କନିଷ୍ଠ ମହିଳା ଫୁଟବଲ୍ ବିଶ୍ବକପ୍‌ ଉପରେ ସଙ୍କଟ: ଏଆଇଏଫ୍‌ଏଫ୍‌କୁ ବାସନ୍ଦ କରିବାକୁ ଧମକ ହେଲା ଫିଫା

ଭୁବନେଶ୍ବର, ନବି ମୁମ୍ବାଇ ଓ ଗୋଆରେ ଖେଳାଯିବାର ଅଛି

ନୂଆଦିଲ୍ଲୀ: ହକି ପରେ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ଆୟୋଜନ ନେଇ ସଙ୍କଟ ସୃଷ୍ଟି ହୋଇଛି। ବିଶ୍ବ ଫୁଟବଲ୍‌ ମହାସଂଘ ବା ଫିଫା ଶନିବାର ଭାରତଠାରୁ ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ଛଡ଼ାଇ ନେବା ସହ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିବାକୁ ଧମକ ଦେଇଛି। ଭାରତୀୟ ଫୁଟବଲ୍‌ର ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସକ ସମିତି (ସିଓଏ)ର ପ୍ରସ୍ତାବ ଅନୁସାରେ ନିର୍ବାଚନ କରିବାକୁ ଗତ ବୁଧବାର ସୁପ୍ରିମକୋର୍ଟ ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରିଣୀ ସମିତିକୁ ନିର୍ଦ୍ଦେଶ ଦେଇଥିଲେ। ସିଓଏ ପ୍ରସ୍ତାବ ଅନୁସାରେ ଏଆଇଏଫ୍‌ଏଫ୍‌ର ସାନି ନିର୍ବାଚନ ଚଳିତ ମାସ ୨୮ ତାରିଖରେ ହେବ। ଅନ୍ୟପକ୍ଷରେ ଏହି ପ୍ରକ୍ରିୟା ୧୩ ତାରିଖରୁ ଆରମ୍ଭ ହୋଇଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟର ନକଲ ତୁରନ୍ତ ପଠାଇବାକୁ ଶନିବାର କଡ଼ା ଭାଷାରେ ଏଆଇଏଫଏଫ୍‌କୁ ଲେଖିଥିବା ପତ୍ରରେ ଫିଫା କହିଛି।

ଏହା ପୂର୍ବରୁ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ହକି ବିଶ୍ବକପ୍‌କୁ ନେଇ ମଧ୍ୟ ସମାନ ସମସ୍ୟା ଦେଖା ଦେଇଥିଲା। ସିଓଏ ହକି ଇଣ୍ଡିଆ ନିର୍ବାଚନ ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ‌ଦେଇ ପାରିନଥିବାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଭୁବନେଶ୍ବର ଓ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଧମକ ଦେଇସାରିଛି। ସୂଚନାଯୋଗ୍ୟ ଯେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ, ଗୋଆ ଏବଂ ନବି ମୁମ୍ବାଇରେ ଖେଳାଯିବାର ଅଛି।

ଆଜି ଏଆଇଏଫଏଫ୍‌ ସିଓଏ ନିକଟକୁ ଲେଖିଥିବା ପତ୍ରରେ ସାନି ନିର୍ବାଚନ ବିଷୟ‌ରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଫିଫା ତାଗିଦ କରିଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୩ ତାରିଖର ରାୟ‌ ବିଷୟରେ ଅଗଷ୍ଟ ୯ ତାରିଖ ସୁଦ୍ଧା ସ୍ପଷ୍ଟ ଭାବେ ଜଣାଇବାକୁ ଫିଫା ତା’ ପତ୍ରରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ‘‘ନିର୍ବାଚନରେ ଅଯଥା ବିଳମ୍ବ ହେଲେ ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ। ଏହି କାରଣରୁ ୨୦୨୨ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌ ଆୟୋଜନ ଅଧିକାରକୁ ପ୍ରତ୍ୟାହାର କରିନିଆଯାଇପାରେ। କୌଣସି ଜାତୀୟ ଫୁଟ୍‌ବଲ୍ ସଂଘର ପରିଚାଳନାରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ।’’ ବୋଲି ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ମହାସଚିବ ସୁନନ୍ଦ ଧରଙ୍କ ପାଖକୁ ଲେଖିଥିବା ଏହି ପତ୍ରରେ ବି ଫିଫା ଚେତାବନୀ ଦେଇଛି। ଏହି ପତ୍ରରେ ଫିଫା ଓ ଏସୀୟ ଫୁଟ୍‌ବଲ୍ ମହାସଂଘ (ଏଏଫ୍‌ସି) ମହାସଚିବ ଫାତିମା ସାମୋର ଓ ଦାତୁକ ୱିଣ୍ଡସରଙ୍କ ଦସ୍ତଖତ ରହିଛି। ଏହା ପୂର୍ବରୁ ଫିଫା ଓ ଏଏଫ୍‌ସି ଗତମାସ ୧ ଓ ୨୫ ତାରିଖରେ ମଧ୍ୟ ଏଥିନେଇ ଧରଙ୍କୁ ପା‌ଖକୁ ପତ୍ର ଲେଖିଥିଲା। ତଦନୁଯାୟୀ ଅଗଷ୍ଟ ପ୍ରଥମ ସପ୍ତାହରେ ଏଆଇଏଫଏଫ୍‌ ସ୍ବତନ୍ତ୍ର ସାଧରଣ ବୈଠକ ଡାକିବ ବୋଲି ସହମତି ହୋଇଥିଲା। ହେଲେ ଏଆଇଏଫ୍‌ଏଫ୍ ଏହା କରିନାହିଁ। ଯାହା ଫିଫାକୁ କ୍ଷୁବ୍ଧ କରିଛି।

ସମ୍ବନ୍ଧିତ ଖବର