ଭୁବନେଶ୍ବର: ଭାରତରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଟ୍ନେସ୍ ରିୟଲିଟି ସୋ’। ଏହାର ଅଭିଯାନ ଓଡ଼ିଶାରୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ହେବାକୁ ଥିବା ଅଡିସନ୍ ପ୍ରକ୍ରିୟାର ପ୍ରଥମଟି ଭୁବନେଶ୍ବରରେ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ଦୁଇ ଦିନର ଅଡିସନ୍ (ସେପ୍ଟେମ୍ବର ୧୨ ଓ ୧୩) ଉତ୍କଳ କରାଟେ ସ୍କୁଲଠାରେ ଏବଂ ଶେଷ ଦିନ (ସେପ୍ଟେମ୍ବର ୧୪) କିସ୍ରେ ଆୟୋଜିତ ହୋଇଛି। ଆପଣଙ୍କ ବୟସ ୮ ହେଉ କି ୮୦ ବର୍ଷ ସେଥିରେ କିଛି ଯାଏ ଆସେ ନାହିଁ। ଏଥିରେ ଅଂଶଗ୍ରହଣ କରିପାରିବେ। ଅଡିସନ୍କୁ ବି ପ୍ରତିଯୋଗିତା ଭିତ୍ତିକ କରାଯାଇଥିବାରୁ ପୁରସ୍କାର ମିଳିବ।
ଫିଟ୍ନେସ୍କୁ ନେଇ କ୍ୟାରିୟର୍ କରିବା ସହ ରିୟଲିଟି ସୋ’ରେ ଭାଗ ନେବାକୁ ଇଚ୍ଛୁକ ସବୁ ବର୍ଗର ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିପାରିବେ। ପାରା ଆଥଲେଟ୍ ମାନେ ମଧ୍ୟ ଭାଗ ନେଇପାରିବେ ବୋଲି କହିଛନ୍ତି ଫିଟ୍ନେସ୍ ଟ୍ରେନର୍ ଶ୍ରୀକୁମାର ବ୍ରହ୍ମା। କେବଳ ଜିମ୍ରେ ନୁହେଁ ଜୀବନରେ ବି ଫିଟନେସ୍କୁ ଗୁରୁତ୍ବ ଦେଉଥିବା ବ୍ୟକ୍ତି ପାଇଁ ଏହା ଅପୂର୍ବ ସୁଯୋଗ ଆଣିଦେବ। ଦେଶବ୍ୟାପୀ ଅଭିଯାନ ପରେ ମୁମ୍ବାଇରେ ଗ୍ରାଣ୍ଡ୍ ଫିନାଲେ ବି ଅନୁଷ୍ଠିତ ହେବ। କ୍ରୀଡ଼ା, ସ୍ବୀକୃତି ଓ କଚ୍ଚା ପ୍ରତିଭାରେ ଭରପୁର ଭୁବନେଶ୍ବର ଅନ୍ୟ ସହରଠାରୁ ସ୍ବତନ୍ତ୍ର ଥିବାରୁ ଆମେ ଏହିଠାରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ ବୋଲି ଶ୍ରୀ ବ୍ରହ୍ମା ପ୍ରକାଶ କରିଥିଲେ। ସୋସିଆଲ୍ ମିଡିଆ ପ୍ରଚାର ପ୍ରସାର ପରେ ଅଦ୍ୟାବଧି ୨୦୦ ଜଣ ନାମପଞ୍ଜୀକରଣ କରିସରିଛନ୍ତି ବୋଲି କହିଥିଲେ ଏହି ଇଭେଣ୍ଟର ସଂଯୋଜକ ନିଶିଥ ନାଗପାଲ।
ଏହି ଅଡିସନ୍ ପାଇଁ ହେବାକୁ ଥିବା ପ୍ରତିଯୋଗିତାକୁ ୨ଟି ବୟସ ବର୍ଗରେ ବିଭକ୍ତ କରାଯାଇଛି। ୮ରୁ ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଉର୍ଧ୍ବ ବର୍ଗରେ ୧୦ ମିଟର ଆଜିଲିଟି ଟେଷ୍ଟ୍, ପୁସ୍ଅପ୍, ପୁଲ୍ଅପ୍, ଡେଡ୍ଲିଫ୍ଟ, ବ୍ରଡ୍ ଜମ୍ପ୍, ସ୍କ୍ବାଟ୍, ୧୦ ମିଟର୍ ଇଲିନଏସ ଆଜିଲିଟି ଟେଷ୍ଟ୍ ଆଦି ରହିଛି। ପଦକ, ପ୍ରମାଣପତ୍ର, ପୁରସ୍କାର ରାଶି ବି ପ୍ରଦାନ କରାଯିବ ବୋଲି ଆୟୋଜକ ମୋଇନ୍ସ ୟୁଫିଟ୍ ପକ୍ଷରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।