ଭାରତୀୟ ହକିର ‘ଚକ୍‌ଦେ ଇଣ୍ଡିଆ’ ମୁହୂର୍ତ, ମୁଭି ଦେଖି ଫେରିପାଇଥିଲେ ଆତ୍ମବିଶ୍ବାସ

ମାରିନଙ୍କୁ ଶାହରୁଖଙ୍କ ସହ ତୁଳନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ହକି ଦଳର ଖେଳାଳିଙ୍କ ଆତ୍ମବଳ ବଢ଼ାଇବା‌ ଲାଗି ପ୍ରଶିକ୍ଷକ ଜୋଏଡ୍ ମାରିନ ସେମାନଙ୍କୁ ଏକ ପ୍ରେରଣାଦାୟୀ ଚଳଚ୍ଚିତ୍ର ଦେଖାଇଥିଲେ। ଏହି ଚଳଚ୍ଚିତ୍ର ଦେଖିଲା ପରେ ଖେଳାଳି ସେମାନଙ୍କ ପୂର୍ବ ଆତ୍ମବିଶ୍ବାସ ଫେରି ପାଇଥିଲେ। ଏକଥା ଉଭୟ ମାରିନ ଏବଂ ଅଧିନାୟିକା ରାଣୀ ରାମପାଲ ସୋମବାରର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ଜିତିବା ପରେ କହିଥିଲେ। ତେବେ ଉଭୟ ସେହି ଚଳଚ୍ଚିତ୍ରଟିର ନାଁ ପ୍ରକାଶ କରି ନଥିଲେ।

ଭାରତୀୟ ମହିଳା ଦଳର ଐତିହାସିକ ବିଜୟକୁ ପ୍ରଶଂସକ ବେଶ୍ ଉପଭୋଗ କରୁଛନ୍ତି। ସେମାନେ ଏହାକୁ ଭାରତୀୟ ମହିଳା ହକି ଦଳର ‘ଚକ୍‌ଦେ ଇଣ୍ଡିଆ’ ମୁହୂର୍ତ ଭା‌ବେ ବର୍ଣ୍ଣନା କରୁଛନ୍ତି। ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଏହି ହିଟ୍ ଚଳଚ୍ଚିତ୍ରରେ ଯେଭଳି ଭାବେ ଭାରତୀୟ ଦଳ ସଫଳତାର ନୂଆ ଫର୍ଦ ସୃଷ୍ଟି କରେ ସୋମବାର ରାଣୀ ରାମପାଲଙ୍କ ଦଳ ସେହିଭଳି ସଫଳତା ଲାଭ କରିଛି ବୋଲି ପ୍ରଶଂସକ କହୁଛନ୍ତି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର , ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେଶର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରାଜ୍ୟବର୍ଦ୍ଧନ ସିଂହ ରା‌ଠୋର, ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା, ପୂର୍ବତନ ବିଲିୟାର୍ଡସ ବିଶ୍ବ ବିଜେତା ପଙ୍କଜ ଆଡଭାନୀ ପ୍ରମୁଖ ଟ୍ବିଟ୍ କରି ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ର ମୁଖ୍ୟାଂଶ
 ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ଦଳ ସେମିଫାଇନାଲ୍ ଗଲା।
 ୪୧ ବର୍ଷ ତଳେ ଭାରତ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସେତେବେଳର ପ୍ରତିଯୋଗିତା ରାଉଣ୍ଡରବିନ ପଦ୍ଧତି‌ରେ ଖେଳାଯାଇଥିଲା।
 ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ହରାଇବାକୁ ବିଶେଷଜ୍ଞ ଏକ ବଡ଼ ବିପର୍ଯ୍ୟୟ ଭାବେ ବିବେଚନା କରୁଛନ୍ତି।
 ସୋମବାର ମୁକାବିଲାର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଭାରତ ୫୯ ପ୍ରତିଶତ ବଲ୍ ନିଜ ପଜେସନରେ ରଖିଥିଲା।
 ଦ୍ବିତୀୟ କ୍ବାର୍ଟରର ସପ୍ତମ ମିନିଟ୍‌ରେ ଗୁରଜିତ କୌର ଭାରତ ପାଇଁ ପ୍ରଥମ ଓ ଏକମାତ୍ର ଗୋଲ୍ ଦେଇଥିଲେ।
 ଭାରତ ଆଜି ଅଷ୍ଟ୍ରେଲିଆ ଗୋଲ୍‌ପୋଷ୍ଟକୁ ୫ ଏବଂ ଅଷ୍ଟ୍ରେଲିଆ ଭାରତ ଗୋଲପୋଷ୍ଟକୁ ୧୪ ସଟ୍ ମାରିଥିଲା।
 ଅଷ୍ଟ୍ରେଲିଆକୁ ୭ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହି ଦଳ ଗୋଟିଏ ହେଲେ ବି ଗୋଲ୍ କରି ପାରି ନଥିଲା।
 ଓଡ଼ିଆ ରକ୍ଷଣଭାଗ ତାରକା ଦୀପଗ୍ରେସ୍ ଏକ୍କା ପ୍ରତିପକ୍ଷ ଅଷ୍ଟ୍ରେଲିଆର ଏକ ନିଶ୍ଚିତ ଗୋଲ୍ ସୁଯୋଗକୁ ନିଷ୍ଫଳ କରି ଦେଇଥିଲେ।
 ଶେଷ ୮ ମିନିଟ୍‌ରେ ଅଷ୍ଟ୍ରେଲିଆକୁ ମିଳିଥିବା ୪ ପେନାଲ୍ଟି କର୍ଣ୍ଣରରୁ କଙ୍ଗାରୁ ଦଳ ଫାଇଦା ଉଠାଇ ପାରି ନଥିଲା।
 ଭାରତ ସେମିଫାଇନାଲ୍‌ରେ ବୁଧବାର ଆର୍ଜେଣ୍ଟିନା (ଜର୍ମାନିକୁ ୩-୦ରେ ହରାଇଛି)କୁ ଭେଟିବ।

ମାରିନଙ୍କୁ ଶାହରୁଖଙ୍କ ସହ ତୁଳନା

ଭାରତୀୟ ମହିଳା ହକି ଦଳ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ପରେ ହକିପ୍ରେମୀ ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କୁ ‘ଚକ୍‌ଦେ ଇଣ୍ଡିଆ’ ଚଳଚ୍ଚିତ୍ରର ଶାହରୁଖ ଖାନଙ୍କ ଚରିତ୍ର ସହ ତୁଳନା କରୁଛନ୍ତି। ମାରିନ ମଧ୍ୟ ଭାରତୀୟ ଦଳର ଏହି ବିଜୟକୁ ପୂରା ଉପଭୋଗ କରୁଛନ୍ତି। ସଂପୂର୍ଣ୍ଣ ଭାରତୀୟ ହକି ଦଳ ସହ ଉଠାଇଥିବା ଫଟୋକୁ ପ୍ରକାଶ କରି ସେ ନିଜ ମନ ଭାବନା ପ୍ରକାଶ କରିଛନ୍ତି। ମାରିନଙ୍କୁ ଚକଦେ ଇଣ୍ଡିଆ ଚଳଚ୍ଚିତ୍ରରେ ଶାହରୁଖ୍ ଅଭିନୟ କରିଥିବା କବୀର ଖାନ୍ ଚରିତ୍ର ସହ ତୁଳନା କରି ସେ ଭାରତୀୟ ହକିର କାୟା ବଦଳାଇ ଦେଲେ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର