ପିଲାଏ ପଢ଼ିବେ ଚେସ୍ ପାଠ, କିସ୍ ଶିକ୍ଷାନୁଷ୍ଠାନରୁ ଶୁଭାରମ୍ଭ

ଭୁବନେଶ୍ବର: ଏଣିକି ଗଣିତ, ବିଜ୍ଞାନ, ଇତିହାସ ଓ ଭୁଗୋଳ ଭଳି ନିୟମିତ ଓ ପାରମ୍ପରିକ ବିଷୟ ସହ ଶ୍ରେଣୀ ଗୃହରେ ପିଲାମାନେ ‘ଚେସ୍’ ଖେଳର ଥିଓରି ଓ ପ୍ରାକ୍ଟିକାଲ ପଢ଼ିବେ। ଏହା ଦ୍ବାରା ସେମାନଙ୍କ ଧୀଶକ୍ତି ବଢ଼ିବା ସହ ଆଗାମୀ କାଲିର ଚାମ୍ପିଅନ୍ ଖେଳାଳି ସୃଷ୍ଟି ହୋଇପାରିବେ। ଓଡ଼ିଶା ଓ ସର୍ବୋପରି ଭାରତ ବର୍ଷରେ ଏଭଳି ଏକ ଅଭିନବ ପ୍ରୟାସ ୩୦,୦୦୦ ବିଦ୍ୟାର୍ଥୀ କ୍ଷମତା ବିଶିଷ୍ଟ କିସ୍ ଶିକ୍ଷାନୁଷ୍ଠାନ ଆରମ୍ଭ କରିଛି। ଖେଳ ଓ ଶିକ୍ଷାର ସମନ୍ବୟରେ ଭବିଷ୍ୟତର ତାରକା ସୃଷ୍ଟି ଓ ସଂକଳ୍ପକୁ ଆଗେଇ ନେବା ହିଁ ଏଭଳି ଏକ ନିଆରା ତଥା ଐତିହାସିକ ପଦକ୍ଷେପର ମୂଳଲକ୍ଷ୍ୟ। ୨୦୨୧-୨୨ ଶିକ୍ଷା ବର୍ଷରୁ ହିଁ କିସ୍‌ର ପାଠ୍ୟକ୍ରମରେ ଚେସ୍‌କୁ ସାମିଲ କରା‌ଯିବ। ପଢ଼ାପଢ଼ି ଆରମ୍ଭ ହୋଇଯିବ।

ଚେସ୍‌ ଭଳି ଏକ ଚତୁର ଖେଳକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବାର ପରିକଳ୍ପନା ଅନ୍ତର୍ଜାତୀୟ ଚେସ୍ ସଂଘ (ଏଆଇସିଫ୍) ବହୁ ପୂର୍ବରୁ କରିସାରିଛି। ଏହି କ୍ରମରେ ଭାରତରେ ମଧ୍ୟ ଚେସ୍‌କୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ଅଣ୍ଟା ଭିଡ଼ିଛି। ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ସହ ମିଶି କିସ୍ ଶିକ୍ଷାନୁଷ୍ଠାନରୁ ଏହାର ଶୁଭାରମ୍ଭ କରିବାକୁ ଯାଉଛି। ଏଭଳି ଏକ ମାଇଲଖୁଣ୍ଟ କାର୍ଯ୍ୟକ୍ରମକୁ ସାମିଲ କରିବାରେ କିସ୍ ‌ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ବୋଲି ମଧ୍ୟ ଏଓସିଏ ଦାବି କରିଛି।

ଶନିବାର ସ୍ଥାନୀୟ ଏକ ତାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କିସ୍ ଓ କିଟ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଆଇଏଫ୍‌ଏଫ୍‌ ଓ ଏଓସିଏର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ବ୍ୟକ୍ତିଗତ ଭାବେ ସେ ଚେସ୍‌ର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। କେବଳ ରାଜ୍ୟ ନୁହେଁ, ଦେଶର କ୍ରୀଡ଼ା‌ ଇତିହାସରେ ଏହା ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ମୋଡ଼ ଆଣିବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଏଆଇସିଏଫ୍ ସଂପାଦକ ଭରତ ସିଂହ ଚୌହ୍ବାନ, ସଭାପତି ସଞ୍ଜୟ କାପୁର, ଉପସଭାପତି ଭବେଶ ପଟେଲ, କୋଷାଧ୍ୟକ୍ଷ ନରେଶ ଶର୍ମା, ନିଖିଳ ଉତ୍କଳ ଚେସ୍ ସଂଘର ସଭାପତି ରଞ୍ଜନ ମହାନ୍ତି, ସଂପାଦକ ଦେବବ୍ରତ ଭଟ୍ଟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭାରତୀୟ ଚେସ୍ ପାଇଁ କିଟ୍‌ ଓ କିସ୍ କରିଥିବା ଯୋଗଦାନ ପାଇଁ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଦ୍ବିତୀୟ ଗ୍ରାଣ୍ଡମାଷ୍ଟର ସ୍ବୟମ୍ସ ମିଶ୍ର, ମହିଳା ଚେସ୍ ତାରକା ପଦ୍ମିନୀ ରାଉତ, କିରଣ ମନୀଷା ମହାନ୍ତି, ସାଇନା ସଲୋନିକା, ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ, ଖୋ‌ର୍ଦ୍ଧା ଜିଲ୍ଲା ଚେସ୍ ସଂଘର ସଂପାଦକ ସୁଭାଶିଷ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପାଠ୍ୟକ୍ରମରେ ଚେସ୍ ଏକ ବିଷୟ ରହିଲେ ମଧ୍ୟ ଏଥିଲାଗି କୌଣସି ମାର୍କ ବା ନମ୍ବର ରହିବ ନାହିଁ। ପିଲାମାନେ ଏକ୍ସଟ୍ରା କରିକୁଲାର ଆ‌କ୍ଟିଭିଟି ଅନ୍ତର୍ଗତ ଚେସ୍ ଶିଖିବେ। ଯେଉଁମାନେ ଏହାକୁ ପେସା କରିବାକୁ ଚାହିବେ, ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣର ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ କହିଥିଲେ। ଏହି ଅବସରରେ ସ୍ବୟମ୍ସ, ପଦ୍ମିନୀ ଓ କିରଣ ମନୀଷାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଓଡ଼ିଶାରେ ଜାତୀୟ ଚେସ୍ ଏକାଡେମି ସ୍ଥାପନ ପ୍ରସ୍ତାବ
ଅନ୍ୟାନ୍ୟ ଖେଳ ଭଳି ଭାରତରେ ଏକ ଜାତୀୟ ଚେସ୍ ଏକାଡେମି ସ୍ଥାପନ କରିବାକୁ ଏଆଇସିଏଫ୍ ଚିନ୍ତା କରୁଛି। ଚେସ୍ ଖେଳ ପାଇଁ ଓଡ଼ିଶାର ପାଣିପାଗ ଓ ପ୍ରତିଭା ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଏଠାରେ ହିଁ ଏହି ଏକାଡେମିକୁ ସ୍ଥାପନ କରିବାକୁ ସଂଘ ଆଗ୍ରହୀ ଅଛି। କିସ୍ ଓ କିଟ୍ ପରିସରରେ ଏହି ପ୍ରସ୍ତାବିତ ଜାତୀୟ ଚେସ୍ ଏକାଡେମି ପାଇଁ ଭିତ୍ତିଭୂମି ଯୋଗାଇ ଦେବାକୁ ଶନିବାର ଏଆଇସିଏଫ୍ ସଭାପତି ସଞ୍ଜୟ କାପୁର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆହ୍ବାନ କରିଥିଲେ। ଏଥିଲାଗି ଆନୁଷ୍ଠାନିକ ପ୍ରସ୍ତାବ ବି ଦେଇଥିଲେ। ଏଭଳି ଏକ ପ୍ରସ୍ତାବ ମିଳିବା ପରେ ରାଜ୍ୟ ଚେସ୍ ଜଗତରେ ଖୁସିର ମାହୋଲ ଖେଳିଯାଇଛି। ଏହା ଦ୍ବାରା କର୍ମନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟରୁ ଅଧିକରୁ ଅଧିକ ଚେସ୍ ଖେଳାଳି ସୃଷ୍ଟି ‌ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଚେସ୍ ଖେଳାଳିମାନେ।

ସମ୍ବନ୍ଧିତ ଖବର