ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ୩୪୦୦ ମିଥ୍ୟା ଅବେଦନ ଆସିଛି। ଯାହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ନାମରେ ମଧ୍ୟ ଆବେଦନ ଆସିଥିବା ଜଣାପଡ଼ିଛି। ଚଳିତ ମାସ ୨୭ ତାରିଖ ଆବେଦନର ଶେଷ ସମୟ ରଖାଯାଇଥିବାରୁ ଏବେ ବିସିସିଆଇ ସମସ୍ତ ଆବେଦନକୁ ଯାଞ୍ଚ କରି ପ୍ରକୃତ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଇବ। ଆବେଦନ ଯାଞ୍ଚ ବେଳେ ଉପରୋକ୍ତ ବ୍ୟକ୍ତିମାନଙ୍କ ମିଛ ନାମ ସହିତ ବୀରେନ୍ଦ୍ର ସେହବାଗ୍‌, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଇତ୍ୟାଦିଙ୍କ ନାମରେ ମିଛ ଆବେଦନ ଆସିଥିବା ବିସିସିଆଇ ଜାଣିବାକୁ ପାଇଛି। ତେବେ ପ୍ରଶିକ୍ଷକ ପଦ ପାଇଁ ମିଥ୍ୟା ଆବେଦନ ଆସିବା ବିସିସିଆଇ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ମିଥ୍ୟା ଆବେଦନ ବୋର୍ଡ ପାଖରେ ପହଞ୍ଚିଥିଲା। ଯେହେତୁ ଆବେଦନ ପ୍ରକ୍ରିୟାକୁ ଖୋଲା ରଖାଯାଇଥିଲା, ତେଣୁ ଅନେକ ପ୍ରଶଂସକ ଓ ସାଧାରଣ ଲୋକେ ଫର୍ମ ପୂରଣ କରି ଅନ୍‌ଲାଇନ୍‌ରେ ଦାଖଲ କରିଥିବା ବିସିସିଆଇ ଅନୁମାନ କରୁଛି।

Advertisment

ଗମ୍ଭୀରଙ୍କ ସହ ଆଲୋଚନା ଚୂଡ଼ାନ୍ତ!

ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ଏବେ ସବୁଠୁ ଆଗରେ ଅଛନ୍ତି ଗୌତମ ଗମ୍ଭୀର। ଏପରିକି ଗମ୍ଭୀର ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ହେବା ସହ ବିସିସିଆଇ ସହିତ ଆଲୋଚନା ଚୂଡ଼ାନ୍ତ ହୋଇସାରିଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆଇପିଏଲ୍‌ ଫାଇନାଲ୍‌ ପରେ ଗମ୍ଭୀର ଓ ଜୟ ଶାହଙ୍କ ମଧ୍ୟରେ ‌ହୋଇଥିବା ଆଲୋଚନାର ଫଟୋ ଏବେ ଭାଇରାଲ୍‌ ହେଉଥିବାରୁ ଏହି ପଦବି ବିଷୟରେ ଡିଲ୍‌ ହୋଇସାରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗମ୍ଭୀର କିନ୍ତୁ ଯେପର୍ଯ୍ୟନ୍ତ ଚୟନ ହେବାକୁ ଗ୍ୟାରେଣ୍ଟି ମିଳିବନି, ସେପର୍ଯ୍ୟନ୍ତ ସେ ଆବେଦନ କରିବେନି ବୋଲି ସର୍ତ୍ତ ରଖିଥିଲେ। ବୋଧହୁଏ ଜୟ ଏହି ସର୍ତ୍ତରେ ରାଜି ହୋଇଯାଇଥିବା କୁହାଯାଉଛି।