବାରୁ ଦଳ ୧୫୦ ପାରିକରିପାରିଥିଲା। ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନ୍ଗିଡ଼ି, ରବୀନ୍ଦ୍ର ଜାଦେଜା ଓ ଦୀପକ ଚହର ମିଳିତ ଭାବେ ୭ ୱିକେଟ୍ ବାଣ୍ଟି ନେବାରୁ ମୁମ୍ବାଇ ପାଳି ୧୬୨/୯ରେ ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dd58a5da-b5b9-468a-bffd-5aaa7080e0d0.jpg)