ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ସଫଳତମ ଅଧିନାୟକ ହେଉଛନ୍ତି ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନି। ଭାରତୀୟ ଖେଳାଳିଙ୍କ ଭାବନା, ପ୍ରତିଶ୍ରୁତିବଦ୍ଧତା ଓ ଆତ୍ମବିଶ୍ବାସକୁ ନୂଆ ସ୍ତରକୁ ନେବା ସହ ଉଜ୍ଜ୍ବଳ ଭବିଷ୍ୟତ ଓ ଆଧିପତ୍ୟର ସ୍ବପ୍ନ ସମ୍ଭବତଃ ଦାଦା ହିଁ ଦେଖାଇଥିଲେ। ସେପଟେ ମାହି ଭାରତକୁ ଦୁଇ ଥର ବିଶ୍ବ ବିଜୟୀ (୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୧୧ ଏକଦିବସୀୟ ବିଶ୍ବକପ୍) କରାଇଥିଲେ। ତାଙ୍କ ଅଧିନାୟକତ୍ବରେ ମଧ୍ୟ ଭାରତ ସର୍ବାଧିକ ସଂଖ୍ୟକ ଆଇସିସି ଟ୍ରଫି ଜିତିଛି। ତେବେ ଅନେକ ପୂର୍ବତନ କ୍ରିକେଟର୍‌ ମତ ଦିଅନ୍ତି ଯେ ଗାଙ୍ଗୁଲି ଲଗାଇଥିବା ଫସଲକୁ ଧୋନି କେବଳ ଯାହା ଅମଳ କରିଥିଲେ। ଅର୍ଥାତ୍ ଗାଙ୍ଗୁଲି ଭାରତୀୟ କ୍ରିକେଟର୍‌ଙ୍କ ମନରେ ଯେଉଁ ସାହସ ଓ ଶୃଙ୍ଖଳାର ଭାବନା ଭରିଥିଲେ, ଅଧିନାୟକ ଭାବେ ଧୋନିଙ୍କୁ ହିଁ ତାର ସର୍ବାଧିକ ଲାଭ ମିଳିଥିଲା। ଏହି ପରିପ୍ରେକ୍ଷୀରେ ସ୍ବଦେଶ, ବିଦେଶ, ଟେଷ୍ଟ୍‌ ଓ ଦିନିକିଆ, ସବୁ କ୍ଷେତ୍ରରେ ଅଧିନାୟକ ଭାବେ ଗାଙ୍ଗୁଲି ଓ ଧୋନିଙ୍କ ସଫଳତାକୁ ତୁଳନା କରିବାର ଆବଶ୍ୟକତା ଦେଖା ଦେଇଛି। ଏକ ଘରୋଇ ସଂସ୍ଥା ତରଫରୁ କରାଯାଇଥିବା ଏଭଳି ଏକ ନିଆରା ଗଣନାରେ ଗାଙ୍ଗୁଲି କିନ୍ତୁ କ୍ୟାପଟେନ୍ କୁଲ୍ ଧୋନିଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର କିଛି ପଏଣ୍ଟ୍‌ରେ ମାହି ଏହି ମହାଲଢ଼େଇରେ ବିଜେତା ସାବ୍ୟସ୍ତ ହୋଇଥିଲେ। ତେବେ ଆସନ୍ତୁ ଏହି ଦୁଇ ଜଣଙ୍କ ନେତୃତ୍ବ ଦକ୍ଷତା ପରଖିଥିବା ସେହି କାରଣଗୁଡ଼ିକ ଉପରେ ନଜର ପକାଇବା।

Advertisment

୮ ବର୍ଗରେ ପରୀକ୍ଷା, ପ୍ରତ୍ୟେକ ବର୍ଗରେ ସର୍ବାଧିକ ୧୦ ନମ୍ବର
ସମଗ୍ର ଦେଶର ପୂର୍ବତନ ଖେଳାଳି, କ୍ରୀଡ଼ା ସାମ୍ବାଦିକ ଓ ପ୍ରସାରଣକାରୀ ବିଶେଷଜ୍ଞଙ୍କୁ ନେଇ ଏକ ପରୀକ୍ଷକ ମଣ୍ଡଳି ଗଠନ କରାଯାଇଥିଲା। ୮ଟି ଭିନ୍ନ ଭିନ୍ନ ବର୍ଗରେ ସେମାନେ ଉଭୟ ଧୋନି ଓ ଗାଙ୍ଗୁଲିଙ୍କୁ ନମ୍ବର (ସର୍ବାଧିକ ୧୦ରୁ) ପ୍ରଦାନ କରିଥିଲେ। ଘରୋଇ ଓ ବିଦେଶ ମାଟିରେ ଲାଲ୍ ଓ ଧଳା ବଲ୍ କ୍ରିକେଟ୍‌ରେ ଅଧିନାୟକତ୍ବ ସଫଳତା। ଅଧିନାୟକ ଭାବେ ବ୍ୟକ୍ତିଗତ ବ୍ୟାଟିଂ ପ୍ରଦର୍ଶନ, ଦଳ ଗଢ଼ିବା, ସେମାନେ ଛାଡ଼ି ଯାଇଥିବା ଦଳର ମାନ, ସେମାନଙ୍କ ଶ୍ରେଷ୍ଠ ସଫଳତା ଓ ଉଭୟ ଅଧିନାୟକଙ୍କର ଦଳ ଉପରେ ପ୍ରଭାବକୁ ଏହି କ୍ଷେତ୍ରରେ ବିଚାରକୁ ନିଆଯାଇଥିଲା। ପ୍ରତ୍ୟେକ ବର୍ଗର ନମ୍ବରକୁ ଏକାଠି କରିବା ପରେ ଗାଙ୍ଗୁଲିଙ୍କଠାରୁ ମାତ୍ର ୦.୪ ପଏଣ୍ଟ୍‌ ଅଧିକ ପାଇ ଧୋନି ଆଗୁଆ ରହିଥିଲେ। ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିବା ପୂର୍ବତନ ଖେଳାଳିମାନେ ହେଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା, ଭାରତୀୟ କ୍ରିକେଟ୍ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଓ କୃଷ୍ଣମାଚାରି ଶ୍ରୀକାନ୍ତ ପ୍ରମୁଖ।

ବିଦେଶ ଟେଷ୍ଟ୍‌ରେ ଗାଙ୍ଗୁଲି ବଳିୟାନ
ଏକ ଘରୋଇ ଚ୍ୟାନେଲ ତରଫରୁ କରାଯାଇଥିବା ଗଣନାରେ ଧୋନି ଏକଦିବସୀୟ କ୍ରିକେଟ୍ ଦଳ ଘରୋଇ ଟେଷ୍ଟ୍ ଶୃଙ୍ଖଳା ସଫଳତାରେ ଗାଙ୍ଗୁଲିଙ୍କଠାରୁ ଢେର ଆଗରେ ରହିଥିଲେ। ହେଲେ ବିଦେଶ ମାଟିରେ ଟେଷ୍ଟ୍ ଶୃଙ୍ଖଳା କଥା ଆସିଲେ, ଗାଙ୍ଗୁଲି ବାଜି ମାରି ନେଇଥିଲେ। ଉତ୍ତରାଧିକାରୀ ଭାବେ ଗାଙ୍ଗୁଲି ପାଇଥିବା ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଢ଼ିବାରେ ମଧ୍ୟ ଧୋନିଙ୍କୁ ଗାଙ୍ଗୁଲି ପଛରେ ପକାଇ ଦେଇଥିଲେ। ସବୁଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଅଧିନାୟକ ଭାବେ ବ୍ୟାଟିଂ ପ୍ରଦର୍ଶନ, ଛାଡ଼ି ଯାଇଥିବା ଦଳ ଏବଂ ଦଳ ଉପରେ ପ୍ରଭାବ ବର୍ଗରେ ହୋଇଥିଲା। ଧୋନି ପ୍ରଥମ ବର୍ଗର ବିଜେତା ହୋଇଥିଲା ବେଳେ ଅନ୍ୟ ଦୁଇ ବର୍ଗରେ ଗାଙ୍ଗୁଲି ଆଗୁଆ ରହିଥିଲେ।

କାହାକୁ କେତେ ନମ୍ବର
ଘରୋଇ ଟେଷ୍ଟ୍: ଧୋନି ୮.୨, ଗାଙ୍ଗୁଲି ୭.୪
ଘରୋଇ ଟେଷ୍ଟ୍ କ୍ଷେତ୍ରରେ ଉଭୟ ଗାଙ୍ଗୁଲି ଓ ଧୋନି ଅଧିନାୟକ ଭାବେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସୈନ୍ୟବଳ ଦୃଷ୍ଟିରୁ ଧୋନିଙ୍କୁ ଏହି କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା। ସେ ମଧ୍ୟ ଏହି କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ। କାରଣ ଘରୋଇ ପରିବେଶରେ ଧୋନିଙ୍କ ‌ଦଳକୁ ଟେଷ୍ଟ୍‌ କ୍ରିକେଟ୍‌ରେ କ୍ବଚିତ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ବିଶେଷଜ୍ଞଙ୍କ ମତ
ଗୌତମ ଗମ୍ଭୀର: ସୌରଭ ଗାଙ୍ଗୁଲିଙ୍କ ପାଖରେ ହରଭଜନ ସିଂହ ଓ ଅନିଲ କୁମ୍ବଲେଙ୍କ ଭଳି ବୋଲର ଥିଲେ। ଧୋନିଙ୍କ ପାଖରେ କେବଳ ହରଭଜନ ଥିଲେ। ସେଥିପାଇଁ ତାଙ୍କୁ ଦ୍ବିତୀୟ ସ୍ପିନର ଖୋଜିବାକୁ ପଡ଼ିଥିଲା। ଧୋନିଙ୍କ ପାଖରେ ଅନିଲ କୁମ୍ବଲେ ନଥିବାରୁ ସମ୍ଭବତଃ ସେ ଭଲ କରିଥିଲେ। ପାଖରେ ଥିବା ଅନ୍ୟ ସମ୍ବଳକୁ ଭଲ ଭାବେ ଉପଯୋଗ କରି ପାରିଥିଲେ।

ବିଦେଶ ମାଟିରେ ଟେଷ୍ଟ୍: ଗାଙ୍ଗୁଲି ୭.୨, ଧୋନି ୫.୫
ଗାଙ୍ଗୁଲିଙ୍କ ଦଳ ‌ଯେତେବେଳେ ବିଦେଶ ଗସ୍ତରେ ଯାଉଥିଲା, ତାକୁ ହରାଇବା ଆଦୌ ସହଜ ନଥିଲା। ଅଧିନାୟକ ଭାବେ ବିଦେଶ ମାଟିରେ ଖେଳିଥିବା ୨୮ ଟେଷ୍ଟ୍‌ରୁ ଗାଙ୍ଗୁଲି ମାତ୍ର ୧୦ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ଅର୍ଥାତ୍ ବିଦେଶ ଗସ୍ତରେ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ମାତ୍ର ୩୬ ପ୍ରତିଶତ ମ୍ୟାଚ୍ ହାରିଥିଲା। ଧୋନିଙ୍କ କ୍ଷେତ୍ରରେ ଏହା ୫୦ ପ୍ରତିଶତକୁ ବଢ଼ି ଯାଇଥିଲା। ଧୋନି ବିଦେଶ ମାଟିରେ ନେତୃତ୍ବ ନେଇଥିବା ୩୦ ଟେଷ୍ଟ୍‌ରୁ ଭାରତ ୧୫ଟିରେ ପରାଜିତ ହୋଇଥିଲା। ତାଙ୍କ ଅଧିନାୟକତ୍ବରେ ବିଦେଶ ଟେଷ୍ଟରେ ଭାରତର ବିଜୟ ପ୍ରତିଶତ ମାତ୍ର ୨୦ ପ୍ରତିଶତ ଥିଲା। କୃଷ୍ଣମାଚାରି ଶ୍ରୀକାନ୍ତ: କଠିନ ପରିସ୍ଥିତିରେ ସେ ଜିତିବା ଆରମ୍ଭ କରିଥିଲେ। ଏହା ପରେ ହିଁ ଇଂଲଣ୍ଡକୁ ଇଂଲଣ୍ଡରେ, ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ଏବଂ ପାକିସ୍ତାନକୁ ପାକିସ୍ତାନରେ ହରାଇବାର ଆତ୍ମବିଶ୍ବାସ ଭାରତ ପାଇଥିଲା। ଏସବୁ କେବଳ ଗାଙ୍ଗୁଲିଙ୍କ ପାଇଁ ସମ୍ଭବ ହୋଇ ପାରିଥିଲା।

କୁମାର ସାଙ୍ଗାକାରା: ଗାଙ୍ଗୁଲି ହାରିବାକୁ ଭଲ ପାଉ ନଥିଲେ। ବିଭିନ୍ନ ମଞ୍ଚରେ ତାଙ୍କ ଭାବନାର ପରିପ୍ରକାଶରୁ ଆପଣ ଏହା ଜାଣି ପାରିଥିବେ। ‌ହେଲେ ଏହା ବିଧ୍ବଂସକାରୀ ନଥିଲା। ଭାରତ ହାରିବା ତାଙ୍କୁ ବହୁତ ବାଧୁଥିଲା। ଫଳରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଉଥିଲା।

ଗୌତମ ଗମ୍ଭୀର: ୨୦୧୧ ମସିହା ବିଶ୍ବକପ୍ ବିଜୟ ପରେ ପ୍ରଶଂସକଙ୍କ ଆଶା ଆମେ ପୂରଣ କରି ପାରି ନଥିଲୁ। ଯଦି ଆମେ ଖୋଲା ମନରେ ବିଦେଶ ଗସ୍ତ କରି ପରାଜିତ ହେଲେ ବିଶ୍ବ ଆମ ମୁଣ୍ଡ ଉପରେ ଖସି ପଡ଼ିବ ନାହିଁ ବୋଲି ଭାବି ଥା’ନ୍ତୁ, ତାହାଲେ ଧୋନିଙ୍କ ଅଧୀନରେ ଆମେ ଅଧିକ ମ୍ୟାଚ୍ ଜିତି ପାରି ଥାଆନ୍ତୁ। ଆମେ କିନ୍ତୁ ଏହା କରି ପାରି ନଥିଲୁ।
ଗ୍ରେମ୍ ସ୍ମିଥ୍: ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ରେ ଅନେକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ କ୍ରିକେଟ୍ ପାଇଁ ସେ ଏକ ଶକ୍ତିଶାଳୀ ଖମ୍ବ ସଦୃଶ। ସଂପ୍ରତି ଭାରତ ଯେଉଁଠି ପହଞ୍ଚିଛି, ସେଥିରେ ଗାଙ୍ଗୁଲିଙ୍କର ଯଥେଷ୍ଟ ଅବଦାନ ରହିଛି।

ଦିନିକିଆ ଅଧିନାୟକ: ଧୋନି ୮.୧, ଗାଙ୍ଗୁଲି ୬.୮
ଧୋନି ଦିନିକିଆ ଅଧିନାୟକତ୍ବରେ ଯଥେଷ୍ଟ ଆଗରେ ରହିବେ। ହେଲେ ଧୋନିଙ୍କ ପାଖରେ ଥିବା ଦକ୍ଷ ଦିନିକିଆ ଖେଳାଳି ଥିଲେ ଗାଙ୍ଗୁଲି ମଧ୍ୟ ତାଙ୍କ ଭଳି ସଫଳତା ପାଇ ଥା’ନ୍ତେ, ଏଥିରେ ସନ୍ଦେହ ନାହିଁ। ଧୋନି ଦିନିକିଆ ଅଧିନାୟକ ଭାବେ ୮.୧ ପଏଣ୍ଟ୍‌ ପାଇଥିଲା ବେଳେ ଗାଙ୍ଗୁଲି ୬.୮ ପଏଣ୍ଟ୍‌ ପାଇଛନ୍ତି।

କୁମାର ସାଙ୍ଗାକାରା: ସରଳ ଓ ଛୋଟ ଛୋଟ ନିଷ୍ପତ୍ତି ବଳରେ ଗୁରୁତ୍ବପୂର୍ଣ୍ଣ ମୁହୂର୍ତଗୁଡ଼ିକୁ ନିଜ ସପକ୍ଷରେ କରିବା ହିଁ ମହତ୍ବପୂର୍ଣ୍ଣ। ମହେନ୍ଦ୍ର ସିଂହ ଧୋନିଙ୍କ ପାଖରେ ସେହି ଦକ୍ଷତା ଥିଲା। ଖେଳାଳିଙ୍କଠାରୁ ଶତପ୍ରତିଶତ ପ୍ରଦର୍ଶନ ବାହାର କରିବାରେ ମଧ୍ୟରେ ସେ ଓସ୍ତାଦ ଥିଲେ। ତାଙ୍କ ଭାବନାରେ ସ୍ପଷ୍ଟତା ଥିଲା। ଗାଙ୍ଗୁଲିଙ୍କୁ କିନ୍ତୁ ତାଙ୍କ ପାଖରେ ଥିବା ଦଳ ଲାଗି ତୁଳନାତ୍ମକ ଭାବେ ଅଧିକ ଓ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।

ଗ୍ରେମ୍ ସ୍ମିଥ୍: ଦାଦାଙ୍କ ପାଖରେ ଧୋନିଙ୍କ ଭଳି ଖେଳାଳି ଥିଲେ ତାଙ୍କ ଦଳ ଆହୁରି ଉନ୍ନତି କରି ପାରି ଥାଆନ୍ତା। ସେ ହୁଏତ ଆହୁରି ଅନେକ ଟ୍ରଫି ଜିତି ପାରି ଥା‌’ନ୍ତେ।

ଦଳୀୟ ପରିବର୍ତ୍ତନ: ଗାଙ୍ଗୁଲି ୮.୬, ଧୋନି ୭.୩
ଏହି କ୍ଷେତ୍ରରେ ଧୋନିଙ୍କୁ ଗାଙ୍ଗୁଲି ଯଥେଷ୍ଟ ପଛରେ ପକାଇ ଦେଇଥିଲେ। ସେ ୮.୬ ପଏଣ୍ଟ୍‌ ପାଇଥିଲା ବେଳେ ଧୋନି ମାତ୍ର ୭.୩ ପଏଣ୍ଟ୍‌ ପାଇଥିଲେ।

କୃଷ୍ଣମାଚାରି ଶ୍ରୀକାନ୍ତ: ଗାଙ୍ଗୁଲି ଭାରତୀୟ ଖେଳାଳିଙ୍କ ଭାବନାରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ଏହା ପରେ ଏକ ଚମତ୍କାର ଦଳର ମଙ୍ଗ ଧୋନିଙ୍କୁ ହସ୍ତାନ୍ତର କରିଥିଲେ। ଆମେ ଏକ ନୂଆ ଆରମ୍ଭ କରିଛେ, ଏହାକୁ ଆଗେଇ ନିଅ ବୋଲି ଧୋନିଙ୍କୁ ପରୋକ୍ଷ ସଙ୍କେତ ଦେଇଥିଲେ।

ଗ୍ରେମ୍ ସ୍ମିଥ୍: ଲୋକମାନେ କେବଳ ମୁଖାକୁ ଦେଖନ୍ତି। ଦଳ ଗଠନ ପଛରେ ଅନେକ ପରିଶ୍ରମ ଓ ଯୋଜନା ମଧ୍ୟ ଥାଏ। ଖେଳାଳି ଚିହ୍ନଟ କରିବା ସେମାନଙ୍କୁ ଦଳକୁ ଆଣି ସ୍ବାଧୀନତା ପ୍ରଦାନ କରିବା। ମୁଁ ଭାବୁଛି ଦାଦା ଏହି କ୍ଷେତ୍ରରେ ଚମତ୍କାର କାମ କରିଥିଲେ।

ଛାଡ଼ି ଯାଇଥିବା ଦଳ: ଗାଙ୍ଗୁଲି ୭.୮, ଧୋନି ୭.୬
ଅବସର‌ ବେଳକୁ ଛାଡ଼ିଥିବା ଦଳରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଭାରତକୁ ଗାଙ୍ଗୁଲି ଅଧିକ ଖେଳାଳି ଦେଇଥିଲେ। ଘଡ଼ିସନ୍ଧି ମୁହୂର୍ତରେ ସେ ଦଳର ମଙ୍ଗ ଧରିଥିଲେ। ନୂଆ ପ୍ରତିଭା ଚିହ୍ନଟ କରିବା ସହ ଗାଙ୍ଗୁଲି ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଥିଲେ। ଧୋନି ମଧ୍ୟ ଅଧିକ ଖେଳାଳିଙ୍କୁ ଦଳରୁ ବାଦ୍ ଦେବା ସପକ୍ଷରେ ନଥ‌ିଲେ। ଯେଉଁ ଖେଳାଳିଙ୍କ ପାଖରେ ପ୍ରତିଭା ଥିଲା ସେମାନଙ୍କୁ ମାହି ମଧ୍ୟ ପର୍ଯ୍ୟାପ୍ତ ସମୟ ଦେଉଥିଲେ। ବିରାଟ କୋହଲି ଏହାର ଏକ ଜ୍ବଳନ୍ତ ଉଦାହରଣ। ତଥାପି ଗାଙ୍ଗୁଲି ଏହି କ୍ଷେତ୍ରରେ ଧୋନିଙ୍କଠାରୁ ଆଗରେ ରହିଛନ୍ତି।

ଗୌତମ ଗମ୍ଭୀର: ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡ଼ିଲା ବେଳକୁ କୋହଲିଙ୍କୁ ଏକ ଭଲ ଦଳ ଦେଇ ଯାଇ ନଥିଲେ। କେବଳ ନିଜେ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ନଜରକୁ ଆସୁଥିଲେ। ଦଳରେ ପ୍ରତିଯୋଗିତା ଜିତାଇଲା ଭଳି ବିଶ୍ବସ୍ତରୀୟ ଖେଳାଳି ନଥିଲେ। ହେଲେ ସୌରଭ ଗାଙ୍ଗୁଲି ଭାରତୀୟ ଦଳକୁ କ’ଣ ଦେଇ ଯାଇଛନ୍ତି ଦେଖନ୍ତୁ। ଯୁବରାଜ ସିଂହ, ହରଭଜନ ସିଂହ, ଜାହିର ଖାନ୍, ବୀରେନ୍ଦ୍ର ସେହବାଗ ଆଦି। ଏମାନେ ସମସ୍ତେ ଜଣେ ଜଣେ ବିଶ୍ବସ୍ତରୀୟ ଖେଳାଳି।

ଅଧିନାୟକ ଭାବେ ବ୍ୟାଟିଂ ପ୍ରଦର୍ଶନ: ଧୋନି ୭.୮, ଗାଙ୍ଗୁଲି ୭.୪
ଧୋନି ଓ ଗାଙ୍ଗୁଲି ବିପରୀତ ଶୈଳୀରେ ନିଜ ନିଜ ଖେଳ ଜୀବନ ଆରମ୍ଭ କରିଥିଲେ। ଗାଙ୍ଗୁଲି ନିଜ ପଦାର୍ପଣ ଟେଷ୍ଟ୍‌ରେ ଐତିହାସିକ ଲର୍ଡସ ପଡ଼ିଆରେ ଶତକ ଜମାଇ ଚର୍ଚାକୁ ଆସିଥିଲେ। ଅନ୍ୟପକ୍ଷରେ ପ୍ରଥମ କିଛି ଦିନିକିଆରେ ବିଫଳ ହେବା ପରେ ପାକିସ୍ତାନ ବିପକ୍ଷ ବିଶାଖାପାଟଣା ଦିନିକିଆରେ ଧମାକାଦାର ଶତକ ଅର୍ଜନ କରି ଧୋନି ନିଜ ପରାକାଷ୍ଠା ଦେଖାଇଥିଲେ। ପରବର୍ତ୍ତୀ ସମୟରେ ନିଜକୁ ଜଣେ ଶ୍ରେଷ୍ଠ ଫିନିସର୍‌ ଭାବେ ବି ପ୍ରତିଷ୍ଠିତ କରାଇ ପାରିଥିଲେ। ସେହି ଦୃଷ୍ଟିରୁ ଏହି ବର୍ଗରେ ଗାଙ୍ଗୁଲିଙ୍କଠାରୁ ସେ ୦.୪ ପଏଣ୍ଟ ଅଧିକ ପାଇଥିଲେ। ଏହି ପାର୍ଥକ୍ୟ ହିଁ ପରେ ଗାଙ୍ଗୁଲିଙ୍କୁ ପଛରେ ପକାଇବାରେ ଶେଷରେ ଧୋନିଙ୍କୁ ବହୁ ସାହାଯ୍ୟ କରିଥିଲା।

ଗୌତମ ଗମ୍ଭୀର: ଧଳା ବଲ୍ କ୍ରିକେଟ୍‌ରେ ମହେନ୍ଦ୍ର ସିଂହ ଭଲ ପ୍ରଦର୍ଶନ କରିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ କିନ୍ତୁ ସୌରଭ ଗାଙ୍ଗୁଲି ଯଥେଷ୍ଟ ଆଗରେ ରହିବେ। କାରଣ ଧୋନି ଭାରତୀୟ ଉପମହାଦେଶ ବାହାରେ ଗୋଟିଏ ହେଲେ ବି ଟେଷ୍ଟ୍ ଶତକ ହାସଲ କରି ନାହାନ୍ତି। ସୌରଭ ଗାଙ୍ଗୁଲି ଲର୍ଡସ ସହ ଅଷ୍ଟ୍ରେଲିଆରେ ମଧ୍ୟ ଶତକ ଅର୍ଜନ କରିଛନ୍ତି।

ଗ୍ରେମ୍ ସ୍ମିଥ୍: ବିଶ୍ବ କ୍ରିକେଟ୍‌ ଉପରେ ଧୋନିଙ୍କ ପ୍ରଭାବକୁ ଭୁଲି ଯିବା ପୂରା ଅସମ୍ଭବ। ତାଙ୍କ ଫିନିସିଂ କଳା ଏବଂ ବଡ଼ ପ୍ରତିଯୋଗିତାରେ ଚାପକୁ ସାହସର ସହ ସମ୍ମୁଖୀନ ହେବାର ଦକ୍ଷତା ଅତୁଳନୀୟ। ଏକଥା ବି ସତ ଯେ ଟେଷ୍ଟ୍ କ୍ରିକେଟ୍ କଥା ଆସିଲେ, ଧୋନି ଆହୁରି ଅନେକ କିଛି କରି ପାରି ଥାଆନ୍ତେ ବୋଲି ମୁଁ ଭାବୁଛି। ବିଶେଷ କରି ବିଦେଶ ମାଟିରେ ଧୋନି ଆହୁରି ଭଲ କରି ପାରି ଥାଆନ୍ତେ। ଟେଷ୍ଟ୍ କ୍ରିକେଟ୍ କଥା ପଡ଼ିଲେ ମୁଁ ଦାଦାଙ୍କ ସହ ଯିବି। ଦିନିକିଆ କ୍ରିକେଟ୍ ପାଇଁ କିନ୍ତୁ ଧୋନିଙ୍କୁ ବାଛିବି।

ବଡ଼ ସଫଳତା: ଧୋନି ୮.୫, ଗାଙ୍ଗୁଲି ୭.୨
ଏହି କ୍ଷେତ୍ରରେ ଗାଙ୍ଗୁଲିଙ୍କଠାରୁ ଧୋନି ‌ଯଥେଷ୍ଟ ଆଗରେ ରହିବେ। ଦୁଇଟି ବିଶ୍ବକପ୍ ଏବଂ ଗୋଟିଏ ଚାମ୍ପିଅନ୍ସ ଟ୍ରଫି ତାଙ୍କ ନେତୃତ୍ବରେ ଭାରତ ଜିତିଛି। ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ୨୦୦୨ ଚାମ୍ପିଅନ୍ସ ଟ୍ରଫିରେ ଯୁଗ୍ମ ବିଜେତା ହୋଇଥିଲା ବେଳେ ୨୦୦୩ ଏକଦିବସୀୟ ବିଶ୍ବକପ୍‌ରେ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏହି ବର୍ଗରେ ଧୋନି ୮.୫ ପଏଣ୍ଟ ପାଇଥିଲା ବେଳେ ଗାଙ୍ଗୁଲି ୭.୨ ପଏଣ୍ଟ ପାଇଛନ୍ତି।

କୃଷ୍ଣମଚାରି ଶ୍ରୀକାନ୍ତ: ୨୦୧୧ ବିଶ୍ବକପ୍, ଚାମ୍ପିଅନ୍ସ ଟ୍ରଫି, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାରେ ବିଜୟ ଏବଂ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପାଇଁ ସୀମିତ ଓଭର କ୍ରିକେଟ୍ କଥା ପଡ଼ିଲେ ଧୋନି ଯଥେଷ୍ଟ ଆଗରେ ରହିବେ। କେବଳ ଜଣେ ଖେଳାଳି ଭାବେ ନୁହେଁ, ଜଣେ ଅଧିନାୟକ ଭାବେ ନୁହେଁ, ୱିକେଟ୍ ରକ୍ଷକ ଭାବେ ମଧ୍ୟ, ଏହାକୁ ଆପଣ ଭୁଲନ୍ତୁ ନାହିଁ।
ଗୌତମ ଗମ୍ଭୀର: ଟ୍ରଫି ଜିତିବା ଦୃଷ୍ଟିର ଧୋନିଙ୍କୁ ବାଛିବି। ହେଲେ ଧୋନି ଖେଳାଳି ଭାବେ ସେହିସବୁ ପ୍ରତିଯୋଗିତାରେ ପ୍ରଭାବଶାଳୀ ପ୍ରଦର୍ଶନ କରି ନାହାନ୍ତି। ୨୦୦୩ ବିଶ୍ବକପ୍‌ରେ କିନ୍ତୁ ଗାଙ୍ଗୁଲି ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଧୋନି ବହୁଗୁଡ଼ିକ ରନ୍ କରି ନଥିଲେ (୬ ପାଳିରୁ ୧୫୪, ଏହା ଭାରତର ଦ୍ବିତୀୟ ସର୍ବାଧିକ ରନ୍ ଥିଲା)। ୨୦୧୧ ବିଶ୍ବକପ୍‌ରେ ମଧ୍ୟ ବ୍ୟକ୍ତିଗତ ଭାବେ ସେ ଭଲ ପ୍ରଦର୍ଶନ କରି ନଥିଲେ। ଅବଶ୍ୟ ଏକଥା ବି ସତ ଯେ ଧୋନିଙ୍କ ନେତୃତ୍ବରେ ଭାରତ ଦୁଇଟି ବିଶ୍ବକପ୍ ଓ ଗୋଟିଏ ଚାମ୍ପିଅନ୍ସ ଟ୍ରଫି ଜିତିଛି।

ସାମଗ୍ରିକ ପ୍ରଭାବ: ଗାଙ୍ଗୁଲି ୮.୧, ଧୋନି ୭.୯
ଦଳୀୟ ଖେଳାଳିଙ୍କ ଉପରେ ସାମଗ୍ରିକ ପ୍ରଭାବରେ ଗାଙ୍ଗୁଲି ଟିକିଏ ଆଗରେ ରହିଥିଲେ। ଜଣେ (ଧୋନି) ବିଶ୍ବକପ୍ ଜିତିବା ସହ ଭାରତକୁ ଆଇସିସି ମାନ୍ୟତାର ଶୀର୍ଷରେ ପହଞ୍ଚାଇଥିଲେ। ଅନ୍ୟ ଜଣେ (ଗାଙ୍ଗୁଲି) ଦେଶକୁ ଅନେକ ପ୍ରତିଭାବାନ ଖେଳାଳି ଉପହାର ଦେଇଥିଲେ। ଏପରିକି ବିଶ୍ବର ଶ୍ରେଷ୍ଠ ଦଳ ବିପକ୍ଷରେ ଜିତିବାର ସାହସ ଓ ଆତ୍ମବିଶ୍ବାସ ମଧ୍ୟ ପ୍ରଦାନ କରିଥିଲେ। ଗାଙ୍ଗୁଲି ଏହି ବର୍ଗରେ ୮.୧ ଓ ଧୋନି ୭.୯ ପଏଣ୍ଟ ପାଇଥିଲେ।

ଗୌତମ ଗମ୍ଭୀର: ଏହି ଦୁଇ ଜଣ ଯାକ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେଇଛନ୍ତି। ଗାଙ୍ଗୁଲିଙ୍କ ଅପେକ୍ଷା ଧୋନିଙ୍କ ପାଇଁ ଏହା ଟିକିଏ ସହଜ ଥିଲା। ହେଲେ ପ୍ରଭାବ ପକାଇବା ଦୃଷ୍ଟିରୁ ମୁଁ ଧୋନିଙ୍କ ସପକ୍ଷରେ ଯିବି। କାରଣ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବାକୁ ସେ ସବୁବେଳେ ବ୍ୟଗ୍ର ରହୁଥିଲେ। ଲୋକମାନେ ଭାବନ୍ତି ସେ ଟେଷ୍ଟ୍ କ୍ରିକେଟ୍‌କୁ ସେତେଟା ମହତ୍ବ ଦେଉ ନଥିଲେ। ହେଲେ ମୋ ମତରେ ଧୋନି ଟେଷ୍ଟ୍ କ୍ରିକେଟ୍‌ରେ ମଧ୍ୟ ଭଲ କରିବାକୁ ସବୁବେଳେ ଚେଷ୍ଟିତ ଥିଲେ। ସେଥିପାଇଁ ହିଁ ଆମେ ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ପହଞ୍ଚି ପାରିଥିଲେ।

ଗ୍ରେମ୍ ସ୍ମିଥ୍: ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ ଉପରେ ବ୍ୟାପକ ପ୍ରଭାବ ପକାଇଥିଲେ। ପ୍ରତିଭା ଚିହ୍ନଟ ହେଉ କି ମାନସିକ ଦୃଢ଼ତା ସବୁଥିରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହୁଥିଲା। ପ୍ରାରମ୍ଭିକ ସମୟରେ ଆଲାନ ବର୍ଡର ଅଷ୍ଟ୍ରେଲିଆ ପାଇଁ ଯାହା କରିଥିଲେ ଭାରତ ପାଇଁ ସମ୍ଭବତଃ ଗାଙ୍ଗୁଲି ତାହା କରିଥିଲେ। ତାଙ୍କ ପାଇଁ ହିଁ ଭାରତୀୟ କ୍ରିକେଟ୍‌କୁ ଅନେକ ଭଲ ଖେଳାଳି ଓ ଭଲ ଅଧିନାୟକ ମିଳିଥିଲେ।