କ୍ରିକେଟର୍‌ଙ୍କ ପିତୃତ୍ବ ଅବକାଶ ନୂଆ ନୁହେଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପରେ ବିରାଟ କୋହଲିଙ୍କୁ ବିସିସିଆଇ ପିତୃତ୍ବ ଅବକାଶ ଲାଗି ଅନୁମତି ଦେଇଥିବାରୁ ସେ ଶେଷ ୩ ଟେଷ୍ଟ୍ ଖେଳିବେ ନାହିଁ। କୋହଲିଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ଥିବାରୁ କୋହଲି ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହେବାକୁ ଏଭଳି ଛୁଟି ନେଇଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ଏହାକୁ ନେଇ କିଛି ପ୍ରଶଂସକ ନାରାଜ ହୋଇଥିବାରୁ ବିତର୍କର ପ୍ରଶ୍ନ ମଧ୍ୟ ଉଠିଛି। ଏହି ଅବସରରେ ଆସନ୍ତୁ ଅତୀତରେ କେଉଁ କ୍ରିକେଟର୍‌ମାନେ ପିତୃତ୍ବ ଅବକାଶରେ କିଭଳି ନିଷ୍ପତ୍ତି ନେଇଥିଲେ ନଜର ପକାଇନେବା।

ସୁନିଲ ଗାଭାସ୍କର
୧୯୭୬ ମସିହାରେ ରୋହନର ଜନ୍ମ ବେଳକୁ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ନ୍ୟୁଜିଲାଣ୍ଡ୍ ଗସ୍ତରେ ଥିଲେ। ସେ ଭାରତ ଫେରିବାକୁ ଆବେଦନ କରିଥିଲେ ମଧ୍ୟ ବିସିସିଆଇ ଅନୁମତି ଦେଇନଥିଲା। କାରଣ ୨ ସପ୍ତାହ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାର ଥିଲା। ସେଠାରୁ ଭାରତୀୟ ଦଳ କାରବୀୟ ଗସ୍ତ କରିବାରୁ ଗାଭାସ୍କରଙ୍କୁ ଦୀର୍ଘ ଅଢ଼େଇ ମାସ ପରେ ନିଜ ପୁତ୍ରକୁ‌ ପ୍ରଥମ ଥର ଦେଖିବାର ସୁଯୋଗ ମିଳିଥିଲା। ବ୍ୟର୍ଥତା ଭିତରେ ଖେଳି ଗାଭାସ୍କରଙ୍କ ସହ ୫ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଜାମାଇକା ଟେଷ୍ଟ୍‌ରେ ବାଉଁସର ଓ ବିମର୍‌ ମାଡ଼ରେ ଆଘାତପ୍ରାପ୍ତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ମହେନ୍ଦ୍ର ସିଂହ ଧୋନି
କୋହଲିଙ୍କ ପ୍ରସଙ୍ଗ ଉଠିବା ପରେ କିଛି ନାରାଜ ପ୍ରଶଂସକ ମହେନ୍ଦ୍ର ସିଂହ ଧୋନିଙ୍କ ଉଦାହରଣ ଦେଇଛନ୍ତି। ଏକମାତ୍ର କନ୍ୟା ଜିଭାର ଜନ୍ମ ବେଳକୁ ମାହି ପିତୃତ୍ବ ଛୁଟିରେ ଯାଇନଥିଲେ। ଜାତୀୟ ଦଳର ଦାୟିତ୍ବକୁ ସେ ପୂର୍ବ ଭଳି ଗୁରୁତ୍ବପୂର୍ଣ୍ଣ ବିବେଚନା କରିଥିଲେ। ଜିଭାର ଜନ୍ମବେଳକୁ ଧୋନି ୨୦୧୫ ଆଇସିସି ବିଶ୍ବକପ୍‌ରେ ଭାରତୀୟ ଦଳର ନେତୃତ୍ବ ନେଇ ଅଷ୍ଟ୍ରେଲିଆରେ ଥିଲେ। ଜିଭାର ଜନ୍ମ ଖବର ଦେବାକୁ ପତ୍ନୀ ସାକ୍ଷୀ ସାଥୀ ଖେଳାଳି ସୁରେଶ ରାଇନାଙ୍କୁ ଫୋନ୍ କରି ଜଣାଇବା ପରେ ଏହା ଧୋନିଙ୍କ ପାଖରେ ପହଞ୍ଚିଥିଲା।

ରାହୁଲ ଦ୍ରାବିଡ଼
୨୦୦୯ ମସିହାର ଆଇପିଏଲ୍‌ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଅଧାରୁ ଫେରିଥିଲେ। ଭାରତରେ ତାଙ୍କ ଡାକ୍ତରାଣୀ ପତ୍ନୀ ବିଜେତା ଭି ସେମାନଙ୍କ ଦ୍ବିତୀୟ ପୁତ୍ର ଅନଭୟକୁ ଜନ୍ମ ଦେଇଥିଲେ। ୨୦୦୫ ମସିହାରେ ତାଙ୍କ ପ୍ରଥମ ପୁତ୍ର ସମିତ ଜନ୍ମ ନେଇଥିଲା।

ରୋହ‌ିତ ଶର୍ମା
୨୦୧୮ ମସିହାରେ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେ ସେମାନଙ୍କ ପ୍ରଥମ ସନ୍ତାନ ତଥା କନ୍ୟା ସମାଇରାକୁ ଜନ୍ମ ଦେଇଥିଲେ। ଏଥିପାଇଁ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍ ନ‌ ଖେଳି ସ୍ବଦେଶ ଫେରିଥିଲେ। ପ୍ରତିଟି ଗସ୍ତରେ ବି ରୋହିତ ତାଙ୍କ ପତ୍ନୀ ଓ କନ୍ୟାକୁ ପାଖରେ ରଖନ୍ତି।

ଗୌତମ ଗମ୍ଭୀର
୨୦୧୪ ମସିହାରେ ଆଇପିଏଲ୍‌ର ପ୍ରଥମ ଚରଣ ୟୁଏଇରେ ଖେଳାଯିବା ବେଳେ ଗମ୍ଭୀରଙ୍କ ପତ୍ନୀ ନତାଶା ସେମାନଙ୍କ ପ୍ରଥମ ପୁତ୍ର ଆଜୀନକୁ ଜନ୍ମ ଦେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଗମ୍ଭୀର ଏଥିପାଇଁ ୟୁଏଇରୁ ଫେରିଥିଲେ ମଧ୍ୟ ଦଳର ପରବର୍ତୀ ମ୍ୟାଚ୍‌ ଲାଗି ରାଞ୍ଚିରେ ପହଞ୍ଚିଯାଇଥିଲେ। ଏହି ଆଇପିଏଲ୍‌ର ଦ୍ବିତୀୟ ଚରଣ ଭାରତରେ ହିଁ ଖେଳାଯାଇଥିଲା।

ସୌରଭ ଗାଙ୍ଗୁଲି
ବିରାଟ କୋହଲିଙ୍କ ପିତୃତ୍ବ ଛୁଟିକୁ ମଞ୍ଜୁର କରିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କିନ୍ତୁ ଏଭଳି ସୁବିଧାରୁ ନିଜକୁ ବଞ୍ଚିତ ରଖିଥିଲେ। ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଘରୋଇ ଶୃଙ୍ଖଳା ଖେଳୁଥିବା ବେଳେ ଗାଙ୍ଗୁଲି ଦଳର ନେତୃତ୍ବ ନେଉଥିଲେ। ଏହି କାରଣରୁ ସେ ନିଜର ପ୍ରଥମ ସନ୍ତାନ କନ୍ୟା ସାନାକୁ ମାସକ ପରେ ଦେଖିବାର ସୁଯୋଗ ପାଇଥିଲେ। କିନ୍ତୁ ପତ୍ନୀ ଡୋନା ଅଚେତ ଥିବାରୁ କନ୍ୟା ଜନ୍ମର ଖବର ପ୍ରଥମେ ଗାଙ୍ଗୁଲିଙ୍କ ନିକଟରେ ପହଞ୍ଚିଥିଲା।

ବ୍ୟତିକ୍ରମରେ ବିଦେଶୀ ଖେଳାଳି
ଅଷ୍ଟ୍ରେଲିଆର ଆଲାନ୍ ବର୍ଡର ନିଜ କନ୍ୟା ସନ୍ତାନ ନିକୋଲ୍‌ର ଜନ୍ମ ଖବର ପାଇବା ବେଳକୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍‌କୁ ଡ୍ର’ ରଖିବାକୁ ସଂଘର୍ଷ କରୁଥିଲେ। ନିଜର ପରବର୍ତ୍ତି ଦୁଇ ସନ୍ତାନ ବେଳକୁ କିନ୍ତୁ ସେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିଥିଲେ। ନ୍ୟୁଜିଲାଣ୍ଡର କ୍ରିସ୍‌ ହାରିସ୍‌ଙ୍କ ପତ୍ନୀ ‌ସେମାନଙ୍କ ଯମଜ ପୁଅଝିଅକୁ ୪ ମିନିଟ୍ ଅନ୍ତରରେ ଜନ୍ମ ଦେବା ବେଳକୁ ସେ ଉପସ୍ଥିତ ନଥିଲେ। ପତ୍ନୀ ଲିଣ୍ଡା ଲେବର୍ ରୁମରେ କଷ୍ଟ ପାଉଥିବା ବେଳେ ହାରିସ୍‌ ଇଂଲଣ୍ଡ ବିପକ୍ଷରେ ଖେଳୁଥିଲେ। ୧୯୯୩ରେ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଏକ ଆସେସ୍‌ ଟେଷ୍ଟ୍ ପରାଜୟ ପରେ ମା’ଙ୍କଠାରୁ ଟେଲିଫୋନ୍ କଲ୍ ପାଇ ଆଲେକ୍ ଷ୍ଟିୱାର୍ଟ ତୁରନ୍ତ ଏଜବାଷ୍ଟନ୍‌ ଛାଡ଼ିଥିଲେ। ସେତେବେଳେ ତାଙ୍କ ପତ୍ନୀ ଲିନ୍‌ ୪ ଘଣ୍ଟାର ପ୍ରସବ କଷ୍ଟ ସହି ସାରିଥିଲେ। ଷ୍ଟିୱାର୍ଟ ହସ୍‌ପିଟାଲ୍‌ ପହଞ୍ଚିବାର ୫ ମିନିଟ୍‌ ପରେ ପୁଅ ଆଣ୍ଡ୍ରିଉ ଜନ୍ମ ନେଇଥିଲା। ଦୁଇ ଦିନ ପରେ ସେ ଦଳ ସହ ଯୋଗ ଦେଇ ୭୪ ରନ୍ କରିଥିଲେ। ସେହିଭଳି ୧୯୯୭ ଆସେସ୍‌ ଶୃଙ୍ଖଳା ବେଳେ ସେନ୍‌ ୱର୍ନ ପିତୃତ୍ବ ଲାଭ କରିଥିଲେ। କନ୍ୟାକୁ ଦେଖିବାକୁ ତାଙ୍କୁ ୧୫ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ପଛରେ ପଡ଼ିଥିଲେ ମଧ୍ୟ ଓଲ୍ଡ ଟ୍ରାଫୋର୍ଡରେ ୯ ୱିକେଟ୍ ନେଇ ବରାବର ସ‌ୁଯୋଗ ଦେଇଥିଲେ। ୨ ବ‌ର୍ଷ ପରେ ସେ କିନ୍ତୁ ଇଂଲଣ୍ଡରେ ବିଶ୍ବକପ୍‌ ଖେଳୁଥିବାରୁ ପୁତ୍ର ଜ୍ୟାକସନ୍‌ର ଜନ୍ମପାଇଁ ପିତୃତ୍ବ ଛୁଟି ନେଇନଥିଲେ। ୧୯୯୩ ନଭେମ୍ବର ମଧ୍ୟଭାଗରେ ଉପମହାଦେଶ ଗସ୍ତ ଅଧାରୁ ଓହରିଯାଇଥିଲେ ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ‌ଫନି ଡି’ଭିଲିୟର୍ସ। ପ୍ରଥମ ସନ୍ତାନ ଜନ୍ମ ବେଳେ ପରିବାର ସହ ରହିବାକୁ ଶତକ ହାସଲ ଓ ୫ ୱିକେଟ୍‌ କୃତିତ୍ବଠାରୁ ବି ଅଧିକ ବୋଲି ସେ ବର୍ଣ୍ଣନା କରିଥିଲେ। ଦକ୍ଷିଣ ଆଫ୍ରିକା ବୋର୍ଡକୁ ମଧ୍ୟ ଛୁଟି ମଞ୍ଜୁର ପାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର