ଓଡ଼ିଶା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟକ କିଶୋର ଦାସଙ୍କ ପରଲୋକ

ରାଉରକେଲା: ରାଜ୍ୟର ଜଣାଶୁଣା ଜାତୀୟ ଫୁଟ୍‌ବଲ ଖେଳାଳି ତଥା ଓଡ଼ିଶା ଦଳର ପୂର୍ବତନ ଅଧିନାୟକ କିଶୋର ଦାସଙ୍କର ପରଲୋକ ଘଟିଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ଇସ୍ପାତ ଜେନେରାଲ ହସପିଟାଲରେ ତାଙ୍କର ପରଲୋକ ଘଟିଥିଲା। ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁଅ ଉପସ୍ଥିତ ଥିଲେ।

ଜଗତସିଂହପୁର ଜିଲ୍ଲା ବାଦଲପୁର ମୂଳ ବାସିନ୍ଦା କିଶୋର ପିଲାଟି ଦିନରୁ ଫୁଟ୍‌ବଲ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୭୬ ମସିହାରେ ଜମ୍ମୁ ଓ କାଶ୍ମୀରରେ ଅନୁଷ୍ଠିତ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। କନିଷ୍ଠ ବର୍ଗରେ ଲଗାତାର ଉତ୍କୃଷ୍ଟମାନର ପ୍ରଦର୍ଶନ ଯୋଗୁଁ ସେ ବରିଷ୍ଠ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ତତ୍କାଳନୀ ଶ୍ରେଷ୍ଠ ଫର୍‌ୱାର୍ଡ ଖେଳାଳି ଭାବେ ସେ ପରିଚିତ ଥିଲେ। ଏମିତିକି ସେ ୧୦ ଥର ସନ୍ତୋଷ ଟ୍ରଫିରେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିବା ସହ ଅଧିନାୟକ ଭାର ମଧ୍ୟ ସମ୍ଭାଳିଥିଲେ। ଏହାବ୍ୟତୀତ ସର୍ବପୁରାତନ ଡୁରାଣ୍ଡ୍ କପ୍, ଆଇଏଫ୍ଏ ସିଲ୍ଡ, ଫେଡେରେସନ କପ୍, ରୋଭର୍ସ କପ୍‌‌ରେ ପ୍ରତିନିଧିତ୍ବ କରିଥିଲେ। ପୁଣି ୧୯୮୫ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଅନ୍ତଃଇସ୍ପାତ କାରଖାନା ଫୁଟ୍‌ବଲ ପ୍ରତିଯୋଗିତାରେ ଆର୍‌ଏସ୍‌ପି ଦଳର ନେତୃତ୍ବ ନେଇଥିଲେ। ୧୯୯୬ ମସିହାରେ ଫୁଟ୍‌ବଲ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଉକ୍ତ ବର୍ଷ ନିଖିଳ ଓଡ଼ିଶା ଫୁଟ୍‌ବଲ ପ୍ରତିଯୋଗିତାର ବିଜେତା ଆଇଜିଏଚ୍ ରିକ୍ରିଏସନ କ୍ଲବ୍‌ର ପ୍ରଶିକ୍ଷକ ଥିଲେ। ୧୯୯୯ ମସିହାରେ ଜିଲ୍ଲାରେ ମହିଳା ଫୁଟ୍‌ବଲ ଦଳ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୨୦୦୧ ମସିହାରେ ରାଉରକେଲାରେ ଅନୁଷ୍ଠିତ ସର୍ବଭାରତୀୟ ବରିଷ୍ଠ ମହିଳା ଫୁଟ୍‌ବଲ ପ୍ରତିଯୋଗିତାର ଉପବିଜେତା ରାଉରକେଲା ଦଳର ପ୍ରଶିକ୍ଷକ ଥିଲେ। ସେ ୧୯୮୦ ମସିହାରେ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗରେ ଯୋଗଦେଇଥିଲେ। ୨୦୧୫ ମସିହାରେ ଅବସର ନେଇଥିଲେ।

ଫାଓର ଶୋକ
ପୂର୍ବତନ ଭାରତୀୟ ଫୁଟ୍‌ବଲର୍‌ କିଶୋର ଦାସଙ୍କ ଅକାଳ ବିୟୋଗରେ ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ପକ୍ଷରୁ ‌ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଫାଓର ଅଧିକାରୀ ଏବଂ ସମସ୍ତ ସଦସ୍ୟ ପୂର୍ବତନ ଭାରତୀୟ ଫୁଟ୍‌ବଲର୍‌ କିଶୋର ଦାସଙ୍କ ମୃତ୍ୟୁରେ ଗଭୀର ମର୍ମାହତ ହେବା ସହ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଦାସ ସୋମବାର ସକାଳ ସାଢ଼େ ୬ଟାରେ ରାଉରକେଲାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହି ଦୁଖଃଦ ମୁହୂର୍ତ୍ତରେ ତାଙ୍କ ପରିବାରକୁ ସମବେଦନା ଜଣାଉଛି। ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାଙ୍କ ପରିବାରକୁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଫାଓ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ଜଣାଇଛନ୍ତି।

ସମ୍ବନ୍ଧିତ ଖବର