ବାରିପଦା: ନନ୍ଦକିଶୋରଙ୍କ ବିୟୋଗରେ ଜନ୍ମମାଟି ବାରିପଦା ସମେତ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ବାରିପଦା ସହର ବାଘରାରୋଡ୍ର ବାସିନ୍ଦା ସ୍ବର୍ଗତ ଅନୀଲ ଚନ୍ଦ୍ର ପଟ୍ଟନାୟକ ଓ ମାତା ସୁରଭିବାଳାଙ୍କ ଔରସରୁ ଜନ୍ମଲାଭ କରିଥିଲେ ଫୁଟ୍ବଲ୍ ଜଗତର ଏହି ମହାରଥୀ। ପିଲାଟି ଦିନରୁ ତାଙ୍କ ନିକଟରେ ଦେଖିବାକୁ ମିଳିଥିଲା ଫୁଟ୍ବଲ୍ ପ୍ରତି ପ୍ରତିବଦ୍ଧତା। ବାରିପଦାର ଇଣ୍ଡିପେଣ୍ଡେଣ୍ଟ କ୍ଲବ୍ରୁ ନିଜରୁ କ୍ୟାରିୟର୍ ଆରମ୍ଭ କରିଥିବା ଏହି ପ୍ରଥିତଯଶା ଖେଳାଳି ନିଜର ବିଚକ୍ଷଣ ପ୍ରତିଭା ବଳରେ ରାଜ୍ୟ ଓ ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ୧୯୭୭ ଓ ୧୯୭୮ରେ ଓଡ଼ିଶା ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ଚାକିରି (ଏଜି)ରୁ ଅବସର ପରେ ନିଜ ଜନ୍ମମାଟି ମୟୂରଭଞ୍ଜରେ ଏକ ଫୁଟ୍ବଲ୍ ଏକାଡେମି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା ନନ୍ଦକିଶୋର ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। ବିଶେଷ କରି ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ତାଲିମ୍ ବ୍ୟବସ୍ଥା କରିବାକୁ ସ୍ୱପ୍ନ ରଖିଥିଲେ। ହେଲେ ସ୍ୱପ୍ନ ପୂରଣ ଆଗରୁ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି। ବାରିପଦା ଶରତ ଚନ୍ଦ୍ର ବିଦ୍ୟାପୀଠରୁ ମାଟ୍ରିକ୍ ଓ ଏମ୍ପିସି ମହାବିଦ୍ୟାଳୟରୁ ସ୍ନାତକ ପରେ ୧୯୭୧ରୁ ୮୫ ପର୍ଯ୍ୟନ୍ତ କ୍ଲବ୍ ଫୁଟବଲ ଖେଳିଥିବା ନନ୍ଦକିଶୋରଙ୍କୁ ଆଜି ଝୁରୁଛି ବାରିପଦା ଷ୍ଟାଡିୟମ।
ବାଘରାରୋଡ୍ସ୍ଥିତ ନିଜ ଘରେ ଏବେ ବିଧବା ମା ଓ ତାଙ୍କ ପରିବାର ବାସ କରୁଛନ୍ତି। ଫୁଟ୍ବଲ୍ ଖେଳରେ ଅସାଧାରଣ ଦକ୍ଷତା ଯୋଗୁଁ କଟକର ପ୍ରସିଦ୍ଧ ଜୟଦୁର୍ଗା କ୍ଲବ୍ ସମେତ ଭୁବନେଶ୍ୱରର କ୍ଲବ୍-୭୩ରେ ଜଣେ ତାରକା ଖେଳାଳି ଭାବେ ସୁନାମ ସାଉଁଟିଥିଲେ। ୨୦୦୯ରେ ନକ୍ଷତ୍ର ବୀର ଓଡ଼ିଆ ପୁରସ୍କାର, ୨୦୧୦ରେ ରାଜୀବ ରତ୍ନ, ୨୦୧୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସିଏନ୍ଏନ୍ ଆଇବିଏନ୍ ମୁମ୍ବାଇ ପକ୍ଷରୁ ରିଅଲ ହିରୋ ଆୱାର୍ଡ, ୨୦୧୨ରେ ଅଶୋକ ପଟ୍ଟନାୟକ ସ୍ମୃତି ସମ୍ମାନ, ୨୦୧୪ରେ କମଲ ଗାଙ୍ଗୁଲି ଶ୍ରେଷ୍ଠ କୋଚ୍ ସମ୍ମାନ, ଦୂରଦର୍ଶୀ ଶ୍ରେଷ୍ଠ କୋଚ୍ ସମ୍ମାନ ଓ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କୋଚ୍ ସମ୍ମାନରେ ବିଭୂଷିତ ହୋଇଥିଲେ ନନ୍ଦକିଶୋର। ଗ୍ରାମାଞ୍ଚଳରୁ ମହିଳା ଫୁଟ୍ବଲ୍ ପ୍ରତିଭାଙ୍କୁ ଖୋଜି ସେମାନଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଷ୍ଠିତ କରିବାରେ ବେଶ ଦକ୍ଷତା ଥିଲା ତାଙ୍କର। ଏହି ମହାନ୍ ଖେଳାଳିଙ୍କ ବିୟୋଗରେ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ୍ର ସମ୍ପାଦକ କିଶୋର କୁମାର ବିଶ୍ବାଳ, ଫାଓ ଉପସଭାପତି ପ୍ରଦୀପ କିଶୋର ମହାନ୍ତି, ସେଙ୍ଗଲ ସୋରେନ୍, ଅସିତ ପତିଙ୍କ ସମେତ ବହୁ କ୍ରୀଡାବିତ୍ ଓ ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି।
ଡକାଡକି ହୋଇ ଚାଲିଗଲେ ଦୁଇ ବନ୍ଧୁ
ମାତ୍ର କିଛିଦିନ ଅନ୍ତରାଳରେ ଡକାଡକି ହୋଇ ଚାଲିଗଲେ ଫୁଟ୍ବଲ୍ ଜଗତର ଦୁଇ ପ୍ରମୁଖ ଧୂରୀଣ ଖେଳାଳି ତଥା ମୟୂରଭଞ୍ଜର ଗୌରବ ନନ୍ଦକିଶୋର ପଟ୍ଟନାୟକ ଓ ଅସିତ ପାତ୍ର। ଏହି ଦୁଇ ଜଣ ଇଣ୍ଡିପେଣ୍ଡେଣ୍ଟ କ୍ଳବ୍ରେ ଫରୱାର୍ଡ ଖେଳୁଥିଲେ। ଏକା ସମୟରେ ରାଜ୍ୟକୁ ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ବିଡ଼ମ୍ବନା ହେଉଛି ମହମାରୀ କରୋନା କିଛି ଦିନ ବ୍ୟବଧାନରେ ହିଁ ଏହି ଦୁଇ ବନ୍ଧୁଙ୍କୁ ଅଫେରା ରାଇଜକୁ ନେଇଗଲା। ମୟୂରଭଞ୍ଜର ଗୌରବ ଏହି ଦୁଇ କ୍ରୀଡା ପ୍ରତିଭାଙ୍କ ବିୟୋଗରେ ଜିଲ୍ଲାବ୍ୟାପୀ ଶୋକ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f56h465sf4h5645sf6hhhhhhhhhhhhhhhhhhhhhh.jpg)