ଉତ୍ତରାଧିକାରୀ ବାଛିବା ଜଟିଳ ପ୍ରକ୍ରିୟା, ୬ ପାର୍ଟନର୍‌,୮ ପିଲା

ବୁଏନ୍‌ସ ଏୟାର୍‌ସ: ମାରାଡୋନାଙ୍କ ଅକାଳ ବିୟୋଗ ପରେ ତାଙ୍କର କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର କିଏ ଉତ୍ତରାଧିକାରୀ ହେବ? ସେ ଚର୍ଚା ଆରମ୍ଭ ହୋଇଯାଇଛି। ତେବେ ଏହା ସହଜରେ ତୁଟିବ ନାହିଁ ବୋଲି କିଛି ଆଇନ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଆର୍ଜେଣ୍ଟିନାର ପ୍ରଚଳିତ ନିୟମ ଅନୁସାରେ ଉତ୍ତରାଧିକାରୀ ବାଛିବା ପ୍ରକ୍ରିୟା ସାଧାରଣତଃ ୯୦ ଦିନରେ ଶେଷ ହୋଇଥାଏ। ତେ‌ବେ ଜଟିଳ ପାରିବାରିକ ସଂପର୍କ, ଏକାଧିକ ଦେଶରେ ସନ୍ତାନ ଜନ୍ମ, ତଥା ଆଇନଗତ ବିବାଦ ପାଇଁ ମାରାଡୋନାଙ୍କ କ୍ଷେତ୍ରରେ ଏହି ପ୍ରକ୍ରିୟା ଶେଷ ହେବାକୁ ଆଶାଠାରୁ ଅଧିକ ଦିନ ଲାଗିପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ମାରାଡୋନାଙ୍କ ବିବାଦୀୟ ଜୀବନ ଯାତ୍ରା ଭଳି ତାଙ୍କ ପ୍ରେମ ସଂପର୍କ ବି ଅତି ଜଟିଳ ଓ ବିତର୍କିତ ଥିଲା। ଭିନ୍ନ ଭିନ୍ନ ସମୟରେ ସେ ୬ ଜଣ ପ୍ରେମିକା ବା ପାର୍ଟନରଙ୍କ ସହ ସଂପର୍କ ରଖିଥିଲେ। ସେମାନଙ୍କଠାରୁ ୮ ସନ୍ତାନର ଜନକ ହୋଇଥିଲେ। ତାଙ୍କର ୮ ଜଣ ସନ୍ତାନଙ୍କ ମଧ୍ୟରୁ ୪ ଜଣ ଆର୍ଜେଣ୍ଟିନାର ନାଗରିକ ହୋଇଥିଲା ବେଳେ ଜଣେ ଇଟାଲି ଓ ତିନି ଜଣ କ୍ୟୁବାରେ ରୁହନ୍ତି।

ଇଟାଲିର ନାପୋଲି ଫୁଟବଲ୍ କ୍ଲବ୍‌ରେ ଖେଳୁଥିଲା ବେଳେ ଜଣେ ପିତା ହୋଇଥିବା ମାରାଡୋନାର କ୍ୟୁବାରେ ନିଶା ସେବନ ବଦଭ୍ୟାସରୁ ମୁକ୍ତ ହେବା ଲାଗି ଥଇଥାନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ୩ଟି ସନ୍ତାନର ଜନକ ହୋଇଥିଲେ। ମୃତ୍ୟୁ ବେଳକୁ ଆର୍ଜେଣ୍ଟିନାର ଫୁଟବଲ୍ କ୍ଲବ୍ ଜମ୍ନାସିଆ ୱାଇ ଏସଗ୍ରିମା’ର ପ୍ରଶିକ୍ଷକ ଥିବା ଏହି ମହାନ ଖେଳାଳି ହଜାର ହଜାର ଏକରର ଜମି, କୋଠା ବାଡ଼ି ଥିଲା ବେଳେ ଦାମୀ କାର୍, ଅଳଙ୍କାର ଛାଡ଼ି ଯାଇଛନ୍ତି। ଖେଳ ଜୀବନ ବେଳେ ଓ ପରେ ସେ ମଧ୍ୟ ବହୁ ମୂଲ୍ୟମାନ ସାମଗ୍ରୀ ଉପହାର ଆକାରରେ ପାଇଥିଲେ। ଦୁବାଇରେ ଫୁଜାରିଆ ଫୁଟବଲ୍ ଦଳର ପ୍ରଶିକ୍ଷକ ଥିଲା ବେଳେ ତାଙ୍କୁ ଦୁଇଟି ବିଳାଶପୂର୍ଣ୍ଣ କାର୍ ଉପହାରରେ ମିଳିଥିଲା। ତାଙ୍କ ପାଖରେ ଏକ ଉଭୟ ଚର (ଉଭୟ ଜଳ ଓ ସ୍ଥଳରେ ଚାଲି ପାରୁଥିବା) ଟ୍ୟାଙ୍କ ମଧ୍ୟ ଥିଲା। ତା’ ସହ ତାଙ୍କ ମୂଲ୍ୟବାନ ଜର୍ସି, ଟୋପି, ପୋଷାକ, ବଲ୍ ଆଦିର ମୂଲ୍ୟ ଶହ ଶହ କୋଟି ଟଙ୍କା ହେବ। ତାଙ୍କ ଫଟୋର ବ୍ୟବହାର ଅଧିକାର ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇପାରେ। ଏଣୁ ଏହି ସବୁ ସାମଗ୍ରୀର ଉତ୍ତରାଧିକାରୀ କିଏ ହେବ? ସେ କଥା ଜାଣିବାକୁ ପ୍ରଶଂସକ ବ୍ୟଗ୍ର। ଅତୀତରେ ମାରାଡୋନାଙ୍କ ପରିବାର ଭିତରେ ବହୁ ବିବାଦ ଓ କନ୍ଦଳ ସୃଷ୍ଟି ହୋଇଥିଲା। ତେବେ ତାଙ୍କର ମସ୍ତିସ୍କ ଅସ୍ତ୍ରୋପଚାର ବେଳେ ପୂର୍ବର ସବୁ ବିବାଦ ଓ ତିକ୍ତତାକୁ ଭୁଲି ସମଗ୍ର ପରିବାର ଏକାଠି ହୋଇଥିଲା। ଏଣୁ ସମ୍ପତ୍ତି ବିବାଦ ହୁଏତ ଏମାନେ ଆପୋଷ ବୁଝାମଣାରେ ସମାଧାନ କରିନେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର