କୋହଲି-ସୂର୍ଯ୍ୟଙ୍କ ଯୋଡ଼ି ଜମିଲା: ନେଦରଲାଣ୍ଡ୍‌ସକୁ ହରାଇ ଭାରତ ଶୀର୍ଷରେ

ସିଡ୍‌ନି: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଏଥି ସହିତ ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇଥିବା ଭାରତ ମଧ୍ୟ ୨ରୁ ୨ ବିଜୟ ସହ ଗ୍ରୁପ୍‌-୨ ପଏଣ୍ଟ୍‌ ତାଲିକାର ଶୀର୍ଷକୁ ଲମ୍ଫ ମାରିଛି। ଅନ୍ୟପକ୍ଷରେ ବର୍ଷା ବାଧକ ଯୋଗୁଁ ନିଜର ପ୍ରଥମ ମ୍ୟାଚ୍‌ରେ ପଏଣ୍ଟ ବାଣ୍ଟିଥିବା ଦକ୍ଷିଣ ଆଫ୍ରିକା ଗୁରୁବାର ବାଂଲାଦେଶକୁ ବଡ଼ ବ୍ୟବଧାନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିବା ସହିତ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି। ବୁଧବାର ସୁଦ୍ଧା ଶୀର୍ଷରେ ଥିବା ବାଂଲାଦେଶ ଚତୁର୍ଥକୁ ଖସିଯା‌ଇଥିଲା ବେଳେ ପାକିସ୍ତାନକୁ ରାତିରେ ପରାସ୍ତ କରିବା ପରେ ଜିମ୍ବାୱେ ତୃତୀୟକୁ ଉନ୍ନୀତ ହୋଇଛି।

ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୪ ୱିକେଟ୍‌ରେ ପରାସ୍ତ କରିଥିବା ଭାରତ ଗୁରୁବାର ନେଦରଲାଣ୍ଡ୍‌ସକୁ ୫୬ ରନ୍‌ରେ ହରାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। କେଏଲ୍‌ ରାହୁଲ କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ନିରାଶ କରି ଭାରତକୁ ଆରମ୍ଭରୁ ଚାପରେ ପକାଇଥିଲେ। ନେଦରଲାଣ୍ଡ୍‌ସ ବୋଲରମାନେ ଆରମ୍ଭରୁ ମାପଚୁପ ବୋଲିଂ ସାଙ୍ଗକୁ ଉନ୍ନତ କ୍ଷେତ୍ରରକ୍ଷଣ କରି ଭାରତକୁ ପାୱାର ପ୍ଲେ’ରେ ହାତଖାଲା ସର୍ଟ ଖେଳିବାକୁ ଦେଇନଥିଲେ। ଏପରିକି ୬ ଓଭରର ପାୱାର ପ୍ଲେ’ରେ ଭାରତ ମାତ୍ର ୩୨ ରନ୍‌ କରି ଗୋଟିଏ ୱିକେଟ୍‌ ହରାଇଥିଲା। ହେଲେ ପାକିସ୍ତାନ ବିପକ୍ଷରେ ୪ ରନ୍‌ କରିଥିବା‌ ରୋହିତ ଗୋଟିଏ ଜୀବନଦାନ ପାଇବା ସତ୍ତ୍ବେ ସତର୍କତାର ସହ ଖେଳି ସ୍କୋର୍‌କୁ ଆଗେଇ ନେଇଥିଲେ। ସେ କୋହଲିଙ୍କ ସହ ପାଳିକୁ ଆଗେଇ ନେଉଥିଲା ବେଳେ ୧୨ତମ ଓଭରର ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର୍‌ ୮୪ରେ ସେ ପାଭିଲିୟନ୍‌ ଫେରିବା ପୂର୍ବରୁ କୋହଲିଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୭୩ ରନ୍ ଯୋଡ଼ିଥିଲେ।

ଏହାପରେ କିନ୍ତୁ କୋହଲି ଓ ସୂର୍ଯ୍ୟକୁମାରଙ୍କ ଯୋଡ଼ି ବେଶ୍‌ ଜମିଥିଲା। ଦୁହେଁ ବିସ୍ଫୋରକ ବ୍ୟାଟିଂ କରି ଅସମାପ୍ତ ତୃତୀୟ ୱିକେଟ୍‌ରେ ୮ ଓଭରରୁ ୯୫ ରନ୍ ଯୋଡ଼ି ଦଳୀୟ ସ୍କୋର୍‌ ୧୭୯ରେ ପହଞ୍ଚାଇ ଦେଇଥିଲେ। ଶେଷ ବଲ୍‌କୁ ଛକା ମାରି ସୂର୍ଯ୍ୟକୁମାର ଅର୍ଦ୍ଧଶତକ ପୂରଣ କରିଥିଲେ। ଜବାବରେ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ୨ ୱିକେଟ୍‌ ଲେଖାଏଁ ସାଙ୍ଗକୁ ମହମ୍ମଦ ସାମିଙ୍କ ଗୋଟିଏ ୱିକେଟ୍‌ ବଳରେ ନେଦରଲାଣ୍ଡ୍‌ସ ପାଳିକୁ ଭାରତ ୧୨୩/୯ରେ ସୀମିତ ରଖିଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବିଶ୍ବକପ୍‌ରେ ସର୍ବାଧିକ ରନ୍‌: କୋହଲି ଦ୍ବିତୀୟ

ଭାରତର ରନ୍‌ ମେସିନ୍‌ ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇପାରିଛନ୍ତି। ସେ ‌୨୩ ମ୍ୟାଚ୍‌ରୁ ୯୮୯ ରନ୍‌ ସଂଗ୍ରହ କରି ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ (୧୦୧୬ ରନ୍‌)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ କ୍ରିସ୍‌ ଗେଲ୍‌ (୯୬୫ ରନ୍‌) ତୃତୀୟ ଓ ରୋହିତ ଶର୍ମା (୯୦୪ ରନ୍‌) ଚତୁର୍ଥ ସ୍ଥାନରେ ଅଛନ୍ତି। ଏପରିକି ହାରାହାରି ରନ୍‌ରେ ବି କୋହଲି (୮୯.୯୦) ଶୀର୍ଷରେ ଥିବାବେଳେ ମାଇକ୍ ହସି (୫୪.୬୨) ଦ୍ବିତୀୟ ସ୍ଥାନରେ ଅଛନ୍ତି। ୫୦ରୁ ଅଧିକ ହାରାହାରି ପାଇବାରେ ଏହି ଦୁଇଜଣଙ୍କୁ ଛାଡ଼ିଦେଲେ ଆଉ କେହି ବି ନାହାନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୋହଲି ଦୁଇଥର (୨୦୨୪ ଓ ୨୦୧୬) ‌ପ୍ରତିଯୋଗିତାର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଛନ୍ତି। ଏଭଳି ପୁରସ୍କାର ପାଇବାରେ ସେ ପ୍ରଥମ ଖେଳାଳି।
ଯୁବରାଜଙ୍କ ଛକା କୀର୍ତ୍ତିମାନ ଭାଙ୍ଗିଲେ ରୋହିତ

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବିଶ୍ବକପ୍‌ରେ ସବୁଠୁ ଅଧିକ ଛକା (୩୪) ମାରିବାରେ ନିଜ ଦେଶର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଟପି ଯାଇଛନ୍ତି। ଭାରତୀୟଙ୍କ ମଧ୍ୟରେ ଯୁବରାଜ ପୂର୍ବରୁ ୩୧ ମ୍ୟାଚ୍‌ରୁ ୩୩ ଛକା ମାରି ଆଗରେ ଥିଲେ। କିନ୍ତୁ ଗୁରୁବାର ନେଦରଲାଣ୍ଡ୍ସ ବିପକ୍ଷରେ ରୋହିତ ୩ ଛକା ମାରି ଏହି କୀର୍ତ୍ତିମାନ ଭାଙ୍ଗିଥିଲେ। ପୂର୍ବରୁ ସର୍ବାଧିକ ଛକା ମାରିବା କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି। ସେ ୩୩ ମ୍ୟାଚ୍‌ରୁ ୬୩ ଛକା ମାରିଛନ୍ତି। ଗୁରୁବାର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ର ତୃତୀୟ ଓଭର ଶେଷ ବଲ୍‌ରେ ଭାନ୍‌ ମିକେରେନ୍‌ଙ୍କୁ ରୋହିତ ସ୍କୋ‌ୟାର ଲେଗ୍‌ରେ ପ୍ରଥମ ଛକା ମାରିଥିଲା ବେଳେ ଅଷ୍ଟମ ଓଭରର ଚତୁର୍ଥ ବଲ୍‌ରେ ଭାନ୍‌ ବିକ୍‌ଙ୍କୁ ଲଙ୍ଗ୍‌ ଅନ୍‌ରେ ୮୮ ମିଟର୍‌ର ବଡ଼ ଛକା ମାରିଥିଲେ। ଏହାପରେ ଦଶମ ଓଭରର ତୃତୀୟ ବଲ୍‌ରେ ବାସ୍‌ ଡି ଲିଡେଙ୍କୁ ସ୍କୋୟାର ଲେଗ୍‌କୁ ପୁଲ୍‌ ମାରି ଯୁବରାଜଙ୍କ ‌କୀର୍ତ୍ତିମାନକୁ ଟପିଯାଇଥିଲେ।
ସୂର୍ଯ୍ୟକୁମାର ୨୦୨୨ର ସର୍ବାଧିକ ରନ୍‌ ସଂଗ୍ରହକାରୀ

ଭାରତୀୟ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ମହମ୍ମଦ ରିଜୱାନ୍‌ଙ୍କୁ ପଛରେ ପକାଇ ୨୦୨୨ କ୍ୟାଲେଣ୍ଡର ବର୍ଷର ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇପାରିଛନ୍ତି। ନେଦରଲାଣ୍ଡ୍ସ ବିପକ୍ଷରେ ଅପରାଜିତ ୫୧ ରନ୍‌ କରିବା ପରେ ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସୂର୍ଯ୍ୟକୁମାର ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୫ ପାଳିରୁ ୮୬୭ ରନ୍‌ ସଂଗ୍ରହ କରିସାରିଥିଲା ବେଳେ ରିଜୱାନ୍‌ ୨୦ (ପୁରୁବାର ଜିମ୍ବାୱେ ବିପକ୍ଷ ମ୍ୟାଚ୍‌କୁ ମିଶାଇ) ପାଳିରୁ ୮୩୯ ରନ୍‌ କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧୬ ପାଳିରୁ ୬୨୯, ରୋହିତ ଶର୍ମା ୨୫ ପାଳିରୁ ୫୯୭ ରନ୍‌ କରିଛନ୍ତି। କିଛି ଦିନ ତଳେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟର ମାନ୍ୟତାରେ ଶୀର୍ଷ ସ୍ଥାନରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଦ୍ବିତୀୟ ସ୍ଥାନରେ ଅଳ୍ପ ଦିନ ରହିବା ପରେ ଡେଭନ୍‌ କନୱେ ତାଙ୍କ ସ୍ଥାନ ଛଡ଼ାଇ ନେବାରୁ ସେ ଏବେ ତୃତୀୟରେ ଅଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୋଟିଏ ପାଳିରେ ୩ ବ୍ୟକ୍ତିଗତ ଅର୍ଦ୍ଧଶତକ

ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ଜମାଇଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୋଟିଏ ପାଳିରେ ୩ ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲରେ ଭାରତ ସର୍ବାଗ୍ରେ ରହିଛି। ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ଏଭଳି ୩ ଥର ଦେଖିବାକୁ ମିଳିଲା। ଏଥିରେ ଭାରତ ଦୁଇଥର ମାଇଲଖୁଣ୍ଟ ଛୁଇଁଛି। ଏହି ମ୍ୟାଚ୍‌ ପୂର୍ବରୁ ୨୦୦୭ ପ୍ରଥମ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷ ଡର୍ବାନ୍‌ ମ୍ୟାଚ୍‌ରେ ମଧ୍ୟ ଭାରତର ୩ ଜଣ ବ୍ୟାଟର୍‌ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ୩ ବ୍ୟାଟର୍‌ ୨୦୧୬ ବିଶ୍ବକପ୍‌ର ଇଂଲଣ୍ଡ ବିପକ୍ଷ ସିଡ୍‌ନି ମ୍ୟାଚ୍‌ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
କୋହଲି-ସୂର୍ଯ୍ୟଙ୍କ ଚତୁର୍ଥ ୫୦+ ଭାଗୀଦାରି

ଭାରତୀୟ ଦଳ ପକ୍ଷରୁ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭାଗୀଦାରି ଜମାଣିଆ ରହିଆସୁଛି। ଗୁରୁବାର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌କୁ ମିଶାଇ ଦୁହେଁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୪ ଥର ୫୦+ ଭାଗୀଦାରି ଗଢ଼ିଛନ୍ତି। ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ୬୨ ବଲ୍‌ରୁ ୧୦୪ ରନ୍‌ର ଭା‌ଗୀଦାରି କରିଥିଲା ବେଳେ ଗୁଆହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୨ ବଲ୍‌ରୁ ୧୦୨, ଦୁବାଇରେ ହଂକଂ ବିପକ୍ଷରେ ୪୨ ବଲ୍‌ରୁ ଅବିଭାଜିତ ୯୮ ଏବଂ ଆଜି ସିଡ୍‌ନିରେ ନେଦରଲାଣ୍ଡ୍‌ସ ବିପକ୍ଷରେ ୪୮ ବଲ୍‌ରୁ ଅବିଭାଜିତ ୯୫ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର