ମ୍ୟୁନିକ୍: କୋଭିଡ୍-୧୯ ମହାମାରୀ ଯୋଗୁଁ ବିଳମ୍ବିତ ହୋଇଥିବା ୟୁଇଏଫ୍ଏ ଚାମ୍ପିଅନ୍ସ ଲିଗ୍ ଅଗଷ୍ଟ ୭ ତାରିଖରୁ ପୁନଃଆରମ୍ଭ ହେବ। ୭ ଓ ୮ ତାରିଖରେ ପ୍ରିକ୍ବାର୍ଟର ଫାଇନାଲ୍ ଖେଳାଯିବ। ଅବଶ୍ୟ ଏଥିପାଇଁ ଭେନ୍ୟୁ ସ୍ଥିର ହୋଇନାହିଁ। ହେଲେ କ୍ବାର୍ଟର ଫାଇନାଲ୍, ସେମିଫାଇନାଲ୍ ଏବଂ ଫାଇନାଲ୍ ଆୟୋଜନ ଅଧିକାର ପର୍ତୁଗାଲ୍କୁ ମିଳିଯାଇଛି। ଚଳିତ ମାସ ୧୭ ତାରିଖରେ ୟୁଇଏଫ୍ଏର କାର୍ଯ୍ୟନିର୍ବାହୀ କମିଟି ପର୍ତୁଗାଲକୁ ନୂଆ ଆୟୋଜକ ଭାବେ ବାଛିଛି। ଲିସ୍ବନ୍ରେ ଏହି ସବୁ ମ୍ୟାଚ୍ ଖେଳାଯିବ। ଅଗଷ୍ଟ ୧୨ରୁ ୧୫ କ୍ବାର୍ଟର ଫାଇନାଲ୍, ଅଗଷ୍ଟ ୧୮ ଓ ୧୯ରେ ସେମିଫାଇନାଲ୍ ଏବଂ ଅଗଷ୍ଟ ୨୩ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜୁଲାଇ ୧୦ ତାରିଖରେ ନିୟନ୍ଠାରେ କ୍ବାର୍ଟର ଫାଇନାଲ୍ ଏବଂ ସେମିଫାଇନାଲ୍ ଡ୍ର’ ଉଠାଣ ହେବ।
ଚାମ୍ପିଅନ୍ସ ଲିଗ୍ ମାର୍ଚ୍ଚରେ ହେବାକୁ ସୂଚୀ ଧାର୍ଯ୍ୟ ହୋଇଥିଲା ବେଳେ କରୋନା ମହାମାରୀ ସଂକଟ ଯୋଗୁଁ ଅଗଷ୍ଟକୁ ଘୁଞ୍ଚାଯାଇଛି। ପୂର୍ବରୁ ଏହା ଇସ୍ତାନବୁଲ୍ରେ ହେବାକୁ ଧାର୍ଯ୍ୟ ହୋଇଥିଲା ବେଳେ ଶେଷରେ ସ୍ଥାନାନ୍ତର ହୋଇଛି। ଏହାକୁ ଆୟୋଜନ କରିବା ପାଇଁ ଜର୍ମାନି ଓ ପର୍ତୁଗାଲ ଦୌଡ଼ରେ ସାମିଲ ହୋଇଥିଲେ। କ୍ବାର୍ଟର ଫାଇନାଲ୍ରୁ ଫାଇନାଲ୍ ପର୍ଯ୍ୟନ୍ତ ସବୁ ମ୍ୟାଚ୍ ଗୋଟିଏ ଦେଶରେ କରିବାର ଯୋଜନା ରଖିଥିଲା ୟୁଇଏଫ୍ଏ। ସେହି ଦୃଷ୍ଟିରୁ ପର୍ତୁଗାଲ ଆୟୋଜନ ଅଧିକାର ପାଇଯାଇଛି। କୋଭିଡ୍-୧୯ ମହାମାରୀ କଟକଣା ଯୋଗୁଁ ମ୍ୟାଚ୍ ସବୁ ବନ୍ଦ ଦ୍ବାର ପଛପଟେ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ଆୟୋଜନ ଅଧିକାର ପାଇବା ପରେ ପର୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ଆନନ୍ଦ ପ୍ରକାଶ କରିଛନ୍ତି। ଲିବ୍ସନ୍ର ଦୁଇଟି ଷ୍ଟାଡିୟମ୍ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ବିଶେଷକରି ବେନ୍ଫିକାରେ ଫାଇନାଲ୍ ଆୟୋଜନ ହେବ ବୋଲି ସେ କହିଛନ୍ତି।