ଭୁବନେଶ୍ବର: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଲାଗି ଟିକେଟ ହାସଲ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ହାଙ୍ଗଝୌରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ଜାଭଲିନ୍ ଫିଙ୍ଗି ଭାରତୀୟ ସାଥୀ ନୀରଜ ଚୋପ୍ରାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲେ। ସମ୍ବର୍ଦ୍ଧିତ ବେଳେ କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ ରଖିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ବର୍ଷଟି କିଶୋରଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପୂର୍ବରୁ ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ବାରମ୍ବାର ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି।