କନ୍ଧମାଳରେ ହେବ କ୍ରୀଡ଼ାର ବିକାଶ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ଏକ ସ୍ବତନ୍ତ୍ର ମାନ୍ୟତା ଲାଭ କରିଛି। ଏହି ଜିଲ୍ଲାରୁ ଅନେକ କ୍ରୀଡ଼ାବିତ୍‌ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ବ କରିଛନ୍ତି। ସେମାନଙ୍କ ମଧ୍ୟରୁ ଧାବିକା ଶ୍ରାବଣୀ ନନ୍ଦ ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ଭାବେ ମାନ୍ୟତା ପାଇଛି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ବିଶ୍ବ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଥିସହ ଓଡ଼ିଶାର ବହୁ ଜନଜାତି କ୍ରୀଡ଼ାବିତ୍‌ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ବ ମଧ୍ୟ କରିଛନ୍ତି। ସେହିଭଳି କିଟ୍‌ ଓ କିସ୍‌ରେ ଓଡ଼ିଶାର କୋଣ ଅନୁକୋଣରୁ ଜନଜାତି ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ପ୍ରଶିକ୍ଷଣ ନେଇ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଂଶ୍ରଗହଣ କରିଛନ୍ତି। ବର୍ତ୍ତମାନ କିସ୍‌ରେ ୫୦୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ୩୩ଟି କ୍ରୀଡ଼ା ବିଭାଗରେ ପ୍ରଶିକ୍ଷଣ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୨୫ ଜଣ ଅନ୍ତର୍ଜାତୀୟସ୍ତରରେ ପ୍ରତିନିଧିତ୍ବ କରି ସୁନାମ ଆଣିଛନ୍ତି। କିଟ୍‌ ଓ କିସ୍‌ର ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମି ନିମନ୍ତେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଅନ୍ତଃରାଜ୍ୟ ବରିଷ୍ଠ ଭଲିବଲ, ସର୍ବଭାରତୀୟ ବନକ୍ରୀଡ଼ା ସହ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହୋଇଛି।

କନ୍ଧମାଳକୁ ଉନ୍ନତ ମାନର ଭିତ୍ତିଭୂମି ଓ ପ୍ରଶିକ୍ଷଣ ଯୋଗାଇଦେଲେ ଉତ୍ତମ କ୍ରୀଡ଼ାବିତ୍‌ ହୋଇପାରିବେ। ଏମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ପ୍ରଥମ ସୋପ‌ାନରେ ସେ ତାଙ୍କ ନିର୍ବାଚନ ମଣ୍ଡଳି କନ୍ଧମାଳର ଫୁଲବାଣୀ, ବାଲିଗୁଡ଼ା, ଜି ଉଦୟଗିରି ଓ ରାଇକିଆରେ ଥିବା ଆଉଟ୍‌ଡୋର କ୍ରୀଡ଼ା ଭିତ୍ତିଭୂମି ସଜାଡ଼ିବା ସହ ଖେଳାଳିମାନଙ୍କୁ ଅଧିକ ସମୟ ପ୍ରଶିକ୍ଷଣ ଦେବା ଉଦେଶ୍ୟରେ ପର୍ଯ୍ୟାୟକ୍ରମେ ଫ୍ଲଡ ଲାଇଟ୍‌ ବ୍ୟବସ୍ଥା କରିବେ। ପରବର୍ତ୍ତୀ ସମୟରେ ଦଶପଲ୍ଲା ଓ ବୌଦରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ। ଏଥିସହ ଏହି ଅଞ୍ଚଳରେ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କିଟ୍‌ ଓ କିସ୍‌ରେ ପ୍ରଶିକ୍ଷଣ ଦିଆଯିବ। ଖେଲୋ ଇଣ୍ଡିଆର ତତ୍ବାବଧାନ‌, ରାଜ୍ୟ ସରକାରଙ୍କର ସହାୟତାରେ ଓ କନ୍ଧମାଳ ଦୌଡ଼କୁଦ ସଂଘ ଆ‌ନୁକୂଲ୍ୟରେ ଏକ ଖେଲୋ ଇଣ୍ଡିଆ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଏଠାରେ ଆରମ୍ଭ ହେବାକୁ ଯାଉଛି। ମୁଁ ଭାରତୀୟ ଭଲିବଲ୍‌ ମହାସଂଘର ସଭାପତି ଥିବାରୁ ଏହି ଖେଳ ପ୍ରତି‌ ମୋର ପ୍ରାଥମିକତା ରହିଛି। ଏଥିପାଇଁ କନ୍ଧମାଳରେ ଭଲିବଲ୍‌ର ଲୋକପ୍ରିୟତା ବଢ଼ାଇବା ଲାଗି ବ୍ଲକ୍‌ସ୍ତରରେ ପ୍ରତିଯୋଗିତା ଆୟୋଜନ କରିବାର ଲକ୍ଷ୍ୟ ରଖିଛି। ଏଥିସହ ଏଠାରେ ଭଲିବଲ୍‌ ଏକାଡେମି ପ୍ରତିଷ୍ଠା କରିବାର ଯୋଜନା ରଖିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର